ପୁରୁଷ ହକି: ବେଲ୍‌ଜିୟମ୍‌କୁ ୨-୧ରେ ହରାଇଲା ଭାରତ

ଆଣ୍ଟୱେର୍ପ (ବେଲ୍‌ଜିୟମ୍‌) : ବେଲ୍‌ଜିୟମ୍‌ ଗସ୍ତରେ ତା’ର ଚମତ୍କାର ପ୍ରଦର୍ଶନ ଜାରିରଖିଛି ଭାରତୀୟ ପୁରୁଷ ହକି ଦଳ। ଏହି ଗସ୍ତରେ ଭାରତ କ୍ରମାଗତ ୪ର୍ଥ ମ୍ୟାଚ୍‌ରେ ୪ର୍ଥ ବିଜୟ ହାସଲ କରିଛି। ମଙ୍ଗଳବାର ବିଶ୍ବ ଚମ୍ପିଆନ୍ ବେଲ୍‌ଜିୟମ୍‌କୁ ୨-୧ ଗୋଲ୍‌ରେ ବିଶ୍ବର ୫ନଂ ଦଳ ଭାରତ ପରାସ୍ତ କରିଛି। ଓଡ଼ିଆ ଖେଳାଳି ଅମିତ ରୋହିଦାସ ଏବଂ ସିମ୍ରନ୍‌ଜିତ ସିଂହଙ୍କ ଗୋଲ୍‌ ବଳରେ ଭାରତ ଏହି ବିଜୟ ହାସଲ କରିଛି। ଗସ୍ତର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ବେଲ୍‌ଜିୟମ୍‌କୁ ୨-୦ ଗୋଲ୍‌ରେ ଭାରତ ପରାସ୍ତ କରିଥିଲା। ଫଳରେ ଘରୋଇ ବେଲ୍‌ଜିୟମ୍ ବିପକ୍ଷରେ ଭାରତ ୨-୦ରେ ଆଗୁଆ ହୋଇଛି। ଗୁରୁବାର ବେଲ୍‌ଜିୟମ୍‌ ବିପକ୍ଷରେ ଭାରତ ୩ୟ ତଥା ଏହି ଗସ୍ତରେ ୫ମ ମ୍ୟାଚ୍ ଖେଳିବ। ସୂଚନାଯୋଗ୍ୟ; ଏହି ଗସ୍ତରେ ବିସ୍ପେନ୍‌କୁ ୨ଟି ମ୍ୟାଚ୍‌ରେ ଭାରତ ସହଜରେ ୬-୧ ଓ ୫-୧ରେ ବିଜୟୀ ହୋଇଥିଲା। ଫଳରେ ଭାରତ ଏହି ଗସ୍ତରେ ଅଦ୍ୟାବଧି ୪ଟିଯାକ ମ୍ୟାଚ୍ ଜିତିଛି।
ଭାରତ ମଙ୍ଗଳବାର ବେଲ୍‌ଜିୟମ୍ ବିପକ୍ଷରେ ଆକ୍ରମଣାତ୍ମକ ଢଙ୍ଗରେ ଖେଳିବା ଆରମ୍ଭ କରିଥିଲା। ଫଳତଃ ୧୦ମ ମିନିଟରେ ଭାରତକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିରୁ ଓଡ଼ିଆ ଡିଫେଣ୍ଡର ଅମିତ ରୋହିଦାସ ଗୋଲ୍‌ଦେଇ ଭାରତକୁ ୧-୦ରେ ଆଗୁଆ କରିଥିଲେ। ତେବେ ବିଶ୍ବ ମାନ୍ୟତାରେ ୨ନଂ ସ୍ଥାନରେ ଥିବା ବେଲ୍‌ଜିୟମ୍ ପ୍ରତ୍ୟାକ୍ରମଣ କରିଥିଲା। ତେବେ ଭାରତୀୟ ଡିଫେଣ୍ଡରଙ୍କ ଲଢ଼ୁଆ ପ୍ରଦର୍ଶନ ଓ ଗୋଲ୍‌ରକ୍ଷକ ପି.ଆର୍. ଶ୍ରୀଜେଶ ସମସ୍ତ ପ୍ରୟାସକୁ ବେକାର କରି ଦେଇଥିଲେ। ପ୍ରଥମ କ୍ବାର୍ଟରରେ ଭାରତ ୧-୦ ଗୋଲ୍‌ରେ ଆଗୁଆ ଥିଲା। ୨ୟ କ୍ବାର୍ଟରରେ ଗୋଲ୍‌ ନହେବାରୁ ପ୍ରଥମାର୍ଦ୍ଧରେ ଭାରତ ୧-୦ ଗୋଲ୍‌ରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ବେଲ୍‌ଜିୟମ୍ ଆକ୍ରମଣ କରିଥିଲା। ୩୩ ମିିନିଟରେ ବେଲ୍‌ଜିୟମ୍‌କୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିରୁ ବେଲ୍‌ଜିୟମ୍ ଅଧିନାୟକ ଫେଲିକ୍ସ ଡେନାୟର ଗୋଲ୍‌ଦେଇ ସ୍କୋର୍‌କୁ ୧-୧ କରିଥିଲେ। ଶେଷ କ୍ବାର୍ଟରରେ ବେଲ୍‌ଜିୟମ୍‌ ଲାଗଲାଗ ୨ଟି ପେନାଲ୍‌ଟି କର୍ଣ୍ଣର ପାଇଥିଲା। ତେବେ ଭାରତୀୟ ଗୋଲ୍‌ରକ୍ଷକ କ୍ରିଷନ ବାହାଦୁର ପାଠକ ଉଭୟ ପ୍ରୟାସକୁ ବ୍ୟର୍ଥ କରି ଦେଇଥିଲେ। ୫୨ ମିନିଟରେ ଭାରତୀୟ ଖେଳାଳିଙ୍କ ସଂଘବଦ୍ଧ ଆକ୍ରମଣ ଯୋଗୁଁ ଭାରତ ୨ୟ ଗୋଲ୍‌ ଦେଇଥିଲା। ସିମ୍ରନଜିତ ସିଂହ ଏହି ଗୋଲ୍‌ଟି ଦେଇଥିଲେ।

Comments are closed.