୨୦୧୩ର ଆଜିର ଦିନ, ଇଂଲଣ୍ଡକୁ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା ଭାରତ

ସେଦିନ ଥିଲା ୨୦୧୩ ମସିହା ଜୁନ୍ ୨୩, ଯେଉଁଦିନ ଭାରତ ଇଂଲଣ୍ଡକୁ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ଏହି ମ୍ୟାଚ୍ ୫୦ ଓଭର ଖେଳାଯିବାର ଥିଲା କିନ୍ତୁ ବର୍ଷା ଯୋଗୁ ଏହାକୁ ୨୦ ଓଭରରେ ସୀମିତ ରଖାଯାଇଥିଲା। ପ୍ରଥମେ ଟସ୍ ଜିତି ଇଂଲଣ୍ଡ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଧୋନିଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଦଳ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୨୯ ରନ ସ୍କୋର କରିପାରିଥିଲା।
ଏହି ମ୍ୟାଚରେ ବିରାଟ କୋହଲି ଟପ୍ ସ୍କୋର କରିଥିଲେ। ସେ ଚାରିଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ୩୪ଟି ବଲରେ ୪୩ ରନ୍ ସଂଗ୍ରହ କରିଥିଲେ। ରବିନ୍ଦ୍ର ଜାଡେଜା ୨୫ ବଲରେ ୩୩ ରନ ସଂଗ୍ରହ କରିଥିଲେ।
ଇଂଲଣ୍ଡ ପକ୍ଷରୁ ରବି ବୋପାରା ତିନୋଟି ୱିକେଟ୍ ଅକ୍ତିଆର କରିଥିଲେ। ୧୩୦ ରନର ପିଛା କରି ଇଂଲଣ୍ଡ ୪୬ ରନ ହାସଲ କଲା ବେଳକୁ ୪ଟି ୱିକେଟ୍ ହରାଇ ସାରିଥିଲା। ଆଲାଷ୍ଟେୟାର କୁକ ୨, ଜୋନାଥନ ଟ୍ରଟ ୨୦, ଇଆନ ବେଲ ୧୩ ଏବଂ ଜୋଏ ରୁଟ ୭ ରନ କରି ପାଭିଲିୟନକୁ ଫେରିଯାଇଥିଲେ। ତେବେ ୫ମ ୱିକେଟ୍ ଯୋଡି ଇଆନ୍ ମୋର୍ଗାନ୍ ଏବଂ ରବି ବୋପାରା ୬୪ ରନ୍ କରିଥିଲେ।
ତେବେ ଟାର୍ଗେଟ ହାସଲ ପାଇଁ ମାତ୍ର ୨୦ ରନ୍ ବାକି ଥିବା ବେଳେ ଈଶାନ୍ତ ଶର୍ମା ଉଭୟ ମୋର୍ଗାନ ଏବଂ ବୋପାରାଙ୍କୁ ୩୩ ଏବଂ ୩୦ ରନରେ ଆଉଟ କରିଦେଇଥିଲେ। ଉଭୟ ବ୍ୟାଟ୍ସମ୍ୟାନ୍ ଆଉଟ ହେବ ପରେ ଇଂଲଣ୍ଡ ବିପର୍ଯ୍ୟୟର ସାମ୍ନା କରିଥିଲା ଓ ୫ ୱିକେଟରେ ପରାସ୍ତ ହୋଇଥିଲା। ଏହି ବିଜୟ ସହିତ ଏମଏସ ଧୋନି କ୍ରିକେଟ୍ ଇତିହାସରେ ପ୍ରଥମ ଅଧିନାୟକ ଭାବେ ସମସ୍ତ ପ୍ରମୁଖ ଆଇସିସି ଟ୍ରଫି ଜିତିବା ଗୌରବ ହାସଲ କରିଥିଲେ।