ଚୀନ୍‌କୁ ଭାରତୀୟ ସେନାର କଡ଼ା ଜବାବ; ଛଡ଼ାଇ ଆଣିଲା ‘ବ୍ଲାକ୍‌ ଟପ୍‌’

ନୂଆଦିଲ୍ଲୀ: ଡୋକ୍‌ଲାମ୍‌ ପରେ ଗଲୱାନ୍‌ରେ ଚୀନ୍‌କୁ ମୁହଁତୋଡ଼ ଜବାବ ମିଳିବା ସତ୍ତ୍ବେ ଏହାର ଆଉ ଏକ ହୀନଉଦ୍ୟମକୁ ଭାରତୀୟ ସେନା ସୋମବାର ରାତିରେ ପଣ୍ଡ କରିଛି। ଡ୍ରାଗନ୍‌ର ଅଗଷ୍ଟ ୩୧ ତାରିଖ ଅନୁପ୍ରବେଶ ଉଦ୍ୟମକୁ କେବଳ ଭାରତୀୟ ଯବାନ ପଣ୍ଡ କରିନାହାନ୍ତି; ବରଂ ‘ବ୍ଲାକ୍‌ ଟପ୍‌’କୁ ନିଜ ଅଧୀନକୁ ଆଣିବାରେ ସଫଳ ହୋଇଛି ଭାରତୀୟ ସେନା। ଏହାକୁ ନିଜ କବ୍ଜାକୁ ନେବା ଲାଗି ହୀନଉଦ୍ୟମ କରୁଥିବା ଚୀନ୍‌ର ରଣନୀତିକୁ ଭାରତୀୟ ସେନା ନିରସ୍ତ୍ର କରିଛି। ଭାରତୀୟ ସେନାର ଏଭଳି ପଦକ୍ଷେପ ଓ ମନୋବଳକୁ ଦେଶବ୍ୟାପୀ ପ୍ରଶଂସା କରାଯାଇଛି। ତେବେ ଏହାକୁ ନେଇ  ଭାରତ-ଚୀନ୍‌ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ପରସ୍ପର ସୈନ୍ୟ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି। ଭାରତ ସରକାର ଏହି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ଭାରତ-ଚୀନ୍‌ ସୀମାବର୍ତ୍ତୀ ପାନ୍‌ଗଙ୍ଗ୍‌ ହ୍ରଦର ଦକ୍ଷିଣ କୂଳରେ ଥିବା ରହିଛି ପର୍ବତ ଶିଖର ‘ବ୍ଲାକ୍‌ଟପ୍‌’। ଏହି ପର୍ବତ ଶିଖରରେ ଅତ୍ୟାଧୁନିକ ସର୍ବେକ୍ଷଣ ଯନ୍ତ୍ରାଂଶ ଯଥା କ୍ୟାମେରା, ସେନ୍‌ସନ୍‌ ଆଦି ଖଞ୍ଜି ଭାରତୀୟ ସେନାର ଗତିବିଧି ଉପରେ ନଜର ରଖିବାକୁ ଚୀନ୍‌ ଯେଉଁ ପଦକ୍ଷେପ ନେଇଥିଲା ତାହା ଫସର ଫାଟିଯାଇଛି। ଚୀନ୍‌ ବ୍ଲାକ୍‌ ଟପ୍‌କୁ ନିଜ ନିୟନ୍ତ୍ରଣକୁ ନେବା ପୂର୍ବରୁ ଭାରତୀୟ ସେନା ଏଠାରେ ନିଜ ଉପସ୍ଥିତିକୁ ଜାହିର କରି ନିଜ କବ୍ଜାକୁ ଆଣିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଡ୍ରାଗନ୍‌ ଏଲଏସିରେ ଆଧୁନିକ ସର୍ଭେଲାନ୍ସ ବ୍ୟବସ୍ଥା ଓ ସିସିଟିଭି କ୍ୟାମେରା ଖଞ୍ଜିଥିବା ସତ୍ତ୍ବେ ଭାରତୀୟ ଯବାନଙ୍କ ବ୍ଲାକ୍‌ଟଫ୍ ଉପରେ ଆଗୁଆ ପ୍ରବେଶ ଓ ଦଖଲ ଏବେ ଚୀନ୍‌ର ମୁଣ୍ଡବ୍ୟଥା ବଢାଇ ଦେଇଛି। ଏହି ଜନଶୂନ୍ୟ ପର୍ବତ ଶିଖର ‘ବ୍ଲାକ୍‌ଟପ୍‌’କୁ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ଦଖଲ କରିବା ପୂର୍ବରୁ ଏହାକୁ ନିଜ ଅଧୀନକୁ ଆଣିବାରେ ସମର୍ଥ ହୋଇଛନ୍ତି ଭାରତୀୟ ଯବାନ। ଏଥିସହିତ ଚୀନ୍‌ର ଅତ୍ୟାଧୁନିକ ସର୍ବେକ୍ଷଣ ବ୍ୟବସ୍ଥାକୁ ନଷ୍ଟ କରିଛନ୍ତି ଭାରତୀୟ ଯବାନ।
ଏହି ଘଟଣା ପରେ ଏଲଏସିରେ ଚୀନ୍‌ର ପରବର୍ତ୍ତୀ ଷଡ଼ଯନ୍ତ୍ର ପ୍ରତି ଅଧିକ ସତର୍କତା ଅବଲମ୍ବନ କରିଛି ସେନା। ଅଧିକ ଯବାନଙ୍କୁ ମୁତୟନ କରାଯାଇଛି। ପ୍ରତି ମୂହୂର୍ତ୍ତ ସ୍ଥିତି ଉପରେ କେନ୍ଦ୍ର ସରକାର ନଜର ରଖିଛନ୍ତି। ଏନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବିଦେଶମନ୍ତ୍ରୀ ଏସ.ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ,  ତିନିସେନାର ମୁଖ୍ୟ ସିଡିଏସ୍‌ ବିପିନ୍ ରାୱତ, ସ୍ଥଳସେନା ମୁଖ୍ୟ ଏମ.ଏମ. ନରଭଣେ ଏବଂ ସେନାର ବହୁ ବରିଷ୍ଠ ସେନାଧିକାରୀ ଦୁଇ ଦୁଇଥର ବୈଠକ କରି ପରବର୍ତ୍ତୀ ରଣନୀତି ଉପରେ ବିଚାର ବିମର୍ଶ କରିଛନ୍ତି। ଭାରତୀୟ ଇତିହାସରେ ପ୍ରଥମଥର ପାଇଁ ଚୀନ୍‌କୁ ଚେକ୍ ଦେବାରେ ଭାରତ ସଫଳ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

କେବଳ ସେତିକି ନୁହେଁ; ସର୍ଭେଲାନ୍ସ ବ୍ୟବସ୍ଥା ଓ ଅତ୍ୟାଧୁନିକ କ୍ୟାମେରା କିଭଳି ଭାରତୀୟ ଯବାନଙ୍କ ପ୍ରବେଶକୁ ଜାଣିପାରିଲା ନାହିଁ, ତାହା ଡ୍ରାଗନ୍‌କୁ ଅଧିକ ବିବ୍ରତ କରିଛି। ଭାରତୀୟ ସେନାର ରଣନୀତି ଆଗରେ ଡ୍ରାଗନ୍‌ ଫିକା ପଡିଯାଇଛି। ପୂର୍ବରୁ ଚୀନ୍ ସେନା ସ୍ଥାନୀୟ ଅଞ୍ଚଳରେ ଉନ୍ନତ ଧରଣର କ୍ୟାମେରା ଏବଂ ସିସିଟିଭି ଉପକରଣମାନ ଖଞ୍ଜି ଭାରତୀୟ ସେନାର କାର୍ଯ୍ୟକଳାପ ଉପରେ ନଜର ରଖୁଥିଲା। ଏବେ ବ୍ଲାକ୍‌ଟପ୍‌ରେ ଭାରତୀୟ ସେନା ନିଜର ଉପସ୍ଥିତି ଜାହିର କରିବା ସହ ସେଠା‌ରୁ ଚୀନ୍‌ କ୍ୟାମେରା ଏବଂ ସିସିଟିଭି ଉପକରଣ ସବୁକୁ ନଷ୍ଟ କରିଦେଇଛି। ‘ବ୍ଲାକ୍‌ ଟପ୍‌’କୁ ଚୀନ୍‌ ନିଜର ବୋଲି ପୂର୍ବରୁ ଦାବି କରୁଥିବାବେଳେ ଏହାକୁ ଦଖଲ କରିବାକୁ ପ୍ରଚେଷ୍ଟା କରୁଥିଲା।

ଗତ ଶନିବାର ଏବଂ ରବିବାର ମଧ୍ୟରାତ୍ରିରେ ଲଦାଖର ଚୁସୁଲ ନିକଟ ପାନ୍‌ଗଙ୍ଗ୍‌ ହ୍ରଦ ନିକଟ ଭାରତୀୟ ଅଞ୍ଚଳରେ ଚୀନ୍‌ ସେନାର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ରୋକିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ବିବାଦ ଉପୁଜିବା ପରେ ଲଦାଖ ଏବଂ ଡେମୋଚୋକ୍‌ ଅଞ୍ଚଳରେ ଭାରତୀୟ ସେନା ଟି-୭୨ ଏବଂ ଟି-୯୦ ଟ୍ୟାଙ୍କ ନିୟୋଜିତ କରିଛି। ବାୟୁସେନା ଯୁଦ୍ଧଜାହଜ ଓ ହେଲିକପ୍ଟର ମଧ୍ୟ ଆକାଶମାର୍ଗରୁ ପଇଁତରା ମାରି ଏହି ଅଞ୍ଚଳ ଉପରେ ଚୀନ୍‌ର ଯେ କୌଣସି ହରକତକୁ ପଣ୍ଡ କରିବା ଲାଗି ପ୍ରସ୍ତୁତ ରହିଛି। ପୂର୍ବ ଲଦାଖଠାରୁ ୩୧୦ କିମି ଦୂରରେ ଅବସ୍ଥିତ ହୋଟାନ୍ ବାୟୁସେନା ଘାଟୀରେ ଚୀନ୍‌ ମଧ୍ୟ ତା’ର ଦୂରଗାମୀ ଯୁଦ୍ଧ ବିମାନ ଜେ-୨୦କୁ ନିୟୋଜିତ କରିଥିବା ସୂଚନା ମିଳିଛି। ଉଭୟପକ୍ଷର ସେନା ଏବେ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି।
ଏହି ଅଞ୍ଚଳକୁ ଉଭୟ ଭାରତ ଓ ଚୀନ୍‌ ନିଜ ନିଜର ବୋଲି ଦାବି କରୁଛନ୍ତି। ତେବେ ଏବେ ଉକ୍ତ ଅଞ୍ଚଳକୁ ଭାରତୀୟ ସେନା ନିଜ ଦଖଲକୁ ନେବା ପରେ ଚୀନ୍‌ ଏହାକୁ ନେଇ ଆପତ୍ତି ଉଠାଇଛି। ଭାରତ ଏଠାରୁ ସେନା ପ୍ରତ୍ୟାହାର କରୁ ବୋଲି ଚୀନ୍ ଦାବି କରିବା ସହିତ ତା’ର ଜାତୀୟ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଜରିଆରେ ଭାରତ ତା’ ଅଞ୍ଚଳରେ ଅନୁପ୍ରବେଶ କରିଛି ବୋଲି ଆପତ୍ତି ଉଠାଇଛି।
କେବଳ ବ୍ଲାକ୍‌ଟପ୍‌ ନୁହେଁ; ଚୁସୁଲ ଓ ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ଭାରତୀୟ ସେନା ନିଜର ଉପସ୍ଥିତିକୁ ଦୃଢ କରିଛି। ସୂଚନାଯୋଗ୍ୟ, ବ୍ଲାକ୍‌ ଟପ୍‌ ହେଉଛି ନୋ ମ୍ୟାନ୍ସ ଲ୍ୟାଣ୍ଡ (ଜନଶୂନ୍ୟ ଅଞ୍ଚଳ)। ଏହା ଭାରତ ଅଧୀନରେ ଥିଲା। ଭାରତ-ଚୀନ୍‌ ଯୁଦ୍ଧ ପରେ ଚୀନ୍‌ ଏହାକୁ ନିଜ କବ୍‌ଜାକୁ ନେଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ଏଲଏସିରେ ସାମିଲ କରାଯାଇ ଏଠାକୁ କୌଣସି ପକ୍ଷର ସେନା ପ୍ରବେଶ କରିବେନି ବୋଲି କୁହାଯାଇଥିଲା। ମାତ୍ର ଚୀନ୍‌ ଏଠାରେ ଅନୁପ୍ରବେଶ କରି ନିଜର ଅତ୍ୟାଧୁନିକ ସର୍ଭେଲାନ୍ସ ଯନ୍ତ୍ରାଂଶ ଖଞ୍ଜି ଭାରତୀୟ ସେନା ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରୟାସ କରୁଥିଲା।
ଏହି ଘଟଣାରେ ଚୀନ୍‌ ନିଜର ଅନୁପ୍ରବେଶକୁ ଖଣ୍ଡନ କରିବା ସହିତ ଏହା ପାଲଟା ଭାରତର ଅନୁପ୍ରବେଶ ବୋଲି ଅଭିଯୋଗ ଉଠାଇଛି। ନୂଆଦିଲ୍ଲୀସ୍ଥିତ ଚୀନ୍‌ ଦୂତାବାସ ମୁଖପାତ୍ର ଜି.​ରୋଙ୍ଗ୍ କହିଛନ୍ତି ଯେ ସୀମା ବିବାଦର ସମାଧାନ ନେଇ ଯେଉଁସବୁ ବୁଝାମଣା ହୋଇଥିଲା ଭାରତ ତା’ର ଉଲ୍ଲଘଂନ କରିଥିବା ରୋଙ୍ଗ୍‌ ଅଭିଯୋଗ କରିଛନ୍ତି। ମାତ୍ର ଏହାକୁ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଖଣ୍ଡନ କରାଯାଇଛି। ଏହା ଭାରତୀୟ ଅଞ୍ଚଳ ଏବଂ ଚୀନ୍‌ ଏଠାରେ ଅନୁପ୍ରବେଶ ଉଦ୍ୟମ କରୁଥିଲା ବୋଲି ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ପାଲଟା ଅଭିଯୋଗ କରିଛନ୍ତି। ଚୀନ୍ ସେନାର ଅନୁପ୍ରବେଶ ଉଦ୍ୟମକୁ ପ୍ରତିହତ କରି ଭାରତୀୟ ସେନା ଦେଶର ସାର୍ବଭୌମତ୍ବ ଓ ଅଖଣ୍ଡତାକୁ ସୁରକ୍ଷିତ ରଖିଥିବା ଶ୍ରୀବାସ୍ତବ ଗଣମାଧ୍ୟମକୁ କହିଛନ୍ତି।
ଛଡ଼ାଇ ଆଣିଲା…

Comments are closed.