ପାକିସ୍ଥାନ ପରିବର୍ତ୍ତେ ଚୀନ ଆଡ଼କୁ ମୁହାଁଇଲା ଭାରତୀୟ ପରମାଣୁ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ: ଏଲଏସିରେ ଚାଲିଥିବା ଭାରତ-ଚୀନ ମଧ୍ୟରେ ବିବାଦ ମଧ୍ୟରେ ପାକିସ୍ଥାନ ପରିବର୍ତ୍ତେ ଚୀନ ଆଡ଼କୁ ଭାରତ ମୋଡ଼ିଛି ପରମାଣୁ କ୍ଷେପଣାସ୍ତ୍ରର ଦିଶା । ଆନ୍ତର୍ଜାତିକ ଜର୍ଣ୍ଣାଲ ‘ବୁଲେଟିନ୍ ଫର ଆଟମିକ୍ ସାଁଇଟିଷ୍ଟ’ରେ ଏ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି । ଚୀନର ରାଜଧାନୀ ବେଜିଂ ସହ କିଛି ବଡ଼ବଡ଼ ସହର ଏବେ ଭାରତୀୟ ପରମାଣୁ କ୍ଷେପଣାସ୍ତ୍ର ନିଶାଣରେ ରହିଛି ବୋଲି ଏଥିରେ ଉଲ୍ଲେଖ ଅଛି । ‘ଇଣ୍ଡିଆନ ନ୍ୟୁକ୍ଲିୟର ଫୋର୍ସେସ-୨୦୨୦’ ଶୀର୍ଷକ ଏହି ରିପୋର୍ଟରେ ଭାରତର ପରମାଣୁ କ୍ଷେପଣାସ୍ତ୍ର ନିଶାଣରେ ଚୀନ ରହିଛି ଏବଂ ଭାରତ ନିଜର ୩ ପୁରୁଣା ପରମାଣୁ ଅସ୍ତ୍ରଶସ୍ତ୍ର ବହନକାରୀ ଏୟାରକ୍ରାଫ୍ଟ, ଭୂଇଁରୁ ଆକାଶକୁ କ୍ଷେପଣାସ୍ତ୍ର ଛାଡ଼ିବାର ପ୍ଲାଟଫର୍ମ ଓ ସମୁଦ୍ରରୁ ଉତକ୍ଷେପଣ କରିବା ବ୍ୟବସ୍ଥାରେ ଢ଼େର ପରିବର୍ତନ କରିଛି । ଜର୍ଣ୍ଣାଲରେ ଏ ସମ୍ପର୍କରେ ନିର୍ଦିଷ୍ଟ ଭାବରେ କିଛି କୁହାଯାଇ ନ ଥିଲେ ହେଁ ଏପରି କିଛି ପରିବର୍ତନର ପ୍ରମାଣ ଏବିପି ନ୍ୟୁଜ୍ ନିକଟରେ ଥିବା ଏହି ଖବରପ୍ରସାରଣ ସଂସ୍ଥା ଦାବି କରିଛି ।

୨୯ ଜୁଲାଇରେ ଭାରତରେ ପହଞ୍ଚିବ ୫ ରାଫେଲ

ଆସନ୍ତା ୨୯ ତାରିଖରେ ଫ୍ରାନ୍ସରୁ ପ୍ରଥମ ପର୍ଯ୍ୟାୟରେ ୫ ରାଫେଲ ବିମାନ ଭାରତରେ ପହଞ୍ଚିବ ବୋଲି ପୂର୍ବରୁ ସୂଚନା ରହିଛି । ଏହି ବିମାନ ପରମାଣୁ ଅସ୍ତ୍ରଶସ୍ତ୍ର ନେବାକୁ ସକ୍ଷମ । ପୂର୍ବରୁ ଭାରତୀୟ ବାୟୁସେନା ନିକଟରେ ମିରାଜ ୨୦୦୦ ଓ ସୁଖୋଇ ବିମାନ ରହିଥିଲା । ଏହା ପରମାଣୁ ଆକ୍ରମଣ କରିବା ନିମନ୍ତେ ସକ୍ଷମ ଥିଲା । ଏବେ ଭାରତ ରାଫେଲ ଉପରେ ଅଧିକ ନିର୍ଭରଶୀଳ ହେବ । ଡ଼ିଆରଡ଼ିଓ (ଡ଼ିଫେନ୍ସ ରିସର୍ଚ ଏଣ୍ଡ ଡ଼େଭଲପମେର୍ଟ ଅର୍ଗାନାଇଜେସନ) ସମ୍ପ୍ରତି ଅଗ୍ନି ୬ କ୍ଷେପଣାସ୍ତ୍ର ଉପରେ ଗବେଷଣା କରୁଛି ।  ଯାହାର ମାରକ କ୍ଷମତା ପ୍ରାୟ ୧୦ ହଜାର କିଲୋମିଟରରୁ ଅଧିକ ।  ‘ବୁଲେଟିନ ଅଫ୍ ଆଟମିକ ସାଇଟିଷ୍ଟ ଜର୍ଣାଲ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତ ନିକଟରେ ରହିଥିବା ପରମାଣୁ ବୋମା ବାହୀ ଅଗ୍ନି ୫ କ୍ଷେପଣାସ୍ତ୍ରର ମାରକ କ୍ଷମତା ପ୍ରାୟ ୫ ହଜାର କିଲୋମିଟର ଓ ଏହା ଚୀନ ରାଜଧାନୀ ବେଜିଂ ପର୍ଯ୍ୟନ୍ତ ଯାଇପାରିବ । ଦିଲ୍ଲୀରୁ ବେଜିଂର ଦୂରତା ପ୍ରାୟ ୪୦୦୦ କିଲୋମିଟର ।

ଏଠାରେ ଏ କଥା ମଧ୍ୟ ଉଲ୍ଲେଖ କରିବାର ଆବଶ୍ୟକତା ଅଛି ଯେ ପରମାଣୁ ଶକ୍ତିଚାଳିତ ବୁଡ଼ାଜାହାଜ ଆଇଏନଏସ୍ ଅରିହନ୍ତା (ଏରିହଣ୍ଟ) ଭାରତୀୟ ନୌସେନାରେ ସାମିଲ ହୋଇ ସାରିଛି । ଏହାପୂର୍ବରୁ ପରମାଣୁ ବୁଡ଼ାଜାହାଜ ଆଇଏନଏସ୍ ଚକ୍ର ନୌସେନା ନିକଟରେ ରହିଛି । ୨୦୧୨ରେ ଏହି ବୁଡ଼ାଜାହାଜକୁ ଭାରତ ରୁଷରୁ ଚୁକ୍ତି ଭିତ୍ତିରେ ଆଣିଛି । ଚକ୍ର ଯଦିଓ ପରମାଣୁ ଚକ୍ତିରେ ପରିଚାଳିତ, ମାତ୍ର ଏହା ପରମାଣୁ ଅସ୍ତ୍ର ଓ କ୍ଷେପଣାସ୍ତ୍ର ଉତକ୍ଷେପଣ କରିବାକୁ ସକ୍ଷମ ନୁହେଁ । ଏପରି ସ୍ଥିତିରେ ଅରିହନ୍ତା (ଏରିହଣ୍ଟ) ଭାରତୀୟ ନୌସେନା ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଓ ପରମାଣୁ କ୍ଷେପଣାସ୍ତ୍ର ଉତକ୍ଷେପଣ କରିପାରିବ ।

ଚୀନ ମଧ୍ୟ ବଢ଼ାଉଛି ଆଣବିକ ଅସ୍ତ୍ରଶସ୍ତ୍ରର ଭଣ୍ଡାର 

ନିକଟରେ ଗ୍ଲୋବାଲ ଥିଙ୍କଟ୍ୟାଙ୍କ ‘ସିପରୀ’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଭାରତ-ପାକିସ୍ଥାନ ନିଜନିଜର ଆଣବିକ ଅସ୍ତ୍ରଶସ୍ତ୍ର ଭଣ୍ଡାର ସମୃଦ୍ଧ କରିବାରେ ଲାଗିଛନ୍ତି । ଭାରତ ନିକଟରେ ୧୫୦ ପରମାଣୁ ଅସ୍ତ୍ର ଥିବାବେଳେ ପାକିସ୍ଥାନ ନିକଟରେ ୧୬୦ ପରମାଣୁ ଅସ୍ତ୍ର ରହିଛି । ମାତ୍ର ଚୀନ ନିକଟରେ ଭାରତଠାରୁ ଦୁଇଗୁଣ ପରମାଣୁ ଅସ୍ତ୍ର ରହିଛି । ଚୀନ ନିକଟରେ ପ୍ରାୟ ୩୨୦ଟି ପରମାଣୁ ଅସ୍ତ୍ର ଅଛି । ୨୦୧୯ରେ ଚୀନ ନିକଟରେ ୨୯୦ ପରମାଣୁ ଅସ୍ତ୍ର ରହିଥିଲା ଓ ଇତିମଧ୍ୟରେ ସେ ଆହୁରି ପରମାଣୁ ଅସ୍ତ୍ର ନିର୍ମାଣ କରିବାରେ ସକ୍ଷମ ହୋଇଛି । କିଛି ଆଣବିକ ଅସ୍ତ୍ରର ଆଧୁନିକୀକରଣ କରିଛି । ହାଲୁକା ଲଢ଼ୁଆ ବିମାନରେ ବ୍ୟବହାରକ୍ଷମ ଆଣବିକ ଅସ୍ତ୍ର ପ୍ରସ୍ତୁତ କରିବାରେ ଲାଗିଛି ।

ଏହି ରିପୋର୍ଟ ଅନୁସାରେ ଭାରତ ନିକଟରେ ୨୦୧୯ରେ ପ୍ରାୟ ୧୩୦ରୁ ୧୪୦ଟି ପରମାଣୁ ଅସ୍ତ୍ର ରହିଥିଲା । ମାତ୍ର ଚଳିତ ବର୍ଷ ତାହା ବୃଦ୍ଧି ଘଟି ୧୫୦ରେ ପହଞ୍ଚିଛି । ମାତ୍ର ଏହି ସଂଖ୍ୟା ଚୀନ ଓ ପାକିସ୍ଥାନର ମିଳିତ ପରମାଣୁ ଅସ୍ତ୍ରଠାରୁ ଢ଼େର କମ୍। ଚୀନ ଓ ପାକିସ୍ଥାନ ନିକଟରେ ମୋଟ ୪୮୦ ପରମାଣୁ ଅସ୍ତ୍ରଶସ୍ତ୍ର ଥିବାବେଳେ ଭାରତ ନିକଟରେ ଏହି ସଂଖ୍ୟା ତାହାର ଏକ ତୃତୀୟାଂଶ ।

Comments are closed.