ସୀମାରେ ଶକ୍ତିବୃଦ୍ଧି କରୁଛି ଭାରତ, ଏଲଏସିକୁ ଗଲେ ୪୦କମ୍ପାନୀ ଆଇଟିବିପି ଯବାନ

ନୂଆଦିଲ୍ଲୀ : ଲଦାଖ ବିବାଦ ତୁଟାଇବାକୁ ଆଲୋଚନା ଜାରି ରହିଥିଲାବେଳେ ସୀମାନ୍ତରେ ଭାରତ ଶକ୍ତିବୃଦ୍ଧି କରିଚାଲିଛି। ଇଣ୍ଡୋ-ତିବ୍‌ବତାନ୍‌ ସୀମା ସୁରକ୍ଷା ବଳ (ଆଇଟିବିପି)ର ଅଧିକ ୪୦ କମ୍ପାନୀ ମଙ୍ଗଳବାର ଏଲଏସିର ବିଭିନ୍ନ ସ୍ଥାନରେ ପହଞ୍ଚିଛନ୍ତି। ସେମାନଙ୍କୁ ଲଦାଖ ଓ ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ଏଲଏସିରେ ମୁତୟନ କରାଯାଇଛି। ପାଟ୍ରୋଲିଂ କଡ଼ାକଡ଼ି କରିବା ପାଇଁ ସେମାନଙ୍କ ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଯାନବାହନ, ସ୍ନୋ-ସ୍କୁଟର ମଧ୍ୟ ପହଞ୍ଚିଛି। ଜାମ୍ମୁ, ଚଣ୍ଡିଗଡ଼, ଦିଲ୍ଲୀ ପ୍ରଭୃତି ଅଞ୍ଚଳରୁ ୧୫କମ୍ପାନୀ ଆଇଟିବିପି ଯବାନ ମଧ୍ୟ ସେଠାକୁ ଯାଇଛନ୍ତି। ଏଥିସହିତ ଭାରତ ଆଇଟିବିପିରେ ଥିବା ୪ହଜାର ସ୍ବତନ୍ତ୍ର ପାର୍ବତ୍ୟାଞ୍ଚଳ ଲଢ଼େଇ ତାଲିମପ୍ରାପ୍ତ ଯବାନଙ୍କୁ ସେଠାକୁ ପଠାଯାଇଛି। ସେମାନେ ଅତ୍ୟନ୍ତ ଥଣ୍ଡାରେ ଲଢ଼ିବା ଦକ୍ଷତା ମଧ୍ୟ ରଖିଛନ୍ତି। ସେମାନଙ୍କ ସହିତ ଦକ୍ଷ ଅଧିକାରୀମାନଙ୍କୁ ମଧ୍ୟ ସୀମାନ୍ତକୁ ପଠାଯାଇଛି। ଏହି ଟିମ୍‌ ୩୪୮୮କିମି ଦୀର୍ଘ ଏଲଏସିର ୧୮୦ ସୀମାନ୍ତ ପୋଷ୍ଟ ଓ ୫୦ ସ୍ବତନ୍ତ୍ର ଶିବିର ପରିଚାଳନା ଦାୟିତ୍ବରେ ରହିବେ।

Comments are closed.