ବିରାଟ, ସୂର୍ଯ୍ୟ , ଅକ୍ଷର, ହାର୍ଦିକ ସଫଳ, ରାହୁଲ ବିଫଳ

ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ; ଭାରତ ପାଇଁ ସକରାତ୍ମକ ଦିଗ ଓ ଆହ୍ବାନ

ଡେଥ୍‌ ଓଭର ବୋଲିଂ ସୁଧାରିବା ଜରୁରୀ

ନୂଆଦିଲ୍ଲୀ : ଟ୍ବେଣ୍ଟି-୨୦ ବିଶ୍ବକପ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଭ୍ରମଣକାରୀ ଅଷ୍ଟ୍ରେଲିଆ​‌ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଶେଷ କରିଛି। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି । ଉକ୍ତ ଶୃଙ୍ଖଳା ଭାରତ ପାଇଁ କିଛିମାତ୍ରାରେ ସକରାତ୍ମକ ପ୍ରତିଫଳିତ ହେବା ସହ ତ୍ରୁଟି ସୁଧାରିବାର ସୁଯୋଗ ମିଳିଛି। ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତ ବୃହତ ୨୦୮ରନ କରିଥିଲେ ମଧ୍ୟ ଦୁର୍ବଳ ବୋଲିଂ ପାଇଁ ଦଳ ପରାଜିତ ହୋଇଥିଲା। ଦ୍ବିତୀୟ ମ୍ୟାଚରେ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରି ଜିତିବା ସହ ଶୃଙ୍ଖଳାକୁ ବରାବର କରିଥିଲା। ନିର୍ଣ୍ଣାୟକ ମ୍ୟାଚରେ ଭାରତ ବିଜୟ ପାଇଁ ଧାର୍ଯ୍ୟ ୧୮୭ରନକୁ ୪ ୱିକେଟ ହରାଇ ସଂଗ୍ରହ କରିନେବା ସହିତ ଶୃଙ୍ଖଳାକୁ ୨-୧ରେ ଜିତି ନେଇଥିଲା। ଉକ୍ତ ଶୃଙ୍ଖଳାରୁ ଭାରତକୁ କିଛି ଲାଭ ଆଉ ସଚେତନ ହେବାର ଆହ୍ବାନ ମଧ୍ୟ ମିଳିଛି। ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଦର୍ଶନ ଦଳ ପାଇଁ ବହୁତ ମୂଲ୍ୟବାନ ଓ ଶୁଭଙ୍କର ରହିଛି। ୧୦୨୧ ଦିନ ପରେ ଗତ ଏସିଆ କପରେ ୭୧ତମ ଶତକ ହାସଲ କରିଥିବା ବିରାଟ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ବ୍ୟାଟିଂ କରିଥିଲେ। ଆଗାମୀ ବିଶ୍ବକପ ପାଇଁ ଭାରତୀୟ ଦଳ ଲାଗି ବଡ ଖୁସି ଖବର ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି। ବିରାଟ ୩ୟ ଟ୍ବେଣ୍ଟି୨୦ ମ୍ୟାଚରେ ୪୮ଟି ବଲରୁ ୬୩ରନର ପାଳି ଖେଳିଥିଲେ। ଉକ୍ତ ଇନିଂସ ବିରାଟଙ୍କ ଅନ୍ୟତମ ସ୍ବତନ୍ତ୍ର ବୋଲି ରୋହିତ କହିଛନ୍ତି। ଅନ୍ୟତମ ବ୍ୟାଟ୍‌ସମ୍ୟାନ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଶୃଙ୍ଖଳାରେ ଦାୟିତ୍ବୂପୂର୍ଣ୍ଣ ଇନିଂସ ଖେଳିଥିଲେ। ସେ ଜଣେ ନିର୍ଭରଯୋଗ୍ୟ ମ୍ୟାଚ ବିଜେତା ବୋଲି ନିଜକୁ ପ୍ରମାଣିତ କରିଛନ୍ତି। ସୂଯ୍ୟଙ୍କ ଇନିଂସ ବିଶ୍ବକପରେ ବିପକ୍ଷ ଦଳ ପାଇଁ ନିଶ୍ଚିତ ଚିନ୍ତା ବଢାଇବ ବୋଲି ରୋହିତ କହିଛନ୍ତି। ହାର୍ଦିକ ପାଣ୍ଡ୍ୟା ନିଜ ଦାୟିତ୍ବକୁ ସଠିକ ଭାବେ ଉପଯୋଗ କରିଛନ୍ତି। ଅଲରାଉଣ୍ଡର ଭୂମିକାକୁ ହାର୍ଦିକ ଦାୟିତ୍ବର ସହ ତୁଲାଇଥିଲେ। ହାର୍ଦିକ ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ସହିତ ଶେଷ ମ୍ୟାଚରେ ୨୫ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ହାର୍ଦିକଙ୍କ ଫର୍ମ ବିଶ୍ବକପ ଲାଗି ବଡ ଉପଯୋଗୀ ହେବ ବୋଲି ରୋହିତ କହିଛନ୍ତି। ଉକ୍ତ ଶୃଙ୍ଖଳାରେ ଡେଥ୍‌ ଓଭର ବୋଲିଂ ଚିନ୍ତା ବଢାଇଥିଲା। ପ୍ରଥମ ମ୍ୟାଚରେ ଶେଷ ୩ ଓଭରରେ ଆମେ ୫୩ରନ ବ୍ୟୟ କରିଥିଲୁ। ଭୁବନେଶ୍ବର ଡେଥ୍‌ ଓଭରରେ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଟ୍ବେଣ୍ଟି୨୦ ବିଶ୍ବକପରେ ଆମ ନିକଟରେ ଯଶପ୍ରୀତ ବୁମ୍‌ରା, ହର୍ଷଲ ପଟେଲ, ଅର୍ଶଦୀପ୍‌ ସିଂହ, ଭୁବନେଶ୍ବର କୁମାର ଭଳି ୪ଜଣ ଦ୍ରୁତ ବୋଲର ରହିଛନ୍ତି। ଟ୍ବେଣ୍ଟି୨୦ ବିଶ୍ବକପ ପୂର୍ବରୁ ଆମ ନିକଟରେ ୩ଟି ଟ୍ବେଣ୍ଟି୨୦ ମ୍ୟାଚ ବାକି ଅଛି। ଉକ୍ତ ୩ ମ୍ୟାଚରେ ଡେଥ୍‌ ଓଭର ବୋଲିଂକୁ ସୁଧାରିବା ଏବେ ଆମ ପାଇଁ ଆହ୍ବାନ ହୋଇଛି ବୋଲି ରୋହିତ କହିଛନ୍ତି। ଲୋକେଶ ରାହୁଲ ଓପନିଂରେ ବିଫଳ ହୋଇଛନ୍ତି। ରାହୁଲଙ୍କ ପ୍ରଦର୍ଶନ ଚିନ୍ତା ବଢାଇଛି। ରାହୁଲଙ୍କୁ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ଟି ଟ୍ବେଣ୍ଟି୨୦ ମ୍ୟାଚରେ ଫର୍ମକୁ ​‌େଫରିବାକୁ ପଡିବ ବୋଲି ରୋହିତ କହିଛନ୍ତି। ସ୍ପିନ ବୋଲିଂ ବିଭାଗରେ ଅକ୍ଷର ପଟେଲ ନିଜକୁ ସାବ୍ୟସ୍ତ କରିଛନ୍ତି। ଟ୍ବେଣ୍ଟି୨୦ ବିଶ୍ବକପରେ ଅକ୍ଷର ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନ ପୂରଣ କରିବାରେ ସକ୍ଷମ ହେବେ ବୋଲି ରୋହିତ କହିଛନ୍ତି।

Comments are closed.