ନୂଆ ରେକର୍ଡ, ୨୪ ଘଣ୍ଟାରେ ଦେଶରେ ୧୫ ଲକ୍ଷ କରୋନା ନମୁନା ପରୀକ୍ଷା

ଦେଶରେ ଗତ ୨୪ ଘଣ୍ଟା ଭିତରେ ୧୫ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇ ଏକ ନୂଆ ସଫଳତା ହାସଲ କରାଯାଇଛି। ଏଥିସହିତ ଏପର୍ଯ୍ୟନ୍ତ ପ୍ରାୟ ୭ କୋଟି ନମୁନା ପରୀକ୍ଷା କରାଯାଇସାରିଲାଣି। ନମୁନା ପରୀକ୍ଷାରେ ଭାରତ ବିଶ୍ୱର ସମସ୍ତ ଦେଶକୁ ପଛରେ ପକାଇ ଶୀର୍ଷ ସ୍ଥାନରେ ରହିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧ ହଜାର ୮୧୮ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୧ ହଜାର ୮୪ଟି ସରକାରୀ ପରୀକ୍ଷାଗାର ଓ ୭୩୪ଟି ବେସରକାରୀ ପରୀକ୍ଷାଗାର ରହିଛି। ଦୁଇ ମାସ ମଧ୍ୟରେ ହାରାହାରି ଦୈନିକ ନମୁନା ପରୀକ୍ଷା ୪ ଗୁଣା ବୃଦ୍ଧି ପାଇଛି।

ଗତ କିଛି ସପ୍ତାହ ଧରି ଦୈନିକ ୧୨ ଲକ୍ଷରୁ ଊର୍ଦ୍ଧ୍ବ ନମୁନା ପରୀକ୍ଷା କରାଯାଉଛି। ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷା ଗତ ଦୁଇ ମାସ ଭିତରେ ଅନେକ ଗୁଣା ବୃଦ୍ଧି ପାଇ ୫୦ ହଜାରରେ ପହଞ୍ଚିଛି। ଦେଶରେ ନମୁନା ପରୀକ୍ଷା ପାଇଁ ଅଧିକ ପରୀକ୍ଷାଗାର ସ୍ଥାପନ ହେବା ଯୋଗୁଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଦୈନିକ ନମୁନା ପରୀକ୍ଷା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି। ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷା ହାରାହାରି ଜାତୀୟ ନମୁନା ପରୀକ୍ଷାଠାରୁ ଅଧିକ ରହିଛି। ଅଧିକ ନମୁନା ପରୀକ୍ଷା ସତ୍ତ୍ବେ ନୂଆକରି ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇବା ସହ ଏହା ୮.୪ ପ୍ରତିଶତ ରହିଛି। ବିହାର, ଗୁଜୁରାଟ, ଉତ୍ତର ପ୍ରଦେଶ, ମଣିପୁର, ଝାଡ଼ଖଣ୍ଡ ଓ ତେଲଙ୍ଗାନା ଭଳି ରାଜ୍ୟଗୁଡ଼ିକରେ ସଂକ୍ରମିତ ହାର ଶତକଡ଼ା ୫ ଭାଗରୁ ନିମ୍ନରେ ରହିଛି।

ଦେଶରେ କୋବିଡ୍‍ ଆରୋଗ୍ୟ ହାର ୮୧.୭୪ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ୮୧ ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିବା ସହ ଏପର୍ଯ୍ୟନ୍ତ ମୋଟ ୪୭ ଲକ୍ଷ ୫୬ ହଜାର ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିସାରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ଓ ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର ୧୬.୬୭ ପ୍ରତିଶତକୁ ହ୍ରାସ ପାଇଛି। ଆରୋଗ୍ୟ ଲୋକଙ୍କ ସଂଖ୍ୟା ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟାଠାରୁ ୫ ଗୁଣ ଅଧିକ ରହିଛି।

ଗତ ଏକ ମାସ ମଧ୍ୟରେ ଶତକଡ଼ା ୧୦୦ ଭାଗ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ସହ ଆରୋଗ୍ୟ ହାରରେ ଅଭୂତପୂର୍ବ ବୃଦ୍ଧି ପରିଲକ୍ଷିତ ହେଉଛି। ୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ହାର ୮୦ ପ୍ରତିଶତରୁ ଅଧିକ ରହିଛି। ସେଗୁଡ଼ିକ ମଧ୍ୟରେ ବିହାର, ତାମିଲ୍‍ନାଡ଼ୁ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଗୁଜୁରାଟ ଆଦି ରାଜ୍ୟ ରହିଛି। ସରକାରଙ୍କ ଦ୍ୱାରା ସଂକ୍ରମିତମାନଙ୍କର ଚିହ୍ନଟ ଓ ତୁରନ୍ତ ଚିକିତ୍ସା ନୀତି ଯୋଗୁଁ କରୋନା ମୃତ୍ୟୁହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଦେଶରେ କୋବିଡ୍‍ ମୃତ୍ୟୁହାର ବର୍ତ୍ତମାନ ୧.୫୯ ପ୍ରତିଶତ ରହିଛି, ଯାହା ବିଶ୍ୱର ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ୍‍।

ଗତ ୨୪ ଘଣ୍ଟା ଭିତରେ ୮୬ ହଜାର ୫୨ ଜଣ ନୂଆ ଲୋକ ସଂକ୍ରମିତ ହେବାରୁ ମୋଟ୍‍ ସଂକ୍ରମଣ ୫୮ ଲକ୍ଷ ୧୮ ହଜାର ୫୭୧ ରହିଛି। ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ୯ ଲକ୍ଷ ୭୦ ହଜାର ରହିଛି। ଗତ ୨୪ ଘଣ୍ଟା ଭିତରେ ୧ ହଜାର ୧୪୧ ଜଣ ମୃତ୍ୟୁବରଣ କରିବାରୁ କରୋନା ଜନିତ ମୃତ୍ୟୁସଂଖ୍ୟା ୯୨ ହଜାର ୨୯୦ରେ ପହଞ୍ଚିଛି।

Comments are closed.