ଦଳରେ ରାୟୁଡୁ ଥିଲେ ଭାରତ ଗତବର୍ଷ ବିଶ୍ୱକପ୍‍ ଜିତି ଥାଆନ୍ତା: ରୈନା

ନୂଆଦିଲ୍ଲୀ : ଇଂଲଣ୍ଡରେ ଖେଳା ଯାଇଥିବା ୨୦୧୯ ବିଶ୍ୱକପ୍‍ ପୂର୍ବରୁ ଭାରତୀୟ କ୍ରିକେଟ୍‍ ଦଳ ପାଇଁ ସବୁଠାରୁ ବଡ଼ ମୁଣ୍ଡବିନ୍ଧା ଥିଲା ୪ନଂ ସ୍ଥାନ। ବହୁତ ବ୍ୟାଟ୍‍ସମ୍ୟାନ୍‍ଙ୍କୁ ଏହି ସ୍ଥାନରେ ସୁଯୋଗ ଦିଆଗଲା। ତେବେ ଅମ୍ବତି ରାୟୁଡୁ ୪ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଉପଯୁକ୍ତ ବ୍ୟାଟ୍‍ସମ୍ୟାନ୍‍ ବୋଲି ସମସ୍ତେ ଧରି ନେଇଥିଲେ। ତେବେ ବିଶ୍ୱକପ୍‍ ପାଇଁ ଭାରତୀୟ ଦଳ ଘୋଷଣା ବେଳେ ସମସ୍ତେ ଚକିତ ହୋଇ ଯାଇଥିଲେ। ମନୋନୟନକାରୀ ରାୟୁଡୁଙ୍କୁ ବିଶ୍ୱକପ୍‍ ଦଳରେ ହିଁ ରଖିନଥିଲେ। ତାଙ୍କ ସ୍ଥାନରେ ଅଲ୍‍ରାଉଣ୍ଡର ବିଜୟ ଶଙ୍କର ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ବିଶ୍ୱକପ୍‍ ସେମିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଏକ ଛୋଟ ସ୍କୋର୍‍ର ପିଛା କରିଥିଲେ ହେଁ ମଧ୍ୟକ୍ରମର ବିଫଳତାରୁ ଭାରତ ପରାଜିତ ହୋଇ ଟାଇଟଲ ଦୌଡ଼ରୁ ବାଦ୍‍ ପଡ଼ିଥିଲା।

ନିକଟରେ ଆନ୍ତର୍ଜାତିକ କ୍ରିକେଟ୍‍ରୁ ଅବସର ଘୋଷଣା କରିଥିବା ଭାରତୀୟ ଦଳର ପୂର୍ବତନ ବ୍ୟାଟ୍‍ସମ୍ୟାନ୍‍ ସୁରେଶ ରୈନା କହିଛନ୍ତି ଯେ ଅମ୍ବତି ରାୟୁଡୁ ଯଦି ଦଳରେ ଥାଆନ୍ତେ; ତେବେ ଭାରତ ବିଶ୍ୱକପ୍‍ ଟ୍ରଫି ଜିତି ପାରିଥାଆନ୍ତା। ରୈନା କହିଛନ୍ତି, ମୁଁ ଚାହୁଁଥିଲି ଯେ ଅମ୍ବତି ରାୟୁଡୁ ୪ନଂ ସ୍ଥାନରେ ବ୍ୟାଟିଂ କରନ୍ତୁ। କାରଣ ସେ କଠିନ ପରିଶ୍ରମ କରିଥିଲେ। ପୁଣି ଦେଢ଼ବର୍ଷ ହେଲା ସେ ନିୟମିତ ଭାବେ ଭାରତୀୟ ଦିନିକିଆ ଦଳରେ ଖେଳୁଥିଲେ। ରାୟୁଡୁ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ତାଙ୍କୁ ଦଳରେ ନିଆ ଯାଇନଥିଲା। ୨୦୧୮ରେ ରାୟୁଡୁ ଫିଟ୍‍ନେସ ପରୀକ୍ଷାରେ ବିଫଳ ହେବାରୁ ତାଙ୍କ ସ୍ଥାନରେ ମୋତେ ଦଳରେ ନିଆ ଯାଇନଥିଲା। ମୋତେ ଏହା ଭଲ ଲାଗିନଥିଲା। କାରଣ ରାୟୁଡୁ ଭଲ ଫର୍ମରେ ଥିଲେ। ୪ନଂ ସ୍ଥାନ ପାଇଁ ରାୟୁଡୁ ଉପଯୁକ୍ତ ବ୍ୟାଟ୍‍ସମ୍ୟାନ୍‍ ଥିଲେ। ତାଙ୍କୁ ବିଶ୍ୱକପ୍‍ ଦଳରେ ରଖିଥିଲେ ସେ ଆମକୁ ବିଶ୍ୱକପ୍‍ ଜିତାଇ ପାରିଥାଆନ୍ତେ। ଏହି ସ୍ଥାନ ପାଇଁ ରାୟୁଡୁ ସଠିକ୍‍ ପସନ୍ଦ ଥିଲେ ବୋଲି ରୈନା କହିଛନ୍ତି।

Comments are closed.