ଶ୍ରୀଲଙ୍କା ବିପକ୍ଷରେ ୨ୟ ଦିନିକିଆରେ ବିଜୟୀ ହୋଇ ଭାରତର ବିଶ୍ୱ ରେକର୍ଡ

କଲମ୍ବୋ: ସଂପ୍ରତି ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳରେ ହୁଏତ କିଛି ପ୍ରମୁଖ ଖେଳାଳି ନଥାଇପାରନ୍ତି, କିନ୍ତୁ ଅନ୍ୟ ଖେଳାଳିମାନେ ନୂଆ ରେକର୍ଡ ସୃଷ୍ଟି କରିବାରେ ଟିକିଏ ହେଲେ ତ୍ରୁଟି କରିନାହାନ୍ତି । ଶିଖର ଧାବନ ଏବଂ ତାଙ୍କ ସହଯୋଗୀ ଖେଳାଳିମାନେ ଶ୍ରୀଲଙ୍କାକୁ ମଙ୍ଗଳବାର ଦ୍ୱିତୀୟ ଏକ ଦିବସୀୟ ମ୍ୟାଚରେ ପରାସ୍ତ କରିବା ସହିତ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଏକ ନିର୍ଦ୍ଦିଷ୍ଟ ଦଳ ବିପକ୍ଷରେ ସର୍ବାଧିକ ମ୍ୟାଚ ଜିତିବାର ରେକର୍ଡ ପୂର୍ବରୁ ଅଷ୍ଟ୍ରେଲିଆର ରହିଥିଲା । ସେହି ରେକର୍ଡକୁ ଭାରତୀୟ ଦଳ ଭାଙ୍ଗିଦେଇଛନ୍ତି । ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ଦିନିକିଆ କ୍ରିକେଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ୯୨ ଥର ବିଜୟୀ ହୋଇଥିଲେ । ତେବେ ଭାରତୀୟ ଦଳ ଏହି ବିଜୟ ସହିତ ଶ୍ରୀଲଙ୍କା ବିପକ୍ଷରେ ୯୩ଟି ଦିନିକିଆ ମ୍ୟାଚ ଜିତି ନୂଆ ରେକର୍ଡ ସ୍ଥାପନ କରିବାରେ ସଫଳ ହୋଇଛନ୍ତି ।
ଏହି ବିଶ୍ୱ ରେକର୍ଡ ସ୍ଥାପନକାରୀ ବିଜୟୀ ମ୍ୟାଚରେ ଦୀପକ ଚହର ସବୁ କ୍ଷେତ୍ରରେ ସଫଳ ହୋଇଥିଲେ । ୭ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସି ଚହର ୮୨ ବଲରୁ ୬୯ ରନ୍‍ ଯୋଗକରିବା ସହିତ ଭାରତକୁ ବିଜୟୀ କରାଇଥିଲେ । ତାଙ୍କ ସହିତ କ୍ରିଜରେ ଥିବା ଭୁବନେଶ୍ୱର କୁମାର ୨୮ ବଲରୁ ୧୯ ରନ ସଂଗ୍ରହ କରିଥିଲେ । ଭାରତ ୭ ୱିକେଟ ହରାଇ ୧୯୩ ରନ ସଂଗ୍ରହ କରିଥିବାବେଳେ ଦୁହେଁ ଖେଳ ଆରମ୍ଭ କରିଥିଲେ । ତେବେ ସେମାନେ ଦଳକୁ ବିଜୟୀ କରିବା ସହିତ ଏହି ଦିନିକିଆ ସିରିଜରେ ଭାରତକୁ ୨-୦ରେ ଅଗ୍ରଣୀ କରାଇଛନ୍ତି ।

Comments are closed.