୫୨ହଜାର ଟପିଲା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ହଜାର ଅତିକ୍ରମ କରିଛି। ବୁଧବାର ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫୦,୫୪୫ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୧୬୯୪ ହୋଇଛି। କେରଳରେ ପ୍ରଥମ କରୋନା ସଂକ୍ରମିତ ହେବାର ୪ ମାସ ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫୦ହଜାର ଅତିକ୍ରମ କରିଛି। ଗତ ୩ଦିନ ମଧ୍ୟରେ ଦେଶରେ ୧୦ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛି। ମଙ୍ଗଳବାର ଦେଶରେ ସର୍ବାଧିକ ୩୯୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହିପରି ବୁଧବାର ଦେଶରେ ୨୯୫୮ ନୂଆ ସଂକ୍ରମିତ ହୋଇଥିବାବେଳେ ଅଧିକ ୧୨୬ଜଣଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଦେଶର ବିଭିନ୍ନ ଡାକ୍ତରଖାନାରେ ଏବେ ୩୩,୫୧୪ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ସେହିପରି ୧୪,୧୮୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ କରୋନା ସୁସ୍ଥତା ହାର ୨୯%କୁ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ମହାରାଷ୍ଟ୍ର ଦେଶର କରୋନା ହଟସ୍ପଟ ହୋଇରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୧୬,୭୫୮ ଜଣ ସଂକ୍ରମିତ ହୋଇଥିବାବେଳେ ୬୧୭ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ମହାରାଷ୍ଟ୍ରରେ ୧୨୩୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେବଳ ମୁମ୍ବଇରେ ୧୦,୭୧୪ ସଂକ୍ରମିତ ରହିଛନ୍ତି। ଏହା ପଛକୁ ଗୁଜରାଟରେ ୬୨୪୫ ସଂକ୍ରମିତ ଓ ୩୬୮ ମୃତ ଏବଂ ଦିଲ୍ଲୀରେ ୫୧୦୪ ସଂକ୍ରମିତ ଓ ୬୪ ମୃତ, ମଧ୍ୟପ୍ରଦେଶ ୩୦୪୯ ସଂକ୍ରମିତ ଓ ୧୭୬ ମୃତ, ପଶ୍ଚିମବଙ୍ଗ ୧୩୪୪ ସଂକ୍ରମିତ ଓ ୧୪୦ ଜଣଙ୍କର ମୃତ୍ୟୁ ହୋଇଛି। କରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚ ୨୫ରୁ ଦେଶରେ ଲକଡାଉନ ଜାରି କରାଯାଇଛି। ମାର୍ଚ୍ଚ ୨୫ରୁ ଜାରି ହୋଇଥିବା ଲକଡାଉନକୁ ଦୁଇଥର ବୃଦ୍ଧି କରାଯାଇଛି। ଏହି ଲକଡାଉନ ମେ ୧୭ ତାରିଖ ପର୍ୟ୍ୟନ୍ତ ଲାଗି ରହିବ। ଅନ୍ୟପଟେ ତେଲଙ୍ଗାନା ସରକାର ଲକଡାଉନକୁ ମେ ୨୯ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ ଭାରତ ଇତିମଧ୍ୟରେ ୧୨,୭୬,୭୮୧ ଜଣଙ୍କ ପରୀକ୍ଷା କରିଛି। ଯାହାକି ପ୍ରତି ୧ ନିୟୁତ ଜନସଂଖ୍ୟାରେ ୯୨୫ ଜଣ ରହିଛନ୍ତି।

Comments are closed.