ଭାରତରେ ଦୈନିକ ୧୦ କୁଇଣ୍ଟାଲ ବ୍ରାଉନସୁଗାର ଖାଉଛନ୍ତି ନିଶାଡ଼ି, ୧୦୦ ବଡ଼ ମାଫିଆଙ୍କ ତାଲିକା ପ୍ରସ୍ତୁକ କଲା ଏନସିବି

ନୂଆଦିଲ୍ଲୀ: ଭାରତରେ ବ୍ରାଉନ ସୁଗାର ବ୍ୟବସାୟ ଏବଂ ସେବନ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଦେଶରେ ନିଶାଡ଼ିମାନେ ଦୈନିକ ପ୍ରାୟ ୧ ଟନ ଅର୍ଥାତ ୧୦ କୁଇଣ୍ଟାଲ ବ୍ରାଉନସୁଗାର ଖାଉଥିବା ପିଆଇଟିଏନଡିପିଏସ ଡାଟାବେସ୍‌ରୁ ସୂଚନା ମିଳିଛି। ଯାହାର ମୂଲ୍ୟ ୧୦୦ କୋଟି ଟଙ୍କା ହେବ। ଦେଶରେ ଏହି ଧଳା ଜହର କାରବାର ବୃଦ୍ଧି ପାଉଥିବାରୁ ନାକୋଟିକ୍ସ କଂଟ୍ରୋଲ ବ୍ୟୁରୋ(ଏନସିବି)ର ନିଦ ହଜିଯାଇଛି। ଏହା ଉପରେ ରୋକ୍‌ ଲଗାଇବା ପାଇଁ ଏନସିପି ପ୍ରଥମ ଥର ପାଇଁ ବଡ଼ ଧରଣର ପ୍ରସ୍ତୁତି ଆରମ୍ଭ କରିଛି। ପ୍ରାଥମିକ ପର୍ଯ୍ୟାୟରେ ୧୦୦ ବଡ଼ ବ୍ରାଉନସୁଗାର ମାଫିଆଙ୍କୁ ଧରିବା ଲାଗି ଏକ ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରିଭେନ୍‌ସନ ଅଫ୍‌ ଇଲିସିଟ୍‌ ଟ୍ରାଫିକ ଇନ ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ସ ସବ୍‌ଷ୍ଟାନ୍‌ସେସ୍‌(ପିଆଇଟିଏନଡିପିଏସ) ଆଇନ ଅନୁସାରେ ଏନସିବି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ମୁମ୍ବଇ, ପୁଣେ, ଗୋଆ, ବେଙ୍ଗାଲୁରୁ ଏବଂ ଦିଲ୍ଲୀ ଉପରେ ସ୍ବତନ୍ତ୍ର ନଜର ରଖାଯିବ ବୋଲି ଏନସିବି ପକ୍ଷରୁ କୁହାଯାଇଛି।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଏନସିବିର ସୂଚନା ଅନୁସାରେ, ଏନସିବିର ୧୪ଟି ଜୋନର ନିର୍ଦେଶକଙ୍କୁ ବ୍ରାଉନସୁଗାର କିଙ୍ଗପିନଙ୍କୁ ଚିହ୍ନଟ କରିବା ଲାଗି ନିର୍ଦେଶ ଦିଆଯାଇଛି। ଜାମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା ଦେଇ ହେରୋଇନ ଚାଲାଣ ବୃଦ୍ଧି ପାଇବା ପରେ ଏନସିବି ପକ୍ଷରୁ ଏ ଦିଗରେ ପଦକ୍ଷେପ ନିଆଯାଇଛି। ଗତ ଅଢ଼େଇ ମାସ ମଧ୍ୟରେ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଯାଞ୍ଚ ସମୟରେ ୧୮୦ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି। ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ବଜାରରେ ୧ କିଲୋଗ୍ରାମ ହେରୋଇନର ମୂଲ୍ୟ ଅଢ଼େଇରୁ ୩ କୋଟି ଟଙ୍କା ହୋଇଥିବାବେଳେ ଭାରତରେ ଏହା ୩୦ରୁ ୫୦ ଲକ୍ଷ ଟଙ୍କା।

Comments are closed.