ପ୍ରଥମଥର ସେଞ୍ଚୁରିଅନ୍ ଦୁର୍ଗ ଦଖଲକଲା ଭାରତ

ସାମି, ବୁମ୍‌ରାଙ୍କ ଘାତକ ବୋଲିଂ ; ଭାରତର ଐତିହାସିକ ବିଜୟ

ସେଞ୍ଚୁରିଅନ୍‌ : ସିଡ୍‌ନୀ ଟେଷ୍ଟରେ ଅଷ୍ଟ୍ରେଲିଆଠାରୁ ନିଶ୍ଚିତ ପରାଜୟରୁ ବଞ୍ଚିବା ସହ ଭାରତ ୨୦୨୧ ବର୍ଷ ଆରମ୍ଭ କରିଥିଲା । ପରେ ଅଷ୍ଟ୍ରେଲିଆର ଅଭେଦ୍ୟ ଦୁର୍ଗ ରହିଥିବା ବ୍ରିସ୍‌ବେନ୍‌ ଟେଷ୍ଟ ଜିତି ଅଷ୍ଟ୍ରେଲିଆ ମାଟିରେ କ୍ରମାଗତ ୨ୟ ଥର ଟେଷ୍ଟ ସିରିଜ୍ ଜିତିଥିଲା ଭାରତୀୟ ଦଳ । ୨୦୨୧ରେ ଟେଷ୍ଟ କ୍ରିକେଟ୍‌ର ଅନ୍ତିମ ଦିନରେ ଦକ୍ଷିଣ ଆଫ୍ରିକାର ସଫଳତମ ଷ୍ଟାଡିୟମ୍‌ ସେଞ୍ଚୁରିଅନ୍‌ର ଦୁର୍ଗକୁ ଦଖଲ କରିପାରିଛି ବିରାଟ ବାହିନୀ । ଗୁରୁବାର ସମାପ୍ତ ହୋଇଥିବା ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ବିଜୟପଥରେ ଅଧିନାୟକ ଡିନ୍ ଏଲ୍‌ଗାର ଛିଡ଼ା ହୋଇଥିବା ବେଳେ ଅନ୍ତିମ ଦିନରେ ବର୍ଷାର ଆଶଙ୍କା ମଧ୍ୟ ଥିଲା। ହେଲେ ୫ମ ତଥା ଅନ୍ତିମଦିନର ପ୍ରଥମ ଘଣ୍ଟାରେ ଏଲ୍‌ଗାରଙ୍କୁ ଯଶପ୍ରୀତ ବୁମ୍‌ରା ଆଉଟ କରି ଦେଇଥିବା ବେଳେ ପାଗ ଶୁଖିଲା ରହିଥିଲା । ଏହାର ଫାଇଦା ଉଠାଇ ଭାରତ ପ୍ରଥମ ଟେଷ୍ଟମ୍ୟାଚ୍‌କୁ ୧୧୩ ରନ୍‌ରେ ଜିତି ନେଇଛି । ଦକ୍ଷିଣ ଆଫ୍ରିକା ୨ୟ ଇନିଂସରେ କଷ୍ଟସାଧ୍ୟ ୩୦୫ ରନ୍‌ର ପିଛା କରିଥିବା ବେଳେ ୫ମ ଦିନର ଭୋଜନ ବିରତି ପରେ ୧୯୧ ରନ୍‌ରେ ଅଲ୍ଆଉଟ ହୋଇ ଯାଇଥିଲା । ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମି ୩ଟି ଲେଖାଏଁ ୱିକେଟ ନେଇ ଦକ୍ଷିଣ ଆଫ୍ରିକାର ବ୍ୟାଟିଂକୁ ଧ୍ବସ୍ତ କରିଥିଲେ।

ପ୍ଲେୟର ଅଫ୍‌ ଦି ମ୍ୟାଚ ରାହୁଲ

ପ୍ରଥମଥର ସେଞ୍ଚୁରିଅନ୍‌ରେ ଭାରତ ଟେଷ୍ଟମ୍ୟାଚ୍‌ ଜିତିପାରିଛି । ଏହି ବିଜୟ ସହ ଭାରତ ୩ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଛି । ଜାନୁଆରୀ ୩ରୁ ୨ୟ ଟେଷ୍ଟମ୍ୟାଚ୍‌ ଆରମ୍ଭହେବ। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମଥର ଟେଷ୍ଟ ସିରିଜ୍ ଜିତିବା ଲାଗି ଗୋଟିଏ ପାଦ ଆଗକୁ ବଢ଼ାଇଛି ଭାରତୀୟ ଦଳ ।  ଅନ୍ୟପକ୍ଷରେ ସେଞ୍ଚୁରିଅନ୍‌ରେ ୨୭ଟି ଟେଷ୍ଟମ୍ୟାଚ୍‌ ଖେଳି ଦକ୍ଷିଣ ଆଫ୍ରିକା ମାତ୍ର ୩ୟ ପରାଜୟ ଭୋଗିଛି । ୧୯୯୨ରୁ ଅଦ୍ୟାବଧି ୨୧ଟି ଟେଷ୍ଟମ୍ୟାଚ୍‌ରେ ଇନ୍ଦ୍ରଧନୁର ଦେଶ ଦକ୍ଷିଣ ଆଫ୍ରିକାରେ ଭାରତ ୨୧ଟି ଟେଷ୍ଟମ୍ୟାଚ୍‌ ଖେଳି ୪ର୍ଥ ବିଜୟ ହାସଲ କରିଛି। ଗୁରୁବାର ୫ମ ତଥା ଅନ୍ତିମ ଦିନରେ ମ୍ୟାଚ୍‌ ଜିତିବା ପାଇଁ ଭାରତ ୬ଟି ୱିକେଟ ଆବଶ୍ୟକ କରୁଥିବା ବେଳେ ଦକ୍ଷିଣ ଆଫ୍ରିକା ୨୧୧ ରନ୍‌ ଆବଶ୍ୟକ କରୁଥିଲା । ଭାରତ ପାଇଁ ବଡ଼ ଆହ୍ବାନ ଥିଲା ସମୟ । କାରଣ ଅନ୍ତିମ ଅଧିବେଶନରେ ବର୍ଷା ଆଶଙ୍କା ଥିଲା। ହେଲେ ବୁମ୍‌ରା ଓ ସାମି ବିଧ୍ବଂସୀ ବୋଲିଂକରି ଭୋଜନ ବିରତିର କିଛି ମିନିଟ ପରେ ଦକ୍ଷିଣ ଆଫ୍ରିକାର ଇନିଂସ ସମାପ୍ତ କରିଥିଲେ। ପୂର୍ବଦିନ ଅର୍ଦ୍ଧଶତକ ପୂରଣକରି ଅପରାଜିତ ଥିବା ଡିନ୍ ଏଲ୍‌ଗାରଙ୍କୁ ଦିନର ୧୦ମ ଓଭରରେ ବୁମ୍‌ରା ଆଉଟ କରିଥିଲେ। ଏଲ୍‌ଗାର ୧୨ଟି ଚୌକା ସହ ୭୭ ରନ୍‌ କରିଥିଲେ। ପ୍ରଥମ ଇନିଂସ ପରି ତେମ୍ବା ବାଭୁମା ୨ୟ ଇନିଂସରେ ମଧ୍ୟ ଲଢ଼ିଥିଲେ। ହେଲେ ବାଭୁମା ଗୋଟିଏ ପଟେ ଛିଡ଼ାହୋଇ ରହିଥିବା ବେଳେ ଅନ୍ୟପଟୁ ୱିକେଟ ପଡ଼ି ଚାଲିଥିଲା। କ୍ବିଣ୍ଟ ଡି କକ୍ ୨ଟି ଚୌକା ସହ ୨୧ ରନ୍‌ କରିଥିଲେ। ୩୦ ରନ୍‌ରେ ଦକ୍ଷିଣ ଆଫ୍ରିକା ଶେଷ ୫ଟି ୱିକେଟ ହରାଇ ପରାସ୍ତ ହୋଇଥିଲା। ମାର୍କୋ ୟାନ୍‌ସେନ୍ ୧୩ ରନ୍‌ କରିଥିଲେ। ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମି ୩ଟି ଲେଖାଏଁ ଏବଂ ମହମ୍ମଦ ସିରାଜ୍ ଓ ରବିଚନ୍ଦ୍ରନ ଅଶ୍ବିନ ୨ଟି ଲେଖାଏଁ ୱିକେଟ ନେଇଥିଲେ । ସେଞ୍ଚୁରିଅନ୍‌ରେ ବିଦେଶୀ ବ୍ୟାଟ୍‌ସମ୍ୟାନ ଭାବେ ସର୍ବାଧିକ ୧୨୩ ରନ୍‌ କରିଥିବା କେ.ଏଲ୍‌. ରାହୁଲ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Comments are closed.