ଦିଲ୍ଲୀ ଦଙ୍ଗା ସଂପର୍କରେ ଓଆଇସିର ମନ୍ତବ୍ୟକୁ ଭାରତର ଦୃଢ ନିନ୍ଦା

ନୂଆଦିଲ୍ଲୀ :  ଦିଲ୍ଲୀ ଦଙ୍ଗା ସଂକ୍ରାନ୍ତରେ ଇସଲାମୀୟ ସହଯୋଗ ସଂଗଠନ(ଓଆଇସି) ଦେଇଥିବା ମନ୍ତବ୍ୟ ପାଇଁ ଭାରତ ଏହାର ଦୃଢ ନିନ୍ଦା କରିଛି।  ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର, ଓଆଇସି ଭଳି ସଂଗଠନଗୁଡ଼ିକୁ ଏଭଳି ଏକ ସମ୍ବେଦନଶୀଳ ସମୟରେ ଦାୟିତ୍ୱହୀନ ମନ୍ତବ୍ୟ ନ ଦେବା ପାଇଁ ଗୁରୁବାର ନିବେଦନ କରିଛନ୍ତି। ସେ କହିଛନ୍ତି, ଏହା ବିଭ୍ରାନ୍ତିକର ଓ ତଥ୍ୟଗତ ଦୃଷ୍ଟିରୁ ତ୍ରୁଟିପୂର୍ଣ୍ଣ।

ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ମୁଖପାତ୍ର କହିଛନ୍ତି, ଲୋକମାନଙ୍କ ମନରୁ ଭୟ ଦୂର କରିବା ଓ ହିଂସାଗ୍ରସ୍ତ ଅଞ୍ଚଳରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଦିଗରେ ପ୍ରଚେଷ୍ଟା ଜାରି ରହିଛି। ସୂଚନାଯୋଗ୍ୟ, ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡର ଓଆଇସି ନିନ୍ଦା କରିଥିଲା।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାନ୍ତି ଓ ସଦ୍‍ଭାବନା ବଜାୟ ରଖିବା ପାଇଁ ସର୍ବସାଧାରଣଙ୍କୁ ନିବେଦନ କରିଛନ୍ତି ବୋଲି ରବିଶ କୁମାର କହିଛନ୍ତି। ଏ ଘଟଣା ସଂକ୍ରାନ୍ତରେ କିଛି ବ୍ୟକ୍ତି ଓ ସଂଗଠନ ଦ୍ୱାରା ଦିଆଯାଉଥିବା ମନ୍ତବ୍ୟ ଗୁଡ଼ିକୁ ଉଲ୍ଲେଖ କରି ମୁଖପାତ୍ର କହିଛନ୍ତି, ଏଭଳି ମନ୍ତବ୍ୟ ଦେବା ପାଇଁ ଏହା ଉପଯୁକ୍ତ ସମୟ ନୁହେଁ କାରଣ ଏହା ଦ୍ୱାରା ଅଧିକ ସମସ୍ୟା ଓ ବିବାଦ ସୃଷ୍ଟିହେବ।

Comments are closed.