ଭାରତ-ଚୀନ ଚତୁର୍ଦ୍ଦଶ କର୍ପସ କମାଣ୍ଡରସ୍ତରୀୟ ବୈଠକ ଆରମ୍ଭ

ନୂଆଦିଲ୍ଲୀ/ବେଜିଂ: ପୂର୍ବ ଲଦାଖରେ ସୀମା ବିବାଦର ସମାଧାନ ପାଇଁ ଭାରତ ଓ ଚୀନ ମଧ୍ୟରେ ଚତୁର୍ଦ୍ଦଶ କର୍ପସ କମାଣ୍ଡରସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହେଉଛି । ଏଥିରେ ମୁଖ୍ୟତଃ ହଟ ସ୍ପ୍ରିଂ ଅଞ୍ଚଳ ସ୍ଥାନ ପାଇବ ବୋଲି ଜଣାଯାଇଛି । ଦୁଇଦେଶ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ହଟ ସ୍ପ୍ରିଂ ସଂପ୍ରତି କେବଳ ବିବାଦୀୟ ପ୍ରସଙ୍ଗ ହୋଇ ରହିଛି । ଏହି ବୈଠକ ଚୀନ ପଟେ ମୋଲଡୋଠାରେ ଅନୁଷ୍ଠିତ ହେଉଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ଦୁଇ ଦେଶର କର୍ପସ କମାଣ୍ଡର ସ୍ତରରେ ତେରଥର ବୈଠକ ଅନୁଷ୍ଠିତ ହୋଇସାରିଛି । ଉଚ୍ଚ ଅକ୍ଷାଂଶରେ ସୀମା ବିବାଦକୁ ନେଇ ପୂର୍ବ ଲଦାଖ ବସ୍ତୁତଃ ଏକ ରଣକ୍ଷେତ୍ର ପାଲଟିଥିବାବେଳେ ସେଠାରେ ଉତ୍ତେଜନା ପ୍ରଶମିତ କରିବାକୁ ଉଦ୍ୟମ ଲାଗି ରହିଛି । ଉଭୟ ପକ୍ଷରୁ ବିପୁଳ ସଂଖ୍ୟାରେ ସୈନିକ, ଅସ୍ତ୍ରଶସ୍ତ୍ର ଏଲଏସିରେ ଠୁଳ କରାଯାଇଛି । ତେବେ କୋଭିଡ ମହାମାରୀ ସଂକ୍ରମଣ ଏବଂ ପ୍ରତିକୂଳ ପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ପରିସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି । ଭାରତ ପକ୍ଷରୁ ଏହି ଆଲୋଚନାରେ ଫାୟାର ଆଣ୍ଡ ଫ୍ୟୁରି କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଅନିନ୍ଦ୍ୟ ସେନଗୁପ୍ତା ନେତୃତ୍ୱ ନେଉଛନ୍ତି । ହଟ ସ୍ପ୍ରିଂ ବ୍ୟତୀତ ଦୌଲତ ବେଗ ଓଲ୍ଡି ଏବଂ ଚାର୍ଡିଂ ନିଙ୍ଗଲଙ୍ଗ ନଳା (ସିଏନଏନ) ଜଙ୍କସନରେ ରହିଥିବା ବିବାଦ ସମାଧାନ ପାଇଁ ମଧ୍ୟ ନୂଆଦିଲ୍ଲୀ ପ୍ରୟାସ କରୁଛି । ଇତିମଧ୍ୟରେ ଚୀନ ପକ୍ଷରୁ ମଙ୍ଗଳବାର ଦିନ କୁହାଯାଇଛି ଯେ ସୀମାନ୍ତରେ ଭାରତ ସହିତ ପରିସ୍ଥିତି ମୋଟାମୋଟି ଭାବରେ ସ୍ଥିର ରହିଛି ।

Comments are closed.