ଭାରତୀୟ କ୍ରିକେଟ୍‌ ଦଳର ଅଷ୍ଟ୍ରେଲିଆ ଗସ୍ତ କାର୍ଯ୍ୟକ୍ରମ

ଚୂଡ଼ାନ୍ତ ଟେଷ୍ଟ ସିରିଜ୍ ପୂର୍ବରୁ ସୀମିତ ଓଭର ସିରିଜ୍‌

ମେଲ୍‌ବୋର୍ଣ୍ଣ : ଚଳିତବର୍ଷ ଶେଷରେ ଭାରତୀୟ କ୍ରିକେଟ୍‌ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଘରୋଇ ଦଳ ବିପକ୍ଷରେ ୪ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳିବା ପୂର୍ବରୁ ଉଭୟ ଦଳଙ୍କ ମଧ୍ୟରେ ସୀମିତ ଓଭର ସିରିଜ୍ ଖେଳାଯିବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ସୂତ୍ରରୁ ଅଷ୍ଟ୍ରେଲିଆର ଗଣମାଧ୍ୟମ ପ୍ରକାଶ କରିଛି। ନଭେମ୍ବର ୩ୟ ସପ୍ତାହରେ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ଯିବ।
ଭାରତୀୟ ଟେଷ୍ଟ ଦଳର ଅଧିକାଂଶ​‌ ଖେଳାଳି ଏବେ ଆଇପିଏଲ୍‌ ଖେଳୁଛନ୍ତି। ନଭେମ୍ବର ୧୦ରେ ଆଇପିଏଲ୍‌ ଫାଇନାଲ​‌ ଖେଳାଯିବ। ଆଇପିଏଲ୍‌ ଖେଳୁଥିବା ଅଷ୍ଟ୍ରେଲିଆର କ୍ରିକେଟର ୟୁଏଇରୁ ଯାଇ ଅ‌େ‌ଷ୍ଟ୍ରଲିଆରେ ପହଞ୍ଚିବା ପରେ ୧୪ ଦିନ ଲାଗି ବାଧ୍ୟତାମୂଳକ କ୍ବାରେଣ୍ଟାଇନ୍‌ରେ ରହିବେ। ଏହାପରେ ସୀମିତ ଓଭର ସିରିଜ୍ ଖେଳାଯିବ; ଯାହାର କାର୍ଯ୍ୟସୂଚୀ ପରେ ଘୋଷଣା କରାଯିବ। ଅନୁମାନ କରାଯାଉଛି ଯେ ଡିସେମ୍ବର ଆରମ୍ଭରୁ ଭାରତ ଓ ଅଷ୍ଟ୍ରେଲିଆ ୩ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିବେ। ଏହାପରେ ଦିବାରାତ୍ର ଟେଷ୍ଟମ୍ୟାଚ୍ ସହ ଟେଷ୍ଟ ସିରିଜ୍ ଆରମ୍ଭହେବ। ପ୍ରଥମ ଗୋଲାପୀ ବଲ୍‌ ଟେଷ୍ଟ ଡିସେମ୍ବର ୧୭ରୁ ୨୧ ପର୍ଯ୍ୟନ୍ତ ଆଡିଲେଡ୍‌ରେ ଖେଳାଯିବ। ଡିସେମ୍ବର ୨୬ରୁ ୩୦ ପର୍ଯ୍ୟନ୍ତ ମେଲ୍‌ବୋର୍ଣ୍ଣରେ ବକ୍ସିଂଡେ ଟେଷ୍ଟମ୍ୟାଚ୍, ଜାନୁୟାରୀ ୭ରୁ ୧୧ ସିଡ୍‌ନୀରେ ୩ୟ ଟେଷ୍ଟମ୍ୟାଚ୍ ଏବଂ ଜାନୁୟାରୀ ୧୫ରୁ ୧୯ ପର୍ଯ୍ୟନ୍ତ ବ୍ରିସ୍‌ବେନ୍‌ରେ ୪ର୍ଥ ତଥା ଅନ୍ତିମ ଟେଷ୍ଟମ୍ୟାଚ୍ ଖେଳାଯିବ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା ପରେ ଏହି ଗସ୍ତ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ସୂତ୍ରରୁ ପ୍ରକାଶ। ପୁଣି ଭାରତୀୟ ଖେଳାଳିଙ୍କୁ ଅଳ୍ପଦିନ କ୍ବାରେଣ୍ଟାଇନ୍‌ରେ ରହିବା ଲାଗି ବିରାଟ କୋହଲିଙ୍କ ଦଳକୁ ପର୍ଥ କିମ୍ବା ଆଡିଲେଡ୍‌ ବଦଳରେ ବ୍ରିସ୍‌ବେନ୍‌ରେ ପହଞ୍ଚିବାକୁ କୁହାଯାଇଛି।

Comments are closed.