ସୀମାରେ କମିବ ଉତ୍ତେଜନା: ରାଜି ହେଲେ ଚୀନ-ଭାରତ

ଡୋଭାଲ୍‍-ୱାଙ୍ଗ୍‍ ଟେଲିଫୋନ ଆଲୋଚନା ଶେଷ

ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍‍ ଡୋଭାଲ୍‍ ଓ ଚୀନ୍‍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍‍ ୟି ଟେଲିଫୋନ୍‍ ଯୋଗେ ସୀମା ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଦୁଇ ଦେଶର ସ୍ୱତନ୍ତ୍ର ପ୍ରତିନିଧି ଦ୍ୱୟଙ୍କ ମଧ୍ୟରେ ଖୋଲାଖୋଲି ତଥା ପୁଙ୍ଖାନୁପୁଙ୍ଖ କଥାବାର୍ତ୍ତା ହୋଇଛି। ଭାରତ ଚୀନ୍‍ ସୀମା ଅଞ୍ଚଳର ପଶ୍ଚିମ ସେକ୍ଟର ଘଟଣା ଉପରେ ସେମାନେ ଆଲୋଚନା କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛି, ଭାରତ ଓ ଚୀନ୍‍ ମଧ୍ୟରେ ଦ୍ବିପକ୍ଷୀୟ ସମ୍ପର୍କ ବୃଦ୍ଧି ପାଇଁ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରହିବା ଅତ୍ୟନ୍ତ ଜରୁରୀ ବୋଲି ଉଭୟ ଦେଶର ନେତୃବୃନ୍ଦଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସହମତି ଅନୁସାରେ ଉଭୟ ପକ୍ଷ କାର୍ଯ୍ୟ କରିବା ଉଚିତ୍‍ ବୋଲି ସେମାନେ ଏକମତ ହୋଇଛନ୍ତି।

ଦୁଇ ପକ୍ଷ ମଧ୍ୟରେ ମତପାର୍ଥକ୍ୟ ଯେପରି ବିବାଦ ରୂପ ନ ନିଏ ତାହା ନିଶ୍ଚିତ କରିବାକୁ ସେମାନେ ଏକମତ ହୋଇଛନ୍ତି। ଏଥିପାଇଁ ପ୍ରକୃତ ନିୟନ୍ତ୍ରଣ ରେଖାରେ ଯେତେ ଶୀଘ୍ର ସମ୍ଭବ ସୈନ୍ୟ ଅପସାରଣ ଓ ସୀମାରେ ଉତ୍ତେଜନା ହ୍ରାସ ଅତ୍ୟନ୍ତ ଅପରିହାର୍ଯ୍ୟ। ଏହାଦ୍ୱାରା ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଫେରି ଆସିବ ବୋଲି ଉଭୟ ପ୍ରତିନିଧି ମତବ୍ୟକ୍ତ କରିଛନ୍ତି। ଏ କ୍ଷେତ୍ରରେ ବର୍ତ୍ତମାନ ଚାଲିଥିବା ସୈନ୍ୟ ଅପସାରଣକୁ ତ୍ୱରାନ୍ୱିତ କରିବାକୁ ସେମାନେ ମତବ୍ୟକ୍ତ କରିଛନ୍ତି। ତା ଛଡ଼ା ଭାରତ ଚୀନ୍‍ ସୀମା ଅଞ୍ଚଳରେ ପର୍ଯ୍ୟାୟ କ୍ରମେ ଉତ୍ତେଜନା ହ୍ରାସକୁ ନିଶ୍ଚିତ କରାଯିବା ପାଇଁ ଉଭୟ ପକ୍ଷ ପ୍ରକୃତ ନିୟନ୍ତ୍ରଣ ରେଖାକୁ କଡ଼ାକଡ଼ି ଭାବେ ସମ୍ମାନ ପ୍ରଦର୍ଶନ କରିବାକୁ ସେମାନେ ଦୋହରାଇବା ସହ ସ୍ଥିତାବସ୍ଥା ଉପରେ କୌଣସି ଏକତରଫା ପଦକ୍ଷେପ ନ ନେବା ଓ ଭବିଷ୍ୟତରେ ଏଭଳି କୌଣସି ଘଟଣା ନ ଘଟିବା ପାଇଁ ସଜାଗ ରହିବାକୁ ଉଭୟ ପ୍ରତିନିଧି ମତବ୍ୟକ୍ତ କରିଛନ୍ତି। ଉଭୟ ଦେଶର ସାମରିକ ଓ କୂଟନୈତିକ ଅଫିସରମାନଙ୍କ ମଧ୍ୟରେ ଆଲୋଚନା ଜାରି ରହିବା ପାଇଁ ସ୍ୱତନ୍ତ୍ର ପ୍ରତିନିଧି ଦ୍ୱୟ ଏକମତ ହୋଇଛନ୍ତି।

ଭାରତ ଚୀନ୍‍ ସୀମାରେ ବାର୍ତ୍ତାଳାପ ଓ ସମନ୍ୱୟ ଜରିଆରେ କାର୍ଯ୍ୟ କରିବାକୁ ସେମାନେ ମତବ୍ୟକ୍ତ କରିଛନ୍ତି। ଦୁଇ ଦେଶର ସ୍ୱତନ୍ତ୍ର ପ୍ରତିନିଧି ଦ୍ୱୟ ଶାନ୍ତି ଓ ସ୍ଥିରତା ପାଇଁ ସେମାନଙ୍କ ମଧ୍ୟରେ ବାର୍ତ୍ତାଳାପ ଜାରି ରଖିବାକୁ ସହମତିରେ ଉପନିତ ହୋଇଛନ୍ତି। ଏହି କଥାବାର୍ତ୍ତା ଉଭୟ ପକ୍ଷ ମଧ୍ୟରେ ସ୍ୱାକ୍ଷରିତ ଦ୍ବିପକ୍ଷୀୟ ରାଜିନାମା ଭିତ୍ତିରେ ହେବ।