ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟ ମୁକାବିଲା ଆଜିଠାରୁ

ଓଭାଲ୍‌ : ରୋଚକ ହେବାରେ ଲାଗିଥିବା ଭାରତ-ଇଂଲଣ୍ଡ ଟେଷ୍ଟ ଶୃଙ୍ଖଳାର ୪ର୍ଥ ମୁକାବିଲା ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ସିରିଜ୍‌ ଏବେ ୧-୧ ସ୍ଥିତିରେ ଥିବା ବେଳେ ଓଭାଲ୍‌ ଟେଷ୍ଟରେ ଯେଉଁ ଦଳ ଜିତିବ; ତାହା ଶୃଙ୍ଖଳାରେ ଅପରାଜିତ ରହିବା ନିଶ୍ଚିତ କରିବ। ଲର୍ଡସ ଟେଷ୍ଟରେ ଚମତ୍କାର ଭାବେ ପ୍ରତ୍ୟାବର୍ତ୍ତନ କରି ବିଜୟୀ ହୋଇଥିବା ଭାରତୀୟ ଦଳ ପରବର୍ତ୍ତୀ ଟେଷ୍ଟରେ ଇନିଂସ ପରାଜୟ ଭୋଗିବା ବିରାଟ ବାହିନୀ ପାଇଁ ନିଶ୍ଚୟ ଚିନ୍ତାର ବିଷୟ। ଉଭୟ ମ୍ୟାଚ୍‌ରେ ନିର୍ଣ୍ଣାୟକ ହୋଇଥିଲା ପ୍ରଥମଦିନ। ଲର୍ଡସରେ ପ୍ରଥମଦିନ ଭାରତ ୩ ୱିକେଟରେ ୨୭୬ ରନ୍‌ କରିଥିବା ବେ​‌େ​‌ଳ ନଟିଂହାମ୍‌ରେ ୩ୟ ଟେଷ୍ଟରେ ଭାରତ ୩ ଘଣ୍ଟାରେ ୭୮ ରନ୍‌ରେ ସମସ୍ତ ୱିକେଟ ହରାଇଥିଲା। ତେଣୁ ଦୃଢ଼ତାର ସହ ଭାରତ ଓ ଇଂଲଣ୍ଡ ଓଭାଲ୍‌ ଟେଷ୍ଟର ପ୍ରାରମ୍ଭ କରିବାକୁ ଚାହିଁବେ। ଗତ ୩ଟି ଟେଷ୍ଟମ୍ୟାଚ୍‌କୁ ଦେଖିଲେ ସ୍ପଷ୍ଟ ଯେ ଭାରତର ପଲ୍ଲା ସାମାନ୍ୟ ଭାରିରହିଛି। ତେବେ ନଟିଂହାମ୍ ଟେଷ୍ଟର ପ୍ରଥମ ଓ ୪ର୍ଥ ଦିନରେ ବ୍ୟାଟିଂ ବିପର୍ଯ୍ୟୟର ତିକ୍ତ ଅନୁଭୂତି ଭାରତୀୟ ଖେଳାଳିଙ୍କ ମନରୁ ଯାଇନଥିବ। ପ୍ରଥମ ଦିନରେ ଭାରତ ୭୮ ରନ୍‌ରେ ୧୦ଟି ୱିକେଟ ହରାଇଥିବା ବେଳେ ୪ର୍ଥ ଦିନରେ ୬୩ ରନ୍‌ରେ ୮ଟି ୱିକେଟ ହରାଇଥିଲା।
୪ର୍ଥ ଟେଷ୍ଟମ୍ୟାଚ୍‌କୁ ଜିତିବାକୁ ହେଲେ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କୁ ରନ୍ କରିବାକୁ ପଡ଼ିବ। ଭାରତୀୟ ଦଳର ବହୁତ ବଡ଼ ଚିନ୍ତା ହେଲା ଏହାର ମଧ୍ୟକ୍ରମରେ ୩ ପ୍ରମୁଖ ବ୍ୟାଟ୍‌ସମ୍ୟାନ୍- ଚେତେଶ୍ବର ପୂଜାରା, ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ରନ୍ କରିନାହାନ୍ତି। ୩ୟ ଟେଷ୍ଟର ୨ୟ ଇନିଂସରେ ପୂଜାରା ୯୧ ରନ୍‌ କରିଥିବା ବେଳେ ଲର୍ଡସ ଟେଷ୍ଟରେ ରାହାଣେ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଅଦ୍ୟାବଧି ଶୃଙ୍ଖଳାରେ ମୋଟ ଶହେ ରନ୍ କରି ପାରିନାହାନ୍ତି। ପୂଜାରା ଆଉ ଏକ ସୁଯୋଗ ପାଇବା ନିଶ୍ଚିତ ହୋଇଥିବା ବେଳେ ରାହାଣେ ମଧ୍ୟ ଖେଳିବାର ସମ୍ଭାବନା ରହିଛି। ଅବଶ୍ୟ ତାଙ୍କ ସ୍ଥାନରେ ହନୁମା ବିହାରୀ କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କୁ ଖେଳାଇବାର ଆଲୋଚନା ଚାଲିଛି। ଜୋ ରୁଟ୍‌ଙ୍କୁ ଆଉଟ କରିବା ଭାରତ ପାଇଁ ଚିନ୍ତାର ବିଷୟ। ରୁଟ୍‌ ୩ଟିଯାକ ଟେଷ୍ଟରେ ଶତକ ମାରିବା ସହ ଏକା ୫ ଶହରୁ ଅଧିକ ରନ୍ କରି ସାରିଲେଣି। ବୋଲିଂ ବିଭାଗରେ ଭାରତ କିଛି ପରିବର୍ତ୍ତନ କରିପାରେ। ୩ଟି ଟେଷ୍ଟମ୍ୟାଚ୍‌ ଖେଳି ବାମହାତି ସ୍ପିନର ରବୀନ୍ଦ୍ର ଜାଡ଼େଜା ମାତ୍ର ୨ଟି ୱିକେଟ ନେଇଥିଲେ ହେଁ ସେ କିଛି ଉପଯୋଗୀ ରନ୍ କରିଛନ୍ତି। ହେଲେ ଅଶ୍ବିନ ହେଉଛନ୍ତି ବିଶ୍ବର ୧ନଂ ସ୍ପିନର ଏବଂ ବ୍ୟାଟିଂରେ ଯୋଗଦାନ କରିବାର ଦକ୍ଷତା ତାଙ୍କ ପାଖରେ ଅଛି। ତେଣୁ ଜାଡ଼େଜାଙ୍କ ସ୍ଥାନରେ ଅଶ୍ବିନ ଖେଳିବାର ସମ୍ଭାବନା ଅଧିକ। ଓଭାଲ୍‌ରେ ସ୍ପିନର ସାମାନ୍ୟ ସହାୟତା ପାଇପାରନ୍ତି। ପେସ୍ ବୋଲିଂ ବିଭାଗରେ ଗୋଟିଏ/୨ଟି ପରିବର୍ତ୍ତନ ହୋଇପାରେ। ଲମ୍ବା ସିରିଜ୍ ଯୋଗୁଁ ମହମ୍ମଦ ସାମିଙ୍କୁ ଯଦି ବିଶ୍ରାମ ମିଳେ; ତେବେ ଉମେଶ ଯାଦବ ଖେଳିବେ। ଅନ୍ୟପକ୍ଷରେ ଈଶାନ୍ତ ଶର୍ମାଙ୍କ ଖରାପ ଫର୍ମ ଭାରତୀୟ ଦଳକୁ ଚିନ୍ତାରେ ପକାଇଥିବା ବେଳେ ତାଙ୍କ ସ୍ଥାନରେ ସାର୍ଦ୍ଦୁଳ ଠାକୁର ଖେଳିପାରନ୍ତି। ଇଂଲଣ୍ଡ ବୋଲିଂ ବିଭାଗରେ ସାମାନ୍ୟ ଶକ୍ତିଶାଳୀ ହୋଇଯାଇଛି। ଦଳର ପ୍ରମୁଖ ସ୍ବିଙ୍ଗ୍ ବୋଲର କ୍ରିସ୍ ୱକ୍‌ସ ୪ର୍ଥ ଟେଷ୍ଟ ଟେଷ୍ଟ ଖେଳିବା ନିଶ୍ଚିତ ହୋଇଥିବା ବେଳେ ସାମ୍ କରନ୍ ବାହାରେ ବସିବେ। ମାର୍କ ଉଡ୍‌ ଫିଟ୍‌ ଘୋଷିତ ହୋଇଥିଲେ ହେଁ ୩ୟ ଟେଷ୍ଟରେ ପ୍ରଭାବଶାଳୀ ବୋଲିଂ ସହ ଉପଯୋଗୀ ଇନିଂସ ଖେଳିଥିବା କ୍ରେଗ୍ ଓଭର୍ଟନ ଆଉ ଏକ ସୁଯୋଗ ପାଇପାରନ୍ତି। ଜୋସ୍ ବଟ୍‌ଲର ଶେଷ ୨ଟି ଟେଷ୍ଟରୁ ଓହରି ଯାଇଥିବାରୁ ଜନି ବେୟାରଷ୍ଟୋ ୱିକେଟ ରକ୍ଷଣ କରିବେ। ଓଭାଲ୍‌ ଟେଷ୍ଟରେ ଘରୋଇ କ୍ରିକେଟ୍‌ରେ ୧୦୦ରୁ ଅଧିକ ଆଭ୍‌ରେଜରେ ରନ୍ କରିଥିବା ଓଲି ପୋପ୍‌ ବିଶେଷଜ୍ଞ ବ୍ୟାଟ୍‌ସମ୍ୟାନ୍ ଭାବେ ଖେଳିବେ। ଓଭାଲ୍‌ ପିଚ୍‌ ବ୍ୟାଟ୍‌ସମ୍ୟାନଙ୍କୁ ସୁହାଇପାରେ। ୨୦୧୮ରେ ଏଠାରେ ଭାରତ-ଇଂଲଣ୍ଡ ଟେଷ୍ଟମ୍ୟାଚ୍‌ ଖେଳା ଯାଇଥିବା ବେଳେ ଇଂଲଣ୍ଡର ଆଲଷ୍ଟାୟାର କୁକ୍ ଓ ଜୋ ରୁଟ୍‌ ଏବଂ ଭାରତର କେ.ଏଲ୍‌. ରାହୁଲ ଓ ଋଷଭ ପନ୍ତ୍ ଶତକ ମାରିଥିଲେ।

Comments are closed.