ଡେଲିହଣ୍ଟ-ନୀଲସ୍‍ନ ସର୍ଭେ; ଏବେ ବି ଲୋକପ୍ରିୟ ମୋଦୀ, ୬୩% ଲୋକଙ୍କ ଆସ୍ଥା

0

ନୂଆଦିଲ୍ଲୀ : ଭାରତର ୬୩% ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିଶ୍ୱାସ କରନ୍ତି। ସେମାନଙ୍କ ମଧ୍ୟରୁ ୫୦% ଲୋକଙ୍କ କହିବା ଅନୁସାରେ ଦେଶର ଅଧିକ ଭଲ ଭବିଷ୍ୟତ ପାଇଁ ନରେନ୍ଦ୍ର ମୋଦୀଙ୍କୁ ଦ୍ୱିତୀୟ କାର୍ଯ୍ୟକାଳ ମିଳିବା ଉଚିତ୍‍। ନ୍ୟୁଜ୍‍ ପୋର୍ଟାଲ ଡେଲିହଣ୍ଟ ଏବଂ ନୀଲସନ୍‍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଅନଲାଇନ ସର୍ବେକ୍ଷଣ (ସର୍ଭେ)ରୁ ଏହା ସାମ୍ନାକୁ ଆସିଛି। ଅନଲାଇନ ସର୍ଭେରେ ସାମିଲ ହୋଇଥିବା ଦେଶ ଏବଂ ବିଦେଶରେ ରହୁଥିବା ପାଖାପାଖି ୫୪ ଲକ୍ଷ ଭାରତୀୟଙ୍କ ମତକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ସର୍ବେକ୍ଷଣ ଅନୁସାରେ ୬୪% ଲୋକ ୨୦୧୪ ଭଳି ମୋଦୀଙ୍କ ଉପରେ ବିଶ୍ୱାସ ରଖିଛନ୍ତି। ଏହାସହ ୪ ବର୍ଷରେ ମୋଦୀଙ୍କ କାର୍ଯ୍ୟକାଳ ଓ ନେତୃତ୍ୱକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ଏହି ସର୍ଭେକୁ ବେକାର ଏବଂ ମିଥ୍ୟା ବୋଲି କହିଛି। କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲ କହିଛନ୍ତି ଯେ ମୋଦୀ ସରକାର ଉପରେ ଲୋକଙ୍କ ବିଶ୍ୱାସ ହ୍ରାସ ପାଇବାରେ ଲାଗିଛି। ବିଜେପି ୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିପୁଳ ବ୍ୟବଧାନରେ ହାରିବାକୁ ଯାଉଛି। ଏଥିପାଇଁ ବିଜେପି ଦ୍ୱିତୀୟ ଥର ଶାସନକୁ ଆସିବାର ମିଥ୍ୟା ସର୍ଭେ କରୁଛି। ୫ ରାଜ୍ୟ ବିଧାନସଭା ନିର୍ବାଚନକୁ ନେଇ ସର୍ଭେରେ ଦାବି କରାଯାଇଛି ଯେ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ ଲୋକଙ୍କ ଏବେ ବି ମୋଦୀଙ୍କ ନେତୃତ୍ୱ ଉପରେ ବିଶ୍ୱାସ ରହିଛି। କେବଳ ତେଲଙ୍ଗାନାରେ ମୋଦୀ ଲହରୀ ନାହିଁ ଓ ମିଜୋରମ ସମ୍ପର୍କରେ ଏନେଇ କିଛି ଉଲ୍ଲେଖ କରାଯାଇ ନାହିଁ। ସର୍ଭେ ଅନୁସାରେ ଉଚ୍ଚସ୍ତରରେ ଥିବା ଦୁର୍ନୀତିକୁ ମୋଦୀ ହିଁ ନାଶ କରିପାରିବେ ବୋଲି ୬୦% ଲୋକ ବିଶ୍ୱାସ କରିଛନ୍ତି। ଏହି ମାମଲାରେ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜରିୱାଲ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କଠାରୁ ଆଗରେ ଅଛନ୍ତି। ଜରୁରୀ କାଳୀନ ପରିସ୍ଥିତିରେ ଦେଶରେ ନେତୃତ୍ୱ ଭାର ସମ୍ଭାଳିବା କ୍ଷେତ୍ରରେ ମୋଦୀ ସବୁଠୁ ଅଧିକ ସକ୍ଷମ ବୋଲି ୬୨% ଲୋକ ବିଶ୍ୱାସ କରନ୍ତି। ଏହି ତାଲିକାରେ ରାହୁଲ ଗାନ୍ଧୀଙ୍କୁ ୧୭%, ଅରବିନ୍ଦ କେଜରିୱାଲଙ୍କୁ ୮%, ଅଖିଳେଶ ଯାଦବଙ୍କୁ ୩%, ମାୟାବତୀଙ୍କୁ ୨% ଭୋଟ ମିଳିଛି।

Leave A Reply