ଇଞ୍ଚେ ବି ଦେବୁନି – ଭାରତ

ଭାରତୀୟ ଅଞ୍ଚଳକୁ ନେଇ କୌଣସି ବୁଝାମଣା ହୋଇପାରିବ ନାହିଁ। ଚୀନ ସେନା ପ୍ରଥମେ ଅନୁପ୍ରବେଶ ଅଞ୍ଚଳରୁ ପଛକୁ ହଟନ୍ତୁ ଓ ଏଲଏସିର ସ୍ଥିତାବସ୍ଥା ବଜାୟ ରଖନ୍ତୁ ବୋଲି ଭାରତ ପକ୍ଷରୁ ପଞ୍ଚମ ସେନା କମାଣ୍ଡରସ୍ତରୀୟ ଆଲୋଚନାରେ ଭାରତ ପକ୍ଷରୁ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଛି। ରବିବାର ଅନୁଷ୍ଠିତ ଏହି ବୈଠକ ସକାଳ ୧୧ଟାରୁ ରାତି ପ୍ରାୟ ସାଢ଼େ ୧୦ଟା ପର୍ୟ୍ୟନ୍ତ ଚାଲିଥିଲା। ଚୀନ ସେନା ସମ୍ପୂର୍ଣ୍ଣ ଭାବେ ମଇ ୫ ପୂର୍ବ ସ୍ଥିତିକୁ ଫେରିବାକୁ ଭାରତ ଦାବି ଜଣାଇଛି।
ସୂଚନାନୁଯାୟୀ, ପାନଗଙ୍ଗ ହ୍ରଦ ଓ ଫିଙ୍ଗର-୪ ଭଳି ଅଞ୍ଚଳରୁ ଚୀନ ସେନା ହଟୁ ନାହାନ୍ତି। ସେମାନେ ଏହି ଅଞ୍ଚଳର ବାସ୍ତବ ସ୍ଥିତିକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି କରୁଛନ୍ତି। ସେଥିପାଇଁ ଆଲୋଚନା ଆଗେଇପାରୁ ନାହେିଁ ବୋଲି ଚୀନ ଦର୍ଶାଉଛି। ଏହା ସତ୍ତ୍ବେ ପର୍ୟ୍ୟାୟକ୍ରମେ ସୈନ୍ୟ ପ୍ରତ୍ୟାହାର କରିବାକୁ ଉଭୟ ରାଷ୍ଟ୍ର ସମ୍ମତି ପ୍ରକାଶ କରିଥିବା ସୂଚନା ମିଳିଛି।
ଜୁଲାଇ ୬ର ଉପଗ୍ରହ ଚିତ୍ରରୁ ମିଳିଥିବା ଅନ୍ୟ ଉକ ଗୁରୁତ୍ବପୂର୍ଣ୍ଣ ସୂଚନାନୁଯାୟୀ, ଚୀନ କସଗର ବିମାନଘାଟିରେ ଆଣବିକ ଯୁଦ୍ଧାସ୍ତ୍ର ମହଜୁଦ ରଖିଛି। ବିମାନଘାଟିର ମାଟି ତଳେ ଏହା ଏଚ୍-୬ ବୋମାବର୍ଷୀ ବିମାନ ଓ ପରମାଣୁ ବୋମା ମହଜୁଦ ରଖିଥିବା ଏହି ଚିତ୍ରରୁ ଦୃଶ୍ୟମାନ ହେଉଛି। ଏଥିସହିତ ଚୀନ ସେନା ସେଠାରେ ଭିତ୍ତିଭୂମି ନିର୍ମାଣ କାର୍ୟ୍ୟ ଚଳାଇଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି। ଏଚ୍-୬ ବିମାନ ସମ୍ପ୍ରତି ଦକ୍ଷିଣ ଚୀନ ସାଗରରେ ମଧ୍ୟ ମୁତୟନ ହୋଇଛି। କାସଗର ବିମାନଘାଟି କାରାକୋରମ୍ ପାସ୍ଠାରୁ ୪୭୫ କିମି ଦୂରରେ ଅବସ୍ଥିତ। ପୂର୍ବ ଲଦାଖର ଯେଉଁ ଅଞ୍ଚଳକୁ ନେଇ ଏବେ ବିବାଦ ଚାଲିଛି ତାହା ସେଠାରୁ ୬୯୦ କିମି। ଏଠାରୁ ଫିଙ୍ଗର-୪ ଅଞ୍ଚଳକୁ ସିଧା ନିଶାଣ କରିହେବ। ତା’ଛଡ଼ା ଲଦାଖର ଦୌଲତ ବେଗ୍ ଓଲ୍ଡି ବିମାନଘାଟି ସେଠାରୁ ୪୯୦କିମି ତଥା ୧୬ହଜାର ଫୁଟ ଦୂର।