୧୦ ଟ୍ରିଲିୟନ ଡଲାର ଅର୍ଥନୀତି ହୋଇପାରିବ ଭାରତ: ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଆଗାମୀ ୨୦୩୦ ସୁଦ୍ଧା ଭାରତୀୟ ଅର୍ଥବ୍ୟବସ୍ଥା ୧୦ ଟ୍ରିଲିୟନ ଡଲାରରେ ପହଞ୍ଚିପାରିବ। ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କମ୍ପାନୀର ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରିବା ଅବସରରେ ଏହା କହିଛନ୍ତି।

ଅମ୍ବାନୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ମୁଁ ଏହି ମହତ୍ଵାକାଂକ୍ଷୀ ଲକ୍ଷ୍ୟକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରୁଛି। ବାସ୍ତବରେ ୨୦୩୦ ସୁଦ୍ଧା ଭାରତ ୧୦ ଟ୍ରିଲିୟନ ଅର୍ଥବ୍ୟବସ୍ଥାରେ ପରିଣତ ହୋଇପାରିବ ଏବଂ ପ୍ରତି ଭାରତୀୟଙ୍କୁ ଏହାର ଲାଭ ମିଳିବ। ଏହି ଲକ୍ଷ୍ୟ ହାସଲ କରିବା ସମ୍ଭବ। ଏହା ଜରୁରୀ ଏବଂ ଅପରିହାର୍ଯ୍ୟ ମଧ୍ୟ। ମୁଁ ଏହା ଏଥିପାଇଁ କହୁଛି ଯେ, ଡିଜିଟାଲର ଭରସାରେ କେବଳ ଜିଡିପି ଅନେକ ଗୁଣା ବଢ଼ିବନି, ବରଂ ଏଥିରୁ ସମସ୍ତଙ୍କର ବିକାଶ ହେବ। ଅର୍ଥବ୍ୟବସ୍ଥାର ଅନେକ ସେକ୍ଟର ଶକ୍ତିହୀନ ହୋଇପଡ଼ିରହିଛି। କିନ୍ତୁ ଏହା ଅସ୍ଥାୟୀ। ଭାରତୀୟ ଅର୍ଥବ୍ୟବସ୍ଥାର ମୂଳଦୁଆ ବହୁତ ମଜଭୁତ।

ସେ ଆହୁରି କହିଥିଲେ, ଆଗକୁ ସଂରଚନାତ୍ମକ ସୁଧାର ଯୋଗୁ ସୁଯୋଗ ବୃଦ୍ଧି ପାଇବ। ସରକାର ବାଣିଜ୍ୟକୁ ପ୍ରୋତ୍ସାହନ ଦେବା ଲାଗି ନୂଆ ସଂସ୍ଥାଗୁଡ଼ିକର ମୂଳଦୁଆକୁ ମଜଭୁତ କରୁଛନ୍ତି। ସମସ୍ତ ନାଗରିକଙ୍କ ଜୀବନ ଉନ୍ନତ କରିବା ଏବଂ ରୋଜଗାରର ଅସମାନତାକୁ ଦୂର କରିବା ପାଇଁ ଦୀର୍ଘକାଳୀନ ଉପାୟ ଅବଲମ୍ବନ କରାଯାଉଛି। ଭାରତ ଆଗକୁ ବଢ଼ି ଚାଲିଛି। ବର୍ତ୍ତମାନ ପୃଥିବୀର କୌଣସି ଶକ୍ତି ଭାରତକୁ ଆଗକୁ ବଢ଼ିବାକୁ ରୋକିପାରିବ ନାହିଁ।

Comments are closed.