ଜାପାନକୁ ୨-୧ରେ ହରାଇଲା ଭାରତ

ପୁରୁଷ ଏସିଆ କପ୍‌ ହକି ସୁପର-୪ ମ୍ୟାଚ୍‌ : ବୀରେନ୍ଦ୍ର ବାହିନୀର ପ୍ରତିଶୋଧ

ଜାକର୍ତ୍ତା : ଚଳିତ ପୁରୁଷ ଏସିଆ କପ୍‌ ହକି ପ୍ରତିଯୋଗିତାର ସୁପର-୪ରେ ପର୍ଯ୍ୟାୟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ । ଶନିବାର ସୁପର-୪ର ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଜାପାନକୁ ୨-୧ ଗୋଲ୍‌ରେ ପରାସ୍ତକରି ଭାରତ ପୂରା ୩ ପଏଣ୍ଟ ପାଇଛି। ସୂଚନାଯୋଗ୍ୟ; ଗତଥରର ଚମ୍ପିଆନ୍ ଭାରତକୁ ପ୍ରଥମ ରାଉଣ୍ଡ ଲିଗ୍ ପର୍ଯ୍ୟାୟରେ ୫-୨ ଗୋଲ୍‌ରେ ଜାପାନ ପରାସ୍ତ କରିଥିଲା। ତେବେ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ନେତୃତ୍ବାଧୀନ ଭାରତୀୟ ଦଳ ଶନିବାର ଜାପାନକୁ ହରାଇ ପୂର୍ବ ପରାଜୟର ପ୍ରତିଶୋଧ ନେଇପାରିଛି। ଭାରତ ପାଇଁ ମନଜିତ ସିଂହ ୮ ମିନିଟରେ ଓ ପୱନ ରାଜଭର ୩୫ ମିନିଟରେ ୨ଟି ଗୋଲ୍‌ ଦେଇଥିଲେ।


ମ୍ୟାଚ୍‌ ଆରମ୍ଭରୁ ପ୍ରଥମ ୫ ମିନିଟରେ ଜାପାନ ଭଲ ପ୍ରଦର୍ଶନ କରିଥିଲା। ଏହାକୁ ଏକ ପେନାଲ୍‌ଟି କର୍ଣ୍ଣର ମଧ୍ୟ ମିଳିଥିଲା। ହେଲେ ଏଥିରୁ ଗୋଲ୍‌ ହୋଇନଥିଲା। ଏହାପରେ ଲଢ଼ୁଆ ପ୍ରଦର୍ଶନ କରି ଭାରତ ମ୍ୟାଚ୍‌କୁ ଫେରିଥିଲା। ମନଜିତ ସିଂହଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଭାରତ ୮ମ ମିନିଟରେ ଗୋଲ୍‌ ଦେଇଥିଲା। ଏକା ମନଜିତ ଡି ବାହାରୁ ବଲ୍‌ ନେଇ ଏକାଧିକ ଜାପାନୀ ରକ୍ଷାପନ୍ଥୀଙ୍କୁ ଚକ୍‌ମାଦେଇ ଗୋଲ୍‌ ସ୍କୋର୍ କରିଥିଲେ। ୧୩ ମିନିଟରେ ଭାରତକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲେ ହେଁ ଓଡ଼ିଆ ଖେଳାଳି ନୀଲମ୍ ସଞ୍ଜୀପ୍ ଖେସ୍‌ଙ୍କ ସଟ୍‌କୁ ଜାପାନୀ ଗୋଲ୍‌ରକ୍ଷକ ରୋକି ଦେଇଥିଲେ। ୨ୟ କ୍ବାର୍ଟରରେ ଜାପାନ ଦଳ ପୂରା ପ୍ରାଧାନ୍ୟ ବିସ୍ତାର କରିଥିଲା। ୧୮ ମିନିଟରେ ଜାପାନକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। କେନ୍‌ ନାଗାୟୋଶିଙ୍କ ସଟ୍‌କୁ ଭାରତୀୟ ଗୋଲ୍‌ରକ୍ଷକ ସୂରଜ କେର୍‌କେରା ରୋକି ଦେଇଥିବା ବେଳେ ରିବାଉଣ୍ଡରୁ ଟାକୁମା ନିୱାସ୍ ବଲ୍‌କୁ ଗୋଲ୍‌ ମଧ୍ୟକୁ ପଠାଇ ଦେଇଥିଲେ। କିଛି ମିନିଟ ପରେ ଭାରତର କାର୍ତ୍ତି ସେଲ୍‌ଭାମ୍ ଗୋଲ୍‌ ଦେବାର ସୁବର୍ଣ୍ଣ ସୁଯୋଗ ପାଇଥିଲେ। ତାଙ୍କୁ କେବଳ ଜାପାନୀ ଗୋଲ୍‌ରକ୍ଷକଙ୍କୁ ପରାସ୍ତ କରିବାକୁ ଥିବା ବେଳେ ସେତିକି ମଧ୍ୟ ସେ କରି ପାରିନଥିଲେ। ମଧ୍ୟାନ୍ତର ସୁଦ୍ଧା ସ୍କୋର୍ ୧-୧ ଥିଲା। ୩୫ ମିନିଟରେ ଉତ୍ତମ ସିଂହଙ୍କଠାରୁ ପାସ୍‌ ପାଇ ଭାରତର ପୱନ ରାଜଭଲ ଗୋଲ୍‌ଦେଇ ଭାରତକୁ ଆଗୁଆ କରିଥିଲେ। ଗୋଟିଏ ଗୋଲ୍‌ ପଛରେ ରହିବା ପରେ ଜାପାନୀ ଦଳ ଘନଘନ ଆକ୍ରମଣ କରିଥିଲା। ହେଲେ ଦୁଇ ଓଡ଼ିଆ ଡିଫେଣ୍ଡର ଅଧିନାୟକ ବୀରେନ୍ଦ୍ର ଲାକ୍ରା ଓ ଦୀପ୍‌ସାନ ତିର୍କୀଙ୍କ ନେତୃତ୍ବରେ ଭାରତୀୟ ରକ୍ଷାପନ୍ଥୀ ଜାପାନୀ ଫରୱାର୍ଡଙ୍କ ସମ୍ମୁଖରେ ପ୍ରାଚୀର ପରି ଛିଡ଼ା ହୋଇଥିଲେ। ରବିବାର ମାଲେସିଆ ବିପକ୍ଷରେ ଭାରତ ସୁପର-୪ର ୨ୟ ଲିଗ୍‌ ମ୍ୟାଚ୍‌ ଖେଳିବ। ଶନିବାର ଅନ୍ୟ ମ୍ୟାଚ୍‌ରେ ଦକ୍ଷିଣ କୋରିଆ ଓ ମାଲେସିଆ ମଧ୍ୟରେ ମ୍ୟାଚ୍‌ ୨-୨ ଗୋଲ୍‌ରେ ଡ୍ର ରହିଥିଲା।

Comments are closed.