କରୋନା ଭୟ ମଧ୍ୟରେ ଆଶ୍ବସ୍ତି ଖବର: ୭୫% ଛୁଇଁଲା ଦେଶରେ ଆରୋଗ୍ୟ ହାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଭୟ ବଢ଼ିବାରେ ଲାଗିଛି । ପ୍ରତି ଦିନ ଅନ୍ୟୂନ ୬୦ ହଜାର ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ମାତ୍ର ଏହି ଭୟ ମଧ୍ୟରେ ଦେଶରେ ସବୁଠାରୁ ବଡ଼ ଆଶ୍ବସ୍ତିର ଖବର ହେଉଛି ଆରୋଗ୍ୟ ହାର । ଦେଶରେ ଏବେ କରୋନାରୁ ସୁସ୍ଥ ରୋଗୀଙ୍କ ଅନୁପାତ ୭୫% ଅତିକ୍ରମ କରିଛି । ଅନ୍ୟପକ୍ଷରେ ମାତ୍ର ୨୨.୨% ସକ୍ରିୟ ସଂକ୍ରମିତ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣଙ୍କ ସୂଚନା ଅନୁସାରେ ଦେଶରେ କରୋନା ସଂକ୍ରମିତଙ୍କ ଆରୋଗ୍ୟହାର ୭୫% ରୁ ଅଧିକ । ସେ କହିଛନ୍ତି ଯେ ଦେଶରେ ସକ୍ରିୟ ସଂକ୍ରମିତଙ୍କଠାରୁ ସୁସ୍ଥ ରୋଗୀଙ୍କ ଅନୁପାତ ୩.୪ଗୁଣ ଅଧିକ । ତେଣୁ ଏଥିପାଇଁ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ  ଆଇସିଏମଆର ମହାନିର୍ଦେଶକ ଡ଼ା ବଳରାମ ଭାର୍ଗବ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ସେରୋ -ସର୍ବେକ୍ଷଣ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଶେଷ ହେବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦେଶରେ କରୋନା ସଂକ୍ରମଣ ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛିଦିନ ମଧ୍ୟରେ ଦୈନିକ ହାରାହାରି ୬୦ ହଜାର ଲୋକ ସଂକ୍ରମିତ ହେଉଛନ୍ତି । ଗତ ଏକ ସପ୍ତାହ ମଧ୍ୟରେ ବିଶ୍ବରେ ଯେତେ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି ତାହା ମଧ୍ୟରୁ ୨୬.୧% କେବଳ ଭାରତରୁ ହିଁ ହୋଇଛନ୍ତି । ଅର୍ଥାତ ବିଶ୍ବର ପ୍ରତି ୪ଟି ସଂକ୍ରମଣରେ ଭାରତର ଭାଗିଦାରୀ ହେଉଛି ଗୋଟିଏ । ବିଶ୍ବ କରୋନା ପରିସଂଖ୍ୟାନରେ ପ୍ରଥମଥର ପାଇଁ ଏପରି ଘଟିଛି। ସଂପ୍ରତି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ଲକ୍ଷ ଅତିକ୍ରମ କରିଛି ।

Comments are closed.