ବୈଦେଶିକ ବିନିମୟ ମୁଦ୍ରା ସଞ୍ଚୟ କ୍ଷେତ୍ରରେ ଭାରତ ବିଶ୍ୱର ପଞ୍ଚମ ବୃହତ ରାଷ୍ଟ୍ର

ନୂଆଦିଲ୍ଲୀ : ଚୀନ୍‍, ଜାପାନ୍‍, ସ୍ୱିଜରଲ୍ୟାଣ୍ଡ ଓ ଋଷ ପଛକୁ ବୈଦେଶିକ ବିନିମୟ ମୁଦ୍ରା ସଞ୍ଚୟ ପରିମାଣ କ୍ଷେତ୍ରରେ ଭାରତ ବିଶ୍ୱର ପଞ୍ଚମ ବୃହତ ରାଷ୍ଟ୍ର ହୋଇ ପାରିଛି। ଲୋକସଭାରେ ଏକ ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି, ଗତ ମାସ ୨୫ ତାରିଖ ସୁଦ୍ଧା ଦେଶର ବୈଦେଶିକ ବିନିମୟ ମୁଦ୍ରା ସଞ୍ଚୟ ପରିମାଣ ପ୍ରାୟ ୬୦ ହଜାର ୯୦୦ କୋଟି ଡଲାର ଥିଲା। ସେ କହିଛନ୍ତି, ଦେଶରେ ପର୍ଯ୍ୟାପ୍ତ ପରିମାଣର ବୈଦେଶିକ ବିନିମୟ ମୁଦ୍ରା ସଞ୍ଚିତ ଅଛି ଓ ୧୮ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଆମଦାନୀ ଖର୍ଚ୍ଚ ପାଇଁ ଦେଶରେ ବୈଦେଶିକ ବିନିମୟ ମୁଦ୍ରା ମହଜୁଦ ଅଛି।

ଶ୍ରୀ ଚୌଧୁରୀ କହିଛନ୍ତି, କୌଣସି ବାହ୍ୟ ଆର୍ଥିକ ପରିସ୍ଥିତି ଜନିତ ସଂକଟାବସ୍ଥା ଯୋଗୁଁ ଯେ କୌଣସି ପରିସ୍ଥିତି ଉପରେ ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କ୍‍ ତୀକ୍ଷ୍ଣ ନଜର ରଖିଛନ୍ତି। ସେ କହିଛନ୍ତି, ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଆମଦାନୀ ତୁଳନାରେ ରପ୍ତାନୀ ଉଭୟ କରେଣ୍ଟ ଆକାଉଣ୍ଟ ଓ କ୍ୟାପିଟାଲ୍‍ ଆକାଉଣ୍ଟ କ୍ଷେତ୍ରରେ ଅଧିକ ଥିଲା। ଏହାଯୋଗୁଁ ଦେଶରେ ପର୍ଯ୍ୟାପ୍ତ ପରିମାଣର ବୈଦେଶିକ ବିନିମୟ ମୁଦ୍ରା ମହଜୁଦ ରହିଛି।

Comments are closed.