ସୀମାରେ ୧୦ ଲକ୍ଷ ସୈନ୍ୟ ମୁହାଁମୁହିଁ

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି ଭାରତ ଓ ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)କୁ ନେଇ ବିବାଦ ଲାଗିରହିଥିବାବେଳେ ଏକାଧିକ ଥର ଦୁଇ ଦେଶର କୋର୍‍ କମାଣ୍ଡରସ୍ତରୀୟ ଆଲୋଚନା ସତ୍ତ୍ବେ ସେଥିରୁ କୌଣସି ସମାଧାନ ସୂତ୍ର ବାହାରୁନାହିଁ। ଭାରତ ପକ୍ଷରୁ ଦିଆଯାଉଥିବା ପ୍ରସ୍ତାବରେ ଚୀନ ଆଦୌ ରାଜି ହେଉନଥିବାରୁ ଶାନ୍ତି ଆଲୋଚନାକୁ ସ୍ଥଗିତ ରଖାଯାଉଛି। ଅନ୍ୟପକ୍ଷରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ ପରିପ୍ରେକ୍ଷୀରେ ଚୀନ ପକ୍ଷରୁ ଅନୁରୂପ ହରକତ ଭାରତ ଆଶଙ୍କା କରୁଛି। ସେଭଳି ପରିସ୍ଥିତିରେ ଚୀନକୁ ମୁହଁତୋଡ ଜବାବ ଦେବାକୁ ଭାରତ ସରକାର ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି। ନିକଟରେ ଭାରତ ପକ୍ଷରୁ ପ୍ରକୃତ ନିୟନ୍ତ୍ରଣ ରେଖାରେ ଆଉ ୬ଟି ଡିଭିଜନକୁ ମୁତୟନ କରାଯାଇଛି। ସେଥିରେ ମୋଟ ୫୦ ହଜାର ସୈନ୍ୟ ରହିଥିବା ଜଣାଯାଇଛି। ସେମାନଙ୍କୁ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରୁ ଚୀନ ସହିତ ଲାଗିଥିବା ଏଲଏସିକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ତିନିଟି ଡିଭିଜନ ପାକିସ୍ତାନ ସୀମାରେ ଆତଙ୍କବାଦ ମୁକାବିଲା କାର୍ଯ୍ୟରେ ନିୟୋଜିତ ଥିଲେ। ଏଥିସହିତ ଦେଶର ଉତ୍ତର ପୂର୍ବ ଭାଗରେ ଆତଙ୍କବାଦ ମୁକାବିଲା ଅଭିଯାନରେ ମୁତୟନ ହୋଇଥିବା ସୈନ୍ୟଙ୍କୁ ମଧ୍ୟ ଏଲଏସିକୁ ଅଣାଯାଇଛି। ସେଥିମଧ୍ୟରେ ଆସାମର ତେଜପୁରସ୍ଥିତ ଗଜରାଜପୁରେ ଉଗ୍ରବାଦ ମୁକାବିଲାରେ ନିୟୋଜିତ ଡିଭିଜନକୁ ମଧ୍ୟ ଚୀନ ସୀମାକୁ ପଠାଯାଇଛି। ଉତ୍ତରପ୍ରଦେଶରେ ଥିବା ସେନାର ଦୁଇଟି ଡିଭିଜନ ମଧ୍ୟ ଲଦାଖରେ ମୁତୟନ ହୋଇଛନ୍ତି। ଉତ୍ତରାଖଣ୍ଡସ୍ଥିତ ଏକ ଷ୍ଟ୍ରାଇକ୍‍ କୋର୍‍କୁ ସମ୍ପୂର୍ଣ୍ଣ ଭାବରେ ସେଣ୍ଟ୍ରାଲ କମାଣ୍ଡ ଅଧୀନକୁ ଅଣାଯାଇଛି।

ପୂର୍ବରୁ ୧୭ ମାଉଣ୍ଟେନ ଷ୍ଟ୍ରାଇକ୍‍ କର୍ପ୍‍ସ୍‍ କେବଳ ଲଦାଖ ସେକ୍ଟରରେ କାର୍ଯ୍ୟ କରୁଥିବାବେଳେ ସେମାନଙ୍କୁ ଝାଡଖଣ୍ଡରୁ ଆଉ ଏକ ଡିଭିଜନ ସୈନ୍ୟ ଦିଆଯାଇଛି। ଏଲଏସିରେ ମୁତୟନ ହୋଇଥିବା ରାଷ୍ଟ୍ରୀୟ ରାଇଫଲ୍ସକୁ ଅଧିକ ସଶକ୍ତ କରାଯିବା ସହିତ ସେମାନଙ୍କର ଆଉ ତିନି ଡିଭିଜନକୁ ସେଠାରେ ମୁତୟନ କରାଯାଇଛି। ଏହାଦ୍ୱାରା ଭାରତ ସରକାର ଉତ୍ତର ସୀମାନ୍ତର ସୁରକ୍ଷା ବ୍ୟବସ୍ଥା ଉପରେ ସମ୍ପ୍ରତି ସର୍ବାଧିକ ପ୍ରାଧାନ୍ୟ ଦେଉଥିବା ଜଣାଯାଇଛି। ଚୀନ ପକ୍ଷରୁ ବାରମ୍ବାର ସୀମା ଉଲ୍ଲଂଘନ ପ୍ରୟାସ କରାଯାଉଥିବାବେଳେ ସେମାନଙ୍କର ଏଭଳି ଅପଚେଷ୍ଟାକୁ ପଣ୍ଡ କରିବା ସକାଶେ ଭାରତୀୟ ସୈନ୍ୟ ପ୍ରସ୍ତୁତ ଅଛନ୍ତି। ଜେନେରାଲ ପାଣ୍ଡେ ଭାରତୀୟ ସ୍ଥଳସେନାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ଦେଶର ସୀମାରେଖାର ସୁରକ୍ଷା ତାଙ୍କ ପାଇଁ ପ୍ରଥମ କାମ ହେବ ବୋଲି ଦୃଢତାର ସହିତ କହିଥିଲେ। ଏଥିସହିତ ସେ କହିଥିଲେ ଯେ ଚୀନର ବିସ୍ତାରବାଦୀ ନୀତିକୁ ଦେଖି ଗତ ଦୁଇବର୍ଷ ମଧ୍ୟରେ ଏଲଏସିରେ ଭାରତ ତାହାର ସାମରିକ ଶକ୍ତି ଯଥେଷ୍ଟ ବୃଦ୍ଧି କରିଛି। ଚୀନ ଅରୁଣାଚଳ ସୀମାନ୍ତରେ ନିଜର ଗ୍ରାମ ବସାଇବା ସହିତ ସୀମାନ୍ତରେ ଅନେକ ସ୍ଥାୟୀ ନିର୍ମାଣ କରିଛି। ଏଭଳି ପରିସ୍ଥିତିରେ ଲଦାଖରେ ପୂର୍ବ ଅବସ୍ଥା ଫେରାଇ ଆଣିବା ଭାରତର ଲକ୍ଷ୍ୟ ବୋଲି ସେ କହିଛନ୍ତି। ସୀମାନ୍ତରେ ଚୀନ ପକ୍ଷରୁ ପ୍ରାୟ ୫ ଲକ୍ଷ ସୈନ୍ୟ ମୁତୟନ କରାଯାଇଥିବାବେଳେ ଭାରତ ମଧ୍ୟ ନିଜ ସୈନ୍ୟ ମୁତୟନ ସଂଖ୍ୟା ୫ ଲକ୍ଷକୁ ବୃଦ୍ଧି କରିଛି। ଫଳରେ ଭାରତ-ଚୀନ ଏଲଏସି ସମ୍ପ୍ରତି ସବୁଠାରୁ ଉତ୍ତେଜନାପୂର୍ଣ୍ଣ ସ୍ଥାନ ପାଲଟିଛି।

ଅନ୍ୟପକ୍ଷରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେପାଳ ଗସ୍ତକୁ ନେଇ ଚୀନରେ ହଇଚଇ ସୃଷ୍ଟିହୋଇଛି। ନେପାଳ ପ୍ରଧାନମନ୍ତ୍ରୀ ଭାରତ ଗସ୍ତକରିବାର କିଛିଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ନେପାଳ ଗସ୍ତ ଚୀନର ନିଦ ହଜାଇ ଦେଇଛି। ନେପାଳରେ ଚୀନ ଦ୍ୱାରା ନିର୍ମିତ ବିମାନବନ୍ଦରରେ ମୋଦି ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଠାରୁ ମୋଦି ଲୁମ୍ବିନି ଯାତ୍ରା କରିଥିଲେ। ସୂଚନାଯୋଗ୍ୟ ଯେ ଚୀନ ନିଜର ବିସ୍ତାରବାଦୀ ନୀତି ବଜାୟ ରଖି ନେପାଳ ଅଞ୍ଚଳକୁ ଜବରଦଖଲ କରି ସେଠାରେ ଅନେକ ନିର୍ମାଣ କରିସାରିଛି। ଏହା ତାହାର ସୀମାକୁ ଲାଗିଥିବା ନେପାଳର ଅନେକ ଗ୍ରାମକୁ ନିଜର ବୋଲି ଦାବିକରି ସେଠାରେ ନିଜର ସୈନ୍ୟ ମୁତୟନ କରିଛି। ନେପାଳରେ ଚୀନ କମୁନିଷ୍ଟ ପାର୍ଟିର ପ୍ରଭାବକୁ କ୍ଷୁଣ୍ଣ କରିବାକୁ ଭାରତ ପକ୍ଷରୁ ଚାଲିଥିବା କୂଟନୈତିକ ପ୍ରୟାସରେ ଚୀନ କ୍ଷୁବ୍ଧ ହୋଇଛି। ପୂର୍ବରୁ ନେପାଳ ପ୍ରଧାନମନ୍ତ୍ରୀ ଥିବା କେ ପି ଶର୍ମା ଓଲି ଚୀନ କଥାରେ ପରିଚାଳିତ ହୋଇ ଭାରତକୁ ଅନେକ କ୍ଷେତ୍ରରେ ବିରୋଧ କରିବା ପରେ ଦୁଇଦେଶ ମଧ୍ୟରେ ସମ୍ପର୍କରେ ଶିଥିଳତା ଆସିଥିଲା। ତେବେ ଶେର ବାହାଦୂର ଦେଉବା ନେପାଳ ପ୍ରଧାନମନ୍ତ୍ରୀ ହେବାପରେ ଭାରତ-ନେପାଳ ସମ୍ପର୍କରେ ସୁଧାର ଆସିଛି ଏବଂ ଭାରତ ସେଠାରେ ଏକାଧିକ ଯୌଥ ପ୍ରକଳ୍ପ ମଧ୍ୟ ଆରମ୍ଭ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ନେପାଳ ଗସ୍ତ ଅବସରରେ ୬ଟି ମିଳିତ ପ୍ରକଳ୍ପ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୁମ୍ବିନି ଗସ୍ତର ଦିନକ ପରେ ସାଉଥ ବ୍ଲକରେ କାର୍ଯ୍ୟରତ ନବୀନ ଶ୍ରୀବାସ୍ତବଙ୍କୁ ନେପାଳରେ ଭାରତର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଯାଇଥିଲା। ବୈଦେଶିକ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରୁଥିବା ଶ୍ରୀବାସ୍ତବ ଚୀନ ପ୍ରସଙ୍ଗରେ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଥିଲେ। ସେ ପୂର୍ବ ଲଦାଖରେ ଦେଖାଦେଇଥିବା ସୀମା ବିବାଦର ସମାଧାନ ନିମନ୍ତେ ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ଏକାଧିକ ପର୍ଯ୍ୟାୟ କୂଟନୈତିକ ସ୍ତରୀୟ ଆଲୋଚନାରେ ଭାରତୀୟ ପ୍ରତିନିଧିଦଳର ନେତୃତ୍ୱ ନେଇଛନ୍ତି। ତାହାସହିତ ଦୁଇଦେଶ ମଧ୍ୟରେ ସାମରିକ ସ୍ତରୀୟ ଆଲୋଚନାରେ ମଧ୍ୟ ସେ ସାମିଲ ଥିଲେ। ସ୍ଥଳଭାଗ ପରିବେଷ୍ଟିତ ନେପାଳ ତାହାର ଜରୁରୀ ଆବଶ୍ୟକତା ଏବଂ ସାମୁଦ୍ରିକ ଆମଦାନୀ ନିମନ୍ତେ ଭାରତ ଉପରେ ନିର୍ଭର କରିଥାଏ। ଉଭୟ ମୋଦି ଏବଂ ଦେଉବା ଅନେକ ଥର ଦୁଇଦେଶ ମଧ୍ୟରେ ରୋଟି-ବେଟି ସମ୍ପର୍କ କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ଦେଉବା ପ୍ରଧାନମନ୍ତ୍ରୀ ହେବାପରେ ଚୀନ ରାଷ୍ଟ୍ରପତି ନିଜର ବୈଦେଶିକ ମନ୍ତ୍ରୀଙ୍କୁ ନେପାଳ ପଠାଇ ବିଆର୍‍ଆଇ ଯୋଜନାକୁ ଅନୁମୋଦନ କରିବାକୁ କହିଥିଲେ। କିନ୍ତୁ ଶ୍ରୀଲଙ୍କା ପ୍ରସଙ୍ଗରୁ ଶିକ୍ଷାଲାଭ କରିଥିବା ନେପାଳ ସରକାର ଏହି ପ୍ରସ୍ତାବକୁ ପ୍ରତ୍ୟଖ୍ୟାନ କରିଦେଇଥିଲେ। ଏପରିକି ନେପାଳର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଚୀନ ପରିବର୍ତ୍ତେ ଭାରତୀୟ କମ୍ପାନୀକୁ ଦେବାପାଇଁ ସ୍ଥିର କରିବା ସହିତ ଏହା ଉପରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ଏଥିରେ କ୍ଷୁବ୍ଧ ଚୀନ ଏଲଏସିରେ ବାରମ୍ବାର ଭାରତକୁ ଉସୁକାଇବାର ଅପଚେଷ୍ଟା କରୁଛି।

Comments are closed.