ଭାରତ ଟ୍ବେଣ୍ଟି -୨୦ ବିଶ୍ବକପ୍‌ ଜିତିବାକୁ ସକ୍ଷମ : ଚହଲ୍‌

ନୂଆଦିଲ୍ଲୀ  : ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବରରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। କରୋନା ଭୂତାଣୁ ସଂକ୍ରମଣଜନିତ ପରିସ୍ଥିିିତିକୁ ଦୃଷ୍ଟିରେ ରଖି ଏହି ବିଶ୍ବକପ୍‌କୁ ଘୁଞ୍ଚାଇ ଦେବାକୁ କେତେକ ମହଲରେ ମତପ୍ରକାଶ ପାଇଥିବା ବେଳେ ଶୁକ୍ରବାର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଷ୍ଟାଡ଼ିୟମରେ ଦର୍ଶକଙ୍କ ବସିବା କ୍ଷମତାର ୧୦% ପ୍ରତିଶତ ଲୋକ ଆସନ୍ତା ଜୁଲାଇରେ ଷ୍ଟାଡ଼ିୟମରେ ରହି ମ୍ୟାଚ୍‌ ଉପଭୋଗ କରିପାରିବେ ବୋଲି ସୂଚନା ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଟ୍ବେଣ୍ଟି୨୦ ବିଶ୍ବକପ୍‌ ନିର୍ଦ୍ଧାରିତ ସମୟରେ ଆୟୋଜିତ ହେବ ବୋଲି ଆଶା ସଞ୍ଚାର ହୋଇଛି।
ଅନ୍ୟପକ୍ଷରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ନିର୍ଦ୍ଧାରିତ ସମୟରେ ଆୟୋଜିତ ହେବ ଏବଂ ଭାରତ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଜିତିବାକୁ ସକ୍ଷମ ବୋଲି ମତ ଦେଇଛନ୍ତି ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ୍‌। ଭାରତୀୟ ଦଳ ବେଶ୍‌ ଶକ୍ତିଶାଳୀ ଥିବାରୁ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଚମ୍ପିଆନ୍‌ ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏକ ଗଣମାଧ୍ୟମ ସହ ଆଲୋଚନା କାଳରେ ଚହଲ୍‌ ଏପରି ମତ ଦେଇଥିବା ବେଳେ ତାଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂରେ ଯୋଗ ଦେଇଥିବା ଅନ୍ୟତମ ଭାରତୀୟ ସ୍ପିନର କୁଲଦୀପ ଯାଦବ ନିଜ ପ୍ରତିକ୍ରିୟାରେ କହିଛନ୍ତି ଭାରତୀୟ ଦଳ ସ୍ପିନ, ଦ୍ରୁତ ବୋଲିଂ ଓ ବ୍ୟାଟିଂ ବିଭାଗରେ ବେଶ୍‌ ଶକ୍ତିଶାଳୀ। ସେହିପରି ଦଳର ଫିଲଡିଂ ମଧ୍ୟ ବିଶ୍ବସ୍ତରୀୟ ରହିଛି। ଏସବୁ ବିଷୟକୁ ଦୃଷ୍ଟିରେ ରଖି ଦଳ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଜିତିବାକୁ ସକ୍ଷମ।
ଗତ କିଛିବର୍ଷ ହେବ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ୍‌ ଭାରତୀୟ ଦିନିକିଆ ଦଳରେ ପ୍ରମୁଖ ସ୍ପିନର ଭାବେ ରହି ଆସୁଛନ୍ତି। ଉଭୟଙ୍କ ମଧ୍ୟରେ ବେଶ୍‌ ତାଳମେଳ ରହୁଥିବାରୁ ସେମାନେ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ସଫଳତା ପାଉଛନ୍ତି। ଚହଲ୍‌ଙ୍କ ସହ ସଂପର୍କ ନେଇ ନିଜ ପ୍ରତିକ୍ରିୟାରେ କୁଲଦୀପ କହିଥିଲେ ଚହଲ୍‌ ତାଙ୍କୁ ସର୍ବଦା ଛୋଟ ଭାଇ ବୋଲି ମନେ କରନ୍ତି। କ୍ରିକେଟ୍‌ ଓ ଜୀବନ ସଂପର୍କରେ ଚହଲ୍‌ ସର୍ବଦା ତାଙ୍କୁ ଉପଦେଶ ଦେଇଥାନ୍ତି। ଯେକୌଣସି ସମସ୍ୟା ନେଇ ଚହଲ୍‌ଙ୍କ ନିକଟକୁ ଗଲେ ସେ ଏହାର ଉପଯୁକ୍ତ ସମାଧାନ ପନ୍ଥା ବତାଇ ଦେଇଥାନ୍ତି।
ସେହିପରି ଚହଲ୍ ଲକ୍‌ଡାଉନ୍ ସମୟରେ ନିଜର ଦିନଚର୍ଯ୍ୟା ସଂପର୍କରେ ମତ ଦେଇ କହିଥିଲେ ଲକ୍‌ଡାଉନ୍‌ର ପ୍ରଥମ କିଛିଦିନ ସେ ପରିବାର ସହ କଟାଇବା ସହ ବେଶ୍‌ ହସ ଖୁସିରେ ସମୟ ଅତିବାହିତ କରିଥିଲେ। କିଛିଦିନ ପରେ ସେ କେତେକ ଫିଟନେସ୍‌ ସରଞ୍ଜାମ କିଣି ଘରେ ଶାରୀରିକ ଅଭ୍ୟାସ ଆରମ୍ଭ କରିଥିଲେ। ଗତ ନଭେମ୍ବରରେ ​‌େ​‌ସ ଏକ ନୂଆ ଘର କିଣିଥିଲେ। ବର୍ତ୍ତମାନ ସେ ନୂଆ ଘରେ ପରିବାର ସହ ରହୁଛନ୍ତି ଏବଂ ବେଶ୍‌ ଖୁସି ଅନୁଭବ କରୁଥିବା ଚହଲ୍‌ ସୂଚନା ଦେଇଛନ୍ତି।

Comments are closed.