ରୋହିତଙ୍କ ଶତକ; ୨ୟ ପାଳିରେ ଭାରତର ଲଢ଼ୁଆ ବ୍ୟାଟିଂ

ଓଭାଲ୍‌: ଚଳିତ ୪ର୍ଥ ଟେଷ୍ଟମ୍ୟାଚ୍‌ରେ ପ୍ରଥମେ ପରାଜୟ ଏଡ଼ାଇବା ଏବଂ ପରେ ବିଜୟର ସମ୍ଭାବନା ସୃଷ୍ଟିକରିବା ଲାଗି ଭାରତକୁ ୨ୟ ଇନିଂସରେ ଦୃଢ଼ ବ୍ୟାଟିଂର ଆବଶ୍ୟକତା ଥିଲା। ଶନିବାର ୩ୟ ଦିନରେ ଓଭାଲ୍‌ର ପିଚ୍ ବ୍ୟାଟିଂ ପାଇଁ ସହାୟକ ହୋଇଥିବା ବେଳେ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ଏହାର ଫାଇଦା ଉଠାଇ ଠିକ୍‌ ଏହା ହିଁ କରି ପାରିଛନ୍ତି। ଓପ୍‌ନର ରୋହିତ ଶର୍ମା ଶତକ ଅର୍ଜନ କରିଥିବା ବେଳେ ଚେତେଶ୍ବର ପୂଜାରା ଅର୍ଦ୍ଧଶତକ ହାସଲ କରିଛନ୍ତି। ଫଳରେ ପ୍ରଥମ ଇନିଂସରେ ୯୯ ରନ୍‌ ପଛରେ ରହିଥିବା ଭାରତ ଶନିବାର ୩ୟ ଦିନ‌େ‌ର ଖରାପ ଆଲୋକ ପାଇଁ ଜଲ୍‌ଦି ଷ୍ଟମ୍ପ୍‌ ଅପସାରଣ ବେଳକୁ ୨ୟ ଇନିଂସରେ ୩ ୱିକେଟ ହରାଇ ୨୭୦ ରନ୍ କରିପାରିଛି। ହାତରେ ଆଉ ୭ ୱିକେଟ ଥାଇ ଭାରତ ଏବେ ୧୭୧ ରନ୍ ଆଗରେ ରହିଛି।

୨ୟ ଦିନ ଶେଷରେ ଭାରତୀୟ ଓପ୍‌ନର ପୃଥକ୍ ନ ହୋଇ ୪୩ ରନ୍ କରିଥିଲେ। ଶନିବାର ୩ୟ ଦିନରେ ମଧ୍ୟ ଭାରତୀୟ ଓପ୍‌ନିଂ ଯୋଡ଼ି ସେମାନଙ୍କର ଲଢ଼ୁଅା ବ୍ୟାଟିଂ ଜାରି ରଖିଥିଲେ। ୩୪ ଓଭରରେ ୮୩ ରନ୍‌ର ଭାଗିଦାରୀ କରିବା ପରେ ଇଂଲଣ୍ଡକୁ ପ୍ରଥମ ୱିକେଟ ମିଳିଥିଲା। କେ.ଏଲ୍‌. ରାହୁଲ ୪୬ ରନ୍‌କରି ଆଉଟ ହୋଇ ଯାଇଥିଲେ। ପରେ ରୋହିତ ଶର୍ମା ଓ ଚେତେଶ୍ବର ପୂଜାରା ଇନିଂସକୁ ଆଗକୁ ବଢ଼ାଇ ଚାଲିଥିଲେ। ଦୁହେଁ ୨ୟ ୱିକେଟ ପାଇଁ ୪୬ ଓଭର ବ୍ୟାଟିଂ କରିଥିଲେ ଏବଂ ୧୫୩ ରନ୍‌ର ଭାଗିଦାରୀ କରିବାରୁ ଭାରତ ମଜ୍‌ଭୁତ ସ୍ଥିତିରେ ପହଞ୍ଚି ପାରିଥିଲା। ତେବେ ନୂଆ ବଲ୍‌ ନେବାର ପ୍ରଥମ ଓଭରରେ ହିଁ ଉଭୟଙ୍କୁ ଓଲି ରବିନ୍‌ସନ ଆଉଟ କରି ଦେଇଥିଲେ। ରୋହିତ ସିରିଜ୍‌ରେ ପ୍ରଥମ ଶତକ ହାସଲ କରିଥିଲେ। ୪୩ତମ ଟେଷ୍ଟମ୍ୟାଚ୍‌ରେ ୮ମ ଶତକ ହାସଲ କରିଥିବା ରୋହିତ ୨୫୬ ବଲ୍‌ରୁ ଗୋଟିଏ ଛକା ଓ ୧୪ଟି ଚୌକା ସହ ୧୨୭ ରନ୍‌କରି ଆଉଟ ହୋଇଥିଲେ। ୫ଟି ବଲ୍‌ ପରେ ପୂଜାରା ୧୨୭ ବଲ୍‌ରୁ ୯ଟି ଚୌକା ସହ ୬୧ ରନ୍‌କରି ଆଉଟ ହୋଇଥିଲେ। ଖରାପ ଆଲୋକ ପାଇଁ ଷ୍ଟମ୍ପ୍‌ ଅପସାରଣ ବେଳକୁ ଅଧିନାୟକ ବିରାଟ କୋହଲି ୨୨ ଓ ରବୀନ୍ଦ୍ର ଜାଡ଼େଜା ୯ ରନ୍‌କରି ଅପରାଜିତ ରହିଛନ୍ତି।

Comments are closed.