ଭାରତ-ଚୀନ ସୀମା ବିବାଦ : ଆଶିଂକ ସେନା ପ୍ରତ୍ୟାହାର ଆରମ୍ଭ

ନୂଆଦିଲ୍ଲୀ : ସମ୍ପ୍ରତି ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଭାରତ ଓ ଚୀନ ସକ୍ଷମ। ପୂର୍ବ ଲଦାଖରେ ସୃଷ୍ଟି ହୋଇଥିବା ଉତ୍ତେଜନା ହ୍ରାସ ପାଇଁ ଉଭୟ ପକ୍ଷ ଉଦ୍ୟମ ଚଳାଇଛନ୍ତି। ବିବାଦ ଆଗକୁ ନ ବଢ଼ାଇବା ପାଇଁ ସମ୍ମତିସ୍ତରକୁ ଆସିଛି ଆଲୋଚନା ଏବଂ ଏହା ଅଧା ମାର୍ଗ ଅତିକ୍ରମ କରିଛି। ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଓ ସ୍ଥିର ରହିଛି। ଏହାଦ୍ବାରା ଉଭୟ ବିବାଦ ସମାଧାନ ପାଇଁ ଇଚ୍ଛୁକ ବୋଲି ସ୍ପଷ୍ଟ ହୋଇଥିବା କହିଛନ୍ତି ଭାରତରେ ନିଯୁକ୍ତ ଚୀନ ରାଷ୍ଟ୍ରଦୂତ ସନ୍‌ ୱେଡଙ୍ଗ। ସନ୍ଦେହ ଓ ବିଭେଦ ଏକ ଭୁଲ ମାର୍ଗ ଏବଂ ଏହା ଦୁଇ ଦେଶର ଜନତାଙ୍କ ଆଶା ଆକାଙ୍‌ଖ୍ୟାର ପରିପନ୍ଥୀ; ତେଣୁ ଉଭୟ ଉଭୟଙ୍କୁ ସମ୍ମାନ ଓ ସମର୍ଥନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହା ପଛରେ ଉଭୟ ରାଷ୍ଟ୍ରର ସ୍ବାର୍ଥ ନିହିତ ଥିବା ସେ ସ୍ପଷ୍ଟ କରିଛନ୍ତି। ସନ୍‌ ପୁନର୍ବାର ଭାରତୀୟ ସେନାକୁ ଗଲୱାନ ସଂଘର୍ଷ ପାଇଁ ଦାୟୀ କରିଛନ୍ତି। ଜୁନ ୧୫ରେ ଭାରତୀୟ ସେନା ଏଲଏସି ଡେଇଁ ଚୀନ ସେନାକୁ ଆକ୍ରମଣ କରିଥିଲା ବୋଲି ସେ କହିଛନ୍ତି। ତେବେ ସାମ୍ପ୍ରତିକ ଆଲୋଚନାବେଳେ ଦୁଇ ଦେଶ ଗଲୱାନ ନଦୀ ଡେଇଁ ପାଟ୍ରୋଲିଂ କରିବା କିମ୍ବା କୌଣସି ନିର୍ମାଣ କାର୍ଯ୍ୟ କରିବେ ନାହିଁ ବୋଲି ସମ୍ମତି ପ୍ରକାଶ କରିବା ସହ ଉଭୟ ପକ୍ଷ ନିଜର ନିରୀକ୍ଷଣ ପୋଷ୍ଟ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିବାବେଳେ ଚୀନ ନିଜର ନିରୀକ୍ଷଣ ପୋଷ୍ଟ ଭାଙ୍ଗିବାକୁ ପଦକ୍ଷେପ ନେଇଥିବା ସେ ସୂଚନା ଦେଇଛନ୍ତି। ଚୀନ ଏଭଳି ସଂଘର୍ଷ ଦେଖିବାକୁ ଚାହେଁ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

ଅପରପକ୍ଷରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଜୁନ ୬ର ରାଜିନାମା ଆଧାରରେ ଚୀନ ସେନା ବିବାଦୀୟ ସ୍ଥଳରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଛନ୍ତି। ଏ ନେଇ ବୁଧବାର ଅନୁଷ୍ଠିତ କୂଟନୈତିକ ଆଲୋଚନାବେଳେ ସମ୍ମତି ପ୍ରକାଶ ପାଇଥିଲା। ଏଥିସହିତ ଗଲୱାନ ଉପତ୍ୟକାର ଏଲଏସି ଆରପଟେ ନିର୍ମାଣ କରିଥିବା ଶିବିରକୁ ଭାଙ୍ଗିବା ପାଇଁ ରାଜି ହୋଇଛି। ଚଳିତ ବର୍ଷ ଚୀନ ସେନାର ବ୍ୟବହାର ସମସ୍ତ ପୂର୍ବ ରାଜିନାମା ଓ ଚୁକ୍ତିର ବିରୋଧାଚରଣ କରିଛି। ସାମ୍ପ୍ରତିକ ବିବାଦ ଏହାର ଚରମ ଦୃଷ୍ଟାନ୍ତ ବୋଲି ସେ କହିଛନ୍ତି। ଚୀନ ସେନା ବାରମ୍ବାର ଭାରତୀୟ ପାେଟ୍ରାଲିଂ ଦଳକୁ ବିରୋଧ କରିବା ସହ ଭାରତୀୟ ଅଞ୍ଚଳକୁ ଅନୁପ୍ରେବେଶ କରୁଛି ବୋଲି ଅନୁରାଗ କହିଛନ୍ତି। କେବଳ ପୂର୍ବ ଲଦାଖ ନୁହେଁ; ଏଲଏସିର ଅନ୍ୟ ସ୍ଥାନରେ ମଧ୍ୟ ଚୀନର ବ୍ୟବହାର ଏଭଳି ରହିଛି ବୋଲି ସେ ଦର୍ଶାଇଛନ୍ତି।

ତିନି ବିବାଦୀୟ ଅଞ୍ଚଳ ଗଲୱାନ ଉପତ୍ୟକା, ହଟ୍‌ ସ୍ପ୍ରିଙ୍ଗ୍‌ ଓ ପାନଗଙ୍ଗ ସୋ ହ୍ରଦ ନିକଟରେ ଉତ୍ତେଜନା ଲାଗି ରହିଥିବା ନେଇ ଜାତୀୟ ସୁରକ୍ଷା ପରିଷଦ ବୈଠକରେ ଆଲୋଚନା ହୋଇଛି। ଏହି ପରିପ୍ରେକ୍ଷୀରେ ଭାରତ ପକ୍ଷରୁ ଲଦାଖ ସୀମାନ୍ତକୁ ଅଧିକ ସୈନ୍ୟବଳ ପଠାଯାଇଛି। ଗଲୱାନ ଓ ଦେପସଙ୍ଗ ସେକ୍ଟରର ନିଜ ଅଞ୍ଚଳରେ ଚୀନ ସେନା ଶିବିର ନିର୍ମାଣ କରିଥିବା ଉପଗ୍ରହ ଚିତ୍ରରୁ ଜଣାପଡ଼ିବା ପରେ ଭାରତ ଏହି ପଦକ୍ଷେପ ନେଇଛି। କେବଳ ଲଦାଖ ନୁହେଁ, ଚୀନ ସଂଲଗ୍ନ ୩୪୮୮ କିମି ସୀମାନ୍ତରେ ନିଜର ସାମରିକ ଶକ୍ତି ବୃଦ୍ଧି କରିବା​‌ ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଇଣ୍ଡୋ-ତିବ୍‌ବତାନ୍‌ ସୀମା ସୁରକ୍ଷାବଳ (ଆଇଟିବିପି) ମୁଖ୍ୟ ଏସ୍‌.ଏସ୍‌ ଦେଶୱାଲ ଓ ଲେଫ୍ଟନାଣ୍ଟ ଜେନେରାଲ ପରମଜିତ ସିଂହଙ୍କ ମଧ୍ୟରେ ଆଲୋଚନା ପରେ ଏହି ପଦକ୍ଷେପ ନିଆଯାଇଛି। ସୀମାନ୍ତର ପ୍ରତ୍ୟେକ ପାଟ୍ରୋଲ ପଏଣ୍ଟରେ ସ୍ବାଭାବିକ ସମୟରେ ଗୋଟିଏ ପ୍ଲାଟୁନ ବା ୩୦ ଯବାନ ମୁତୟନ ହେଉଥିବାବେଳେ ଏଣିକି ଗୋଟିଏ କମ୍ପାନୀ ବା ୧୦୦ ଯବାନ ମୁତୟନ ହେବେ। ସେଥିପାଇଁ ସୀମାନ୍ତକୁ ଅଧିକ ଆଇଟିବିପି ଯବାନଙ୍କୁ ପଠାଯାଇଛି। ପାଟ୍ରୋଲିଂ ପଏଣ୍ଟ ୧୪ (ଗଲୱାନ), ୧୫ (କଙ୍ଗକା ଲା) ଓ ୧୭(ଗୋଗ୍ରା ବା ହଟ୍‌ ସ୍ପ୍ରିଙ୍ଗ)ରେ ପହରା କଡ଼ାଗଡ଼ି କରାଯିବ। ଚୀନ ଏଲଏସି ନିକଟରେ ୧୦ହଜାର ସୈନ୍ୟ ଠୁଳ କରିବା ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜମା କରିଛି। ଚୀନ ପାଟ୍ରୋଲିଂ ପଏଣ୍ଟ ୧୪ ନିକଟରେ ସେତୁ ନିର୍ମାଣ ସହ ୧୫ ନିକଟରେ ଶିବିର ସ୍ଥାପନ କରିଛି। ସେହିପରି ୧୭ ନିକଟରେ ବିପୁଳ ସୈନ୍ୟ ଠୁଳ କରିଛି। ପାନଗଙ୍ଗ ହ୍ରଦ ନିକଟ ‘ଫିଙ୍ଗର ୪’ଠାରେ ଏହା ୧୨୦ ସାମରିକ ଯାନ ଓ ବହୁ ସଂଖ୍ୟାରେ ମୋଟରଚାଳିତ ନୌକା ମହଜୁଦ ରଖିଛି।

Comments are closed.