ବୁଲେଟ ନୁହେଁ, ୱାଲେଟରେ ଦିଆଯିବ ଚୀନକୁ ଜବାବ (ଦେଖନ୍ତୁ ଭିଡିଓ)

ସମାଜ ପୋର୍ଟାଲ ଡେସ୍କ: ଚୀନ୍ ଏବଂ ଭାରତ ମଧ୍ୟରେ ବିବାଦ କିଛି ନୂଆ ନୁହେଁ। ପୂର୍ବରୁ ଅନେକ ଥର ସୀମାରେ ଚୀନ ଓ ଭାରତୀୟ ସେନା ମୁହାଁମୁହିଁ ହୋଇଛନ୍ତି ଏବଂ ଆମେ ସବୁ ଦେଶପ୍ରେମୀ ନାଗରିକ ହିସାବରେ ଯେତିକି ପାରିଛୁ ଆମ ଦେଶକୁ ସମର୍ଥନ କରିଛୁ କିନ୍ତୁ କେଉଁଠି ନା କେଉଁଠି ଆମେ ଏକଥା ମଧ୍ୟ ଗ୍ରହଣ କରି ନେଇଛୁ ଯେ ଚୀନକୁ ଜବାବ ଦେବାକୁ ଆମ ସେନା ଅଛି। କେବଳ ସେତିକି ନୁହେଁ, ପରିସ୍ଥିତି ଶାନ୍ତ ହେବ ପରେ ପୁଣି ଯଥାରୀତି ସମୟ ବିତି ଚାଲିଛି ଓ ଆମେ ନିରବ ହେଇଯାଉଛୁ। ତେବେ ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ ଚୀନ ଆମରି ଅର୍ଥରେ ତାର ସେନାକୁ ବନ୍ଧୁକ ଓ ଗୁଳି କିଣି ଦେଉଛି ଆମ ଦେଶର ସେନା ଉପରେ ଆକ୍ରମଣ କରିବା ପାଇଁ। ଯଦି ଆମେ ଏବେ ସଚେତନ ନ ହେବା, ପଦକ୍ଷେପ ନ ନେବା ତାହେଲେ ଆମେ କେବେ ବି ଚୀନକୁ ଉଚିତ ଜବାବ ଦେଇପାରିବା ନାହିଁ।

ଦେଶରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିଥିବା ଓ ପରିବେଶ ସୁରକ୍ଷା ଦିଗରେ ଅନେକ କାର୍ଯ୍ୟ କରିଥିବା ସୋନମ୍ ୱାଙ୍ଗଚୁକ୍ ଏକ ଭିଡିଓ ବାର୍ତ୍ତା ଜରିଆରେ ଏସବୁର ପ୍ରକୃତ କାରଣ ଖୋଜିବା ସହ ସମାଧାନର ସୂତ୍ର ମଧ୍ୟ କହିଛନ୍ତି। ଚୀନ ସେନାର ଉପସ୍ତିତି ଥିବା ଅଂଚଳର କିଛି ଦୂର ଅର୍ଥାତ ଲଦାଖରୁ ସୋନମ୍ ୱାଙ୍ଗଚୁକ୍ ଆରମ୍ଭ କରିଛନ୍ତି ତାଙ୍କ କଥା। ସେକହିଛନ୍ତି ଯେ ସାଧାରଣତଃ ଯେତେବେଳେ ସୀମାରେ ଉତ୍ତେଜନା ଦେଖାଯାଏ, ଆମ ତୁମ ପରି ନାଗରିକମାନେ ରାତିରେ ଏକଥା ଭାବି ଶୋଇ ଯାଆନ୍ତି ଯେ ସୈନିକମାନେ ଏହାର ଜବାବ ଦେବେ, କିନ୍ତୁ ଏଥର ଏହା କେବଳ ସାମରିକ ଜବାବ ନୁହେଁ ବରଂ ନାଗରିକମାନେ ଜବାବ ଦେବା ଆବଶ୍ୟକ କିନ୍ତୁ ଜଣେ ସାଧାରଣ ନାଗରିକ କଣ କରିପାରିବ ତାହା ଆମେ ଜାଣିବା ଆବଶ୍ୟକ।

ଚୀନର ଏହା ଭାରତ ସହ କାହିଁକି କରୁଛି ବୋଲି ପ୍ରଶ୍ନ କରିଛନ୍ତି ୱାଙ୍ଗଚୁକ୍ ଓ କହିଛନ୍ତି ଯେ ଏହା କେବଳ ଭାରତ ସହିତ ଘଟୁନାହିଁ, ଭିଏତନାମ, ତାଇୱାନ ଏବଂ ହଂକଂ ପ୍ରତି ମଧ୍ୟ ଏହା ଘଟୁଛି କିନ୍ତୁ ବାସ୍ତବ କଥା ହେଉଛି ଯେ ଚୀନ ଅନ୍ୟ ଦେଶ ସହ ଶତ୍ରୁତା ଅପେକ୍ଷା ନିଜ ଦେଶରେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ଅଧିକ କିଛି କରୁଛି। ଆଜି ଚୀନର ସବୁଠାରୁ ବଡ ଭୟ ତାର ଜନସାଧାରଣ। ଚୀନର ଏକଛତ୍ରବାଦୀ ସରକାର ପାଇଁ ସେଠାକାର ୧୪୦ କୋଟି ଜନସଂଖ୍ୟା କୌଣସି ମାନବିକ ଅଧିକାର ନ ଥାଇ ଗୋତି ଶ୍ରମିକ ପରି ଖଟୁଛନ୍ତି। ତେଣୁ ସେଠାରେ କାଳେ ବିପ୍ଳବ ପରିସ୍ଥିତି ସୃଷ୍ଟି ହେବା ସେ ନେଇ ଚୀନ ଭୟ କରୁଛି। ଦେଖନ୍ତୁ ଭିଡିଓ…

ସେ କହିଛନ୍ତି ଯେ ଏବେ ଚୀନ୍ କରୋନା ମହାମାରୀ ଦେଖାଦେବା ପରେ କଳକାରଖାନା ବନ୍ଦ କରିଦେଇଛି। ରପ୍ତାନି ବନ୍ଦ ହୋଇଛି ଏବଂ ବେକାରୀ ସଂଖ୍ୟା ୨୦ ପ୍ରତିଶତକୁ ବୃଦ୍ଧି ପାଇଛି। ସେଠାକାର ଲୋକମାନେ ଅସନ୍ତୁଷ୍ଟ ଅଛନ୍ତି ଏବଂ ଯେ କୌଣସି ସମୟରେ ବିପ୍ଳବ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ସେଥିପାଇଁ ଚୀନ୍ ପଡୋଶୀ ଦେଶମାନଙ୍କ ସହିତ ଶତ୍ରୁତା ସ୍ଥାପନ କରି ନିଜ ଲୋକଙ୍କ ସମର୍ଥନ ଗ୍ରହଣ କରୁଛି। ଚୀନ ଏହା ପ୍ରଥମ ଥର ପାଇଁ କରୁନାହିଁ। ଯେତେବେଳେ ଚୀନରେ ୪ବର୍ଷ ଧରି ଦୁର୍ଭିକ୍ଷ ଏବଂ ଅନାହାର ଲାଗି ରହିଥିଲା ସେତେବେଳେ ନିଜ ନାଗରିକମାନଙ୍କ ଧ୍ୟାନ ହଟାଇବା ପାଇଁ ୧୯୬୨ରେ ଭାରତ ସହିତ ଯୁଦ୍ଧ କରିଥିଲା। ୱାଙ୍ଗଚୁକ୍ କହିଛନ୍ତି, ଚୀନ୍ ପାଇଁ ଜିଡିପି ବୃଦ୍ଧି ଏବଂ ବିକାଶ ଜାରି ରଖିବା ଅତ୍ୟନ୍ତ ଜରୁରୀ ଏବଂ ଯେଉଁଦିନ ଜିଡିପି ହ୍ରାସ ହେବ ସେ ଦିନ ଲୋକମାନେ ବିପ୍ଳବ କରିବା ଆରମ୍ଭ କରିବେ।

ସୋନମ୍ ୱାଙ୍ଗଚୁକ୍ ସମାଧାନର ସୂତ୍ର ସୁଚାଇବା ଅବସରରେ କହିଛନ୍ତି, ଏଥର ଭାରତର ବୁଲେଟ୍ ଶକ୍ତି ଅପେକ୍ଷା ୱାଲେଟ ଶକ୍ତି ଅଧିକ କାମ ଦେବ। ସେ କହିଛନ୍ତି ଯେ କେବଳ ଚାଇନାର ସାମଗ୍ରୀ କିଣିବା ବିଷୟରେ ଯଦି ଆମେ ଚିନ୍ତା କରିବା, ଆମେମାନେ ଚୀନ୍ ଠାରୁ ପ୍ରତିବର୍ଷ ମୂର୍ତ୍ତି ଠାରୁ ଆରମ୍ଭ କରି ପୋଷାକ ପର୍ଯ୍ୟନ୍ତ ପାଞ୍ଚ ଲକ୍ଷ କୋଟି ଟଙ୍କାର ଦ୍ରବ୍ୟ କ୍ରୟ କରିଥାଉ ଏବଂ ସେହି ଟଙ୍କାରେ ଚୀନ ସୀମାରେ ଅସ୍ତ୍ରଶସ୍ତ୍ର ଏବଂ ବନ୍ଧୁକ କିଣି ଆମ ସୈନିକଙ୍କ ମୃତ୍ୟୁର କାରଣ ହୁଏ। ତେଣୁ ଯଦି ଆମ ଦେଶର ୧୩୦ କୋଟି ଲୋକ ଏବଂ ବିଦେଶରେ ରହୁଥିବା ତିନି କୋଟି ଭାରତୀୟ, ସମସ୍ତେ ଏକାଠି ହୋଇ ଚୀନ ତିଆରି ଦ୍ରବ୍ୟକୁ ଅଗ୍ରାହ୍ୟ କରିବା, ତାହା ହେଲେ ଚୀନର ଆର୍ଥିକ ଅବସ୍ଥା ଭୁଶୁଡି ପଡିବ ଓ ସେଠାକାର ଲୋକମାନେ ବିଦ୍ରୋହ କରିବେ ଯାହା ଫଳରେ ଚୀନରେ ଏକ ଛତ୍ରବାଦୀ ଶାସନର ଅନ୍ତ ଘଟିବ। ଯଦି ଆମେ ଏହା କରି ନପାରିବା, ତେବେ ଭାରତ ପାଇଁ ତାହା ଦୁର୍ଭାଗ୍ୟ ହେବ ବୋଲି ସେ କହିଛନ୍ତି।

ଗୋଟିଏ ପଟେ ଆମର ସେନା ସୀମାରେ ଯୁଦ୍ଧ କରିବ ଏବଂ ଅନ୍ୟ ପଟେ ଆମେ ମୋବାଇଲ୍ ଠାରୁ କମ୍ପ୍ୟୁଟର, ଚାଇନିଜ୍ ସାମଗ୍ରୀ କ୍ରୟ କରି ସେମାନଙ୍କ ସେନାକୁ ଟଙ୍କା ପଠାଇବୁ। ଅନ୍ୟ ପଟେ ଆମ ଯୁବ ପିଢ଼ି ବ୍ୟବହାର କରୁଥିବା ଚୀନ ତିଆରି ଆପ, ସଫ୍ଟୱେୟାର୍ ଓ ଗେମ୍ସରୁ ସେମାନଙ୍କୁ କୋଟି କୋଟି ଟଙ୍କା ପଠାଇବା କେତେ ଗ୍ରହଣୀୟ ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଆମକୁ ଏହାର ଜବାବ ଦେବାକୁ ପଡିବ ଏବଂ ଏହାକୁ ଏକ ଅଭିଯାନରେ ପରିଣତ କରିବାକୁ ପଡିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ମୁତାବକ ଆମେ ଆତ୍ମନିର୍ଭର ହେବା ଓ ଆମ ଦେଶର ଶିଳ୍ପର ଉତ୍ପାଦ ବ୍ୟବହାର କରିବା ଯାହା ଫଳରେ ଆମ ଦେଶର ବିକାଶ ହେବା ଏବଂ ଏହା ଶ୍ରମିକମାନଙ୍କୁ ମଧ୍ୟ ନିଯୁକ୍ତି ଯୋଗାଇବ। ସେ ନିବେଦନ କରିଛନ୍ତି ଯେ ଚୀନ ତିଆରି ଯେତେ ଆପ୍ ଏବଂ ସେବାଗୁଡିକ ଅଛି ସେଗୁଡିକୁ ଏକ ସପ୍ତାହ ମଧ୍ୟରେ ମୋବାଇଲରୁ ଅନଇନଷ୍ଟାଲ କରିବା ଓ ଚାଇନା ସଫ୍ଟୱେୟାର ମଧ୍ୟ ବ୍ୟବହାର କରିବା ନାହିଁ।

ସେ କହିଛନ୍ତି ଯେ ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ ଚୀନ ତିଆରି ସାମଗ୍ରୀ କ୍ରୟ କରିବା ନାହିଁ କାରଣ ଏକବିଂଶ ଶତାବ୍ଦୀରେ ଦେଶ ପାଇଁ ଜୀବନ ଦେବାର ଆବଶ୍ୟକତା ରହିଛି। ଶେଷରେ ସେ କହିଛନ୍ତି, ଏହା ହେଉଛି ପ୍ରକୃଷ୍ଟ ସମୟ ଯେତେବେଳେ ସମସ୍ତ ଭାରତୀୟ ସେମାନଙ୍କ ଭୂମିକା ଦିଗରେ ସଚେତନ ହେବେ।

Comments are closed.