ବେଙ୍ଗାଲୁରୁରେ ନିର୍ଣ୍ଣାୟକ ଲଢେଇ: ଲଗାତର ୪ର୍ଥ ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ବେଙ୍ଗାଲୁରୁ: ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ୩ ଟିକିଆ ସିରିଜର ଶେଷ ଦିନିକିଆ। ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ବାଜିମାତ କରିଥିବା ବେଳେ ଦ୍ବିତୀୟ ମ୍ୟାଚ ଜିତି ଘରୋଇ ଭାରତ ସିରିଜକୁ ଏକ ନିର୍ଣ୍ଣାୟକ ମୋଡକୁ ନେଇ ଆସିଛି। ଆସନ୍ତାକାଲି ବେଙ୍ଗାଲୁରୁର ଏମ ଚିନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆ ସ୍ଥିର କରିବ କିଏ ହେବ ସିରିଜ ବିଜେତା।

ବେଙ୍ଗାଲୁରୁର ଏମ ଚିନାସ୍ୱାମୀ ଷ୍ଟାଡିୟମ  ବ୍ୟାଟିଂ ପିଚ୍ ଭାବରେ ପରିଚିତ ରହିଥିବାରୁ ଆସନ୍ତାକାଲିର ମ୍ୟାଚ୍ ଏକ ହାଇସ୍କୋରିଂ ମ୍ୟାଚ ହେବ ବୋଲି ଆଶାକରାଯାଉଛି। ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଠାରୁ ୧୦ ୱିକେଟରେ ପରାସ୍ତ ହୋଇଥିଲା। ଏହି ମ୍ୟାଚରେ ଭାରତୀୟ ଦଳ ବ୍ୟାଟିଂକ୍ରମକୁ ନେଇ ଏକାଧିକ ପରୀକ୍ଷା ନୀରିକ୍ଷା କରିଥିଲା। ଯାହା ଦଳ ପାଇଁ ପରାଜୟର ମୁଖ୍ୟ କାରଣ ହୋଇଥିଲା। କିନ୍ତୁ ରାଜକୋଟର ଦ୍ବିତୀୟ ମ୍ୟାଚରେ ନିଜର ଭୁଲକୁ ସଜାଡିଥିଲା ଟିମ୍ ଇଣ୍ଡିଆ ଆଉ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୩୬ ରନରେ ପରାଜିତ କରି ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିଥିଲା।

ଆସନ୍ତାକାଲିର ନିର୍ଣ୍ଣାୟକ ମ୍ୟାଚରେ ଭାରତ ରାଜକୋଟ ଦିନିକିଆ ଭଳି ଉନ୍ନତ ପଦର୍ଶନ କରି ସିରିଜକୁ ହାତେଇବା ଲକ୍ଷ୍ୟରେ ରହିଛି। ଦ୍ବିତୀୟ ମ୍ୟାଚରେ ଭାରତ ଆପଣେଇ ଥିବା ବ୍ୟାଟିଂ କ୍ରମକୁ ଅନ୍ତିମ ମୁକାବିଲାରେ ମଧ୍ୟ ଭାରତ ଜାରି ରଖିବ ବୋଲି ଆଶା କରାଯାଉଛି। ଦ୍ୱିତୀୟ ଦିନିକିଆରେ ଭଲ ବୋଲିଂ ପ୍ରଦର୍ଶନ କରି ଟ୍ରାକକୁ ଫେରିଥିବା ଭାରତୀୟ ବୋଲିଂ ବାହିନୀରେ କୌଣସି ପରିବର୍ତ୍ତନ ହେବ ବୋଲି ଲାଗୁନାହିଁ । ପୂର୍ବ ମ୍ୟାଚର ବୋଲିଂ ଆକ୍ରମଣକୁ ନେଇ ପୁଣି ଥରେ ବେଙ୍ଗାଲୁରୁର ଏମ ଚିନାସ୍ୱାମୀ ଷ୍ଟାଡିୟମ ଖେଳିବ ଟିମ ଇଣ୍ଡିଆ ।
ଭାରତକୁ କଡା ଟକ୍କର ଦେଉଥିବା ଅଷ୍ଟ୍ରେଲିଆ ସମସ୍ଥ ବିଭାଗରେ ସନ୍ତୁଳିତ ଜଣାପଡୁଥିବା ବେଳେ ଅଷ୍ଟ୍ରେଲିଆକୁ ହରାଇବାକୁ ହେଲେ ଭାରତକୁ ବ୍ୟାଟିଂ,ବୋଲିଂ ଓ କ୍ଷେତ୍ରରକ୍ଷଣ‌ରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡିବ । ଦ୍ୱିତୀୟ ମ୍ୟାଚ ଭଳି ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କୁ ଭାରତ ଶୀଘ୍ର ଆଉଟ କରିପାରିଲେ ଭାରତ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବାର ଆଶା ରହିଛି। କିନ୍ତୁ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ପାଇଁ ଭାରତୀୟ ବୋଲର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡିବ। କାରଣ ଷ୍ଟିଭ ସ୍ମିଥ ପଡିଆରେ ରହିଲେ ତାଙ୍କ ବ୍ୟାଟରୁ ରନ ବର୍ଷା ହେବା ସହ ପ୍ରତିପକ୍ଷ ଦଳକୁ ମ୍ୟାଚ ଜିତିବା କଷ୍ଟକର ହୋଇପଡେ।

Comments are closed.