ଭାରତରୁ ଆମଦାନୀ ଲୁହାରେ ଭାରତୀୟ ସେନାଙ୍କୁ ପିଟିିପିଟି ମାରିଛି ଚୀନ୍

ଭାରତ ଲୁହାରେ ଭାରତୀୟ ସେନାଙ୍କୁ ପିଟିପିଟି ମାରିଛି ଚୀନ । ଲାଦାଖରେ ଗତ ସୋମବାର ରାତିରେ ଯେଉଁ ହିଂସ୍ର ଗଣ୍ଡଗୋଳ ଘଟିଛି ସେଥିରେ ଚୀନ ସେନା ଲୁହା ଛଡ଼, ଲୁହା କଣ୍ଟା ଲଗା କାଠ ବ୍ୟାଟନ ବ୍ୟବହାର କରିଛି । ଏଥିରେ ଭାରତୀୟ ସେନାଙ୍କ ଜୀବନ ଯାଇଛି । ବିଡ଼ମ୍ବନା ହେଉଛି ଚୀନ ଭାରତ ଠାରୁ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ଲୁହା କିଣୁଛି ନିୟୁତ ନିୟୁତ କୋଟି ଟଙ୍କାର ଇସ୍ପାତ ରପ୍ତାନୀ କରୁଛି ଓ ନିଜ ସେନାକୁ ସମୃଦ୍ଧ କରି ଭାରତୀୟଙ୍କୁ ମାରୁଛି । ତଥ୍ୟ ଅନୁସାରେ ଗତ ୨୦ ବର୍ଷ ମଧ୍ୟରେ ଚୀନରୁ ଭାରତର ଆମଦାନୀ ପ୍ରାୟ ୪୫ଗୁଣ ବୃଦ୍ଧି ପାଇଛି ଏବଂ ଭାରତରୁ କଞ୍ଚାମାଲ ଖରିଦ କରି ସେଥିରେ ସାମଗ୍ରୀ ନିର୍ମାଣ କରି ଭାରତକୁ ଚୀନ୍ ବିକ୍ରି କରୁଛି । 

ଭୁବନେଶ୍ବର:  ଭାରତ-ଚୀନ୍ ସମ୍ପର୍କ କେବଳ ବ୍ୟବସାୟିକ ବୋଲି କୁହାଯାଉଥିଲେ ହେଁ ଏ କ୍ଷେତ୍ରରେ ଭାରତଠାରୁ ଚୀନ ଢ଼େର ଆଗରେ ରହିଛି । ଚୀନ୍ ଗତବର୍ଷ ଭାରତରୁ ୩୮୩୯ କୋଟି ଟଙ୍କାର ଲୁହା ଓ ଲୁହାଗୁଣ୍ଡ ଆମଦାନୀ କରିଛି । ଅପରପକ୍ଷରେ ଭାରତକୁ ୧୧୯୫୮ କୋଟି ଟଙ୍କାର ଇସ୍ପାତ, ଲୌହ ସାମଗ୍ରୀ ଓ ଲୁହା ପେଲେଟ୍ ରପ୍ତାନୀ କରିଛି । ଏହା ହେଉଛି ଏକମାତ୍ର ଓ ଛୋଟ ଉଦାହରଣ । ଅନ୍ୟ କ୍ଷେତ୍ରରେ ମଧ୍ୟ ଅନୁରୂପ ଆମଦାନୀ ରପ୍ତାନୀ ରହିଛି । ଔଷଧ ନିମନ୍ତେ ଆବଶ୍ୟକୀୟ କଞ୍ଚାମାଲଠାରୁ ପ୍ଲାଷ୍ଟିକ୍  ପର୍ଯ୍ୟନ୍ତ ଏହାର ଉଦାହରଣ ଢ଼େର ଲମ୍ବା ।

ବାସ୍ତବିକତା ହେଉଛି ଭାରତ ଚୀନକୁ ବିଶେଷଭାବରେ କଞ୍ଚାମାଲ ରପ୍ତାନୀ କରିଥାଏ । ଏଥିରେ ଚୀନ୍ ଭାରତୀୟଙ୍କ ଆବଶ୍ୟକତା ସାମଗ୍ରୀ ନର୍ମାଣ କରି ଭାରତକୁ ରପ୍ତାନୀ କରିଥାଏ । ଚୀନରେ ହୋଲି ଖେଳ ହୁଏନାହିଁ, କିନ୍ତୁ ହଜାର ହଜାର ଟନ୍ ଅବିର ଚୀନ୍ ଭାରତକୁ ରପ୍ତାନୀ କରିଥାଏ । ଚୀନରେ ରାକ୍ଷୀ ବନ୍ଧନ ପର୍ବ ବା ଦୀପାବଳୀ ପର୍ବ ପାଳନ ହୁଏ ନାହିଁ । ମାତ୍ର ହଜାର ହଜାର କୋଟି ଟଙ୍କାର ରାକ୍ଷୀ ଓ ଫୋଟକା ଭାରତ ଚୀନଠାରୁ ଆମଦାନୀ କରିଥିବା ଦେଖାଯାଏ ।

ଚୀନରୁ ଆମଦାନୀ ଓ ରପ୍ତାନୀ ସାମଗ୍ରୀକୁ ତୁଳନା କରାଗଲେ ଭାରତ ଚୀନକୁ ଯାହା ସବୁ ରପ୍ତାନୀ କରୁଛି ତାହାର ୫୦% ହେଉଛି କଞ୍ଚାମାଲ । ଅନ୍ୟପକ୍ଷରେ ଭାରତ ଚୀନ୍ ଠାରୁ ଯାହା ସବୁ ଆମଦାନୀ କରୁଛି ତାହାର ୯୦% ହେଉଛି ଭାରତୀୟ କଞ୍ଚାମାଲରେ ପ୍ରସ୍ତୁତ ସାମଗ୍ରୀ । ଏହାଦ୍ବାରା ଭାରତ କ୍ଷତିଗ୍ରସ୍ତ ହେଉଛି ଓ ଚୀନ୍ ଲାଭବାନ ହେଉଛି ।

୨୦ ବର୍ଷରେ ୪୫ ଗୁଣ ବଢ଼ିଛି ଆମଦାନୀ

ଆମଦାନୀ ରପ୍ତାନୀ ନେଇ ତୁଳନା କରାଗଲେ ଗତ ୨୦ ବର୍ଷ ମଧ୍ୟରେ ଚୀନରୁ ଭାରତର ଆମଦାନୀ ୪୫ ଗୁଣ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଭାରତ ଚୀନକୁ ରପ୍ତାନୀକୁ ଅନୁଧ୍ୟାନ କଲେ ଏହା ମାତ୍ର ଅଳ୍ପ କିଛି ପରିମାଣର ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କ ୨୦୧୯-୨୦ ଆମଦାନୀ ଓ ରପ୍ତାନୀକୁ ଅନୁଧ୍ୟାନ କଲେ ଭାରତ ଚୀନକୁ ୧.୧୦ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ରପ୍ତାନୀ କରିଛି, ଅନ୍ୟପକ୍ଷରେ ଚୀନରୁ ଭାରତ ୪.୪୦ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଆମଦାନୀ କରିଛି ।

ଭାରତରେ ଚୀନା କମ୍ପାନୀର ବିପୁଳ ନିବେଶ

ମୁମ୍ବାଇର ବୈଦେଶିକ ମାମଲାର ଥିଙ୍କଟ୍ୟାଙ୍କ ‘ଗେଟୱେ ହାଉସ’ ଅନୁସାରେ ଭାରତରେ ପ୍ରାୟ ୭୫ରୁ ଅଧିକ କମ୍ପାନୀରେ ଚୀନର ନିବେଶ ବିପୁଳ ପରିମାଣର ହୋଇଛି । ଏଥିରେ ରହିଛି ଇ-କମର୍ସ କମ୍ପାନୀ, ଫିନଟେକ୍, ମିଡ଼ିଆ ଓ ସୋସିଆଲ ମିଡ଼ିଆ, କୃଷି ସମ୍ବନ୍ଧୀୟ ସାମଗ୍ରୀ ନିର୍ମାଣ କମ୍ପାନୀ, ଲଜିଷ୍ଟିକ୍ ଆଦି କ୍ଷେତ୍ରରେ ଏହି ନିବେଶ ରହିଛି । ଟିକିଏ ନିରିଖେଇ ଦେଖିଲେ ଆମେରିକା ପରେ ଚୀନ୍ ଭାରତୀୟ କମ୍ପାନୀଗୁଡ଼ିକରେ ଦ୍ବିତୀୟ ବୃହତ୍ତମ ଅଂଶଧନ ଲଗାଇଛି ।

ଭାରତୀୟ ଷ୍ଟାର୍ଟଅପରେ ବି ଚୀନର ପ୍ରବେଶ

ଭାରତ ସରକାର ଦେଶର ଯୁବକ ଓ ଦେଶର ଶିଳ୍ପକୁ ପ୍ରୋତ୍ସାହିତ କରିବା ନିମନ୍ତେ ଯେଉଁ ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି ସେଥିରେ ବି ଚୀନ ପ୍ରବେଶ କରିଛି । ଗତ ବର୍ଷ ଚୀନ୍ କମ୍ପାନୀ ଭାରତରେ ୨୩ଟି ଷ୍ଟାର୍ଟଅପ୍ ଚୁକ୍ତିବଦ୍ଧ ହୋଇଛି ଏବଂ ଏଥିରେ ୩୫ ହଜାର କୋଟି ଟଙ୍କା ନିବେଶ କରିଛି । ନିକଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତରେ ୩୦ ୟୁନିକର୍ଣ୍ଣ ମଧ୍ୟରୁ ଚୀନା କମ୍ପାନୀଗୁଡ଼ିକ ୧୮ଟିରେ ଅଂଶୀଦାର ଅଛନ୍ତି । ୟୁନିକର୍ଣ୍ଣ ଷ୍ଟାର୍ଟଅପ୍ ସେହି କମ୍ପାନୀଗୁଡ଼ିକୁ କୁହାଯାଏ ଯାହା ମୂଲ୍ୟାୟନ ୧୦୦ କୋଟି ଡ଼ଲାର (୭୬୦୦ କୋଟି ଟଙ୍କା)ରୁ ଅଧିକ ରହିଥାଏ । ଏଥିରେ ପେଟିଏମ୍, ଜେମେଟୋ, ବାୟଜୁ ଓ ଓଲା ପରି ବଡ଼ ସଂସ୍ଥା ରହିଛି ।

ଚୀନରୁ ପ୍ରମୁଖ ଆମଦାନୀ ସାମଗ୍ରୀ

ଭାରତ ଚୀନରୁ ବିଶେଷ ଭାବରେ ବିଜୁଳି ସାମଗ୍ରୀ ଓ ଯନ୍ତ୍ରାଂଶ, ଟିଭି, ମେସିନ, ପରମାଣୁ ରିଆକ୍ଟର, ବଏଲର, ଜୈବିକ ରସାୟନ, ପ୍ଲାଷ୍ଟିକ ଓ ଏଥିରୁ ନିର୍ମିତ ସାମଗ୍ରୀ, ସାର, ଲୁହା ଓ ଷ୍ଟିଲ ସାମଗ୍ରୀ, ଅପ୍ଟିକାଲ ସାମଗ୍ରୀ, ଫଟୋ ସାମଗ୍ରୀ, ସିନେମା ଉପକରଣ, ମେଡ଼ିକାଲ ସାମଗ୍ରୀ, ଗାଡ଼ିର ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ରାସାୟନିକ ସାମଗ୍ରୀ ଆମଦାନୀ କରିଥାଏ ।

ଚୀନକୁ ଭାରତରୁ ରପ୍ତାନୀ ସାମଗ୍ରୀ

ଭାରତ ଚୀନକୁ ବିଶେଷ ଭାବରେ ଜୈବିକ ରସାୟନ, ଖଣିଜ ତୈଳ, ଅଙ୍ଗାର, ମାଛ, କପା, ବିଦ୍ୟୁତ ମେସିନାରୀ,ଲୁଣ, ସଲଫର, ସିମେଣ୍ଟ, ଲୁହା, ଲୁହାଗୁଣ୍ଡ ରପ୍ତାନୀ କରିଥାଏ ।

ଔଷଧ ନିର୍ମାଣରେ  ଚୀନ ଉପରେ ନିର୍ଭରଶୀଳ

ଔଷଧ ପ୍ରସ୍ତୁତି ଓ ରପ୍ତାନୀ କ୍ଷେତ୍ରରେ ଭାରତ ବିଶ୍ବର ଶୀର୍ଷ ଦେଶ ମଧ୍ୟରେ ସାମିଲ । ମାତ୍ର ଏହାର ପ୍ରସ୍ତୁତି ନିମନ୍ତେ ଆବଶ୍ୟକୀୟ କଞ୍ଚାମାଲ ଉପରେ ଭାରତ ଚୀନ୍ ଉପରେ ନିର୍ଭରଶୀଳ । ଭାରତରେ ପ୍ରସ୍ତୁତ ହେଉଥିବା ଔଷଧର ପ୍ରାୟ ୭୦% କଞ୍ଚାମାଲ ଚୀନଠାରୁ ଆମଦାନୀ ହୋଇଥାଏ । ୨୦୧୮-୧୯ରେ ଭାରତ ଚୀନରୁ ୨୪୦ କୋଟି ଡ଼ଲାର ମୂଲ୍ୟର ଔଷଧ ଓ ଔଷଧ ନିର୍ମାଣ ନିମନ୍ତେ ଆବଶ୍ୟକୀୟ କଞ୍ଚାମାଲ ଚୀନରୁ ଆମଦାନୀ କରିଛି ।

ଚୀନ ଦଖଲରେ  ସୌର ଶକ୍ତି ବଜାର 

ଭାରତ ସୌର ଶକ୍ତି ଉତ୍ପାଦନ ବୃଦ୍ଧି ନିମନ୍ତେ ଆହ୍ବାନ ଦେଇଛି । ମାତ୍ର ଭାରତୀୟ ସୌର ଶକ୍ତି ବଜାର ସମ୍ପୂର୍ଣ୍ଣ ଭାବରେ ଚୀନ କବଳିତ । ଭାରତର ସୌର ଶକ୍ତି ବଜାର ଆକାର ୩୭୯୧୬ ମେଗାୱାଟ, ମାତ୍ର ଏଥିରେ ଚୀନ୍ କମ୍ପାନୀଗୁଡ଼ିକ ୯୦% ଅଂଶୀଦାର ଥିବା ସୂଚନା ମିଳିଛି ।

ଷ୍ଟିଲ ବଜାରରେ ୨୦% ଚୀନ ଭାଗିଦାରୀ

ଦେଶରେ ବାର୍ଷିକ ଷ୍ଟିଲ ଆବଶ୍ୟକତା ପ୍ରାୟ ୧୦୮.୫ ନିୟୁତ ଟନ୍ । ମାତ୍ର ଏହାମଧ୍ୟରୁ ପ୍ରାୟ ୧୮%ରୁ ୨୦% ଚୀନର ଭାଗିଦାରୀ ରହିଛି । କିଛି ଉତ୍ପାଦ ଚୀନ ଏତେ ଶସ୍ତାରେ ଭାରତକୁ ରପ୍ତାନୀ କରୁଛି ଯେ ସମାନ ମୂଲ୍ୟରେ ଉତ୍ପାଦନ ଭାରତରେ ସମ୍ଭବ ହୋଇପାରୁ ନାହିଁ ।

Comments are closed.