ଅଷ୍ଟ୍ରେଲିଆ ୨-୦ରେ ସିରିଜ୍ ବିଜୟୀ

ପର୍ଥ : ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭାରତୀୟ ପୁରୁଷ ହକି ଦଳ ସିରିଜର ଦ୍ବିତୀୟ ଟେଷ୍ଟରେ ମଧ୍ୟ ପରାଜୟ ବରଣ କରିଛି। ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ୫-୨ ଗୋଲରେ ଭାରତକୁ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ଦୁଇଟିକିଆ ସିରିଜକୁ ୨-୦ରେ ହାତେଇ ନେଇଛି। ସୂଚନାଯୋଗ୍ୟ ଗତ ବୁଧବାର ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୪-୦ ଗୋଲରେ ଭାରତକୁ ହରାଇଥିଲା।
ଶୁକ୍ରବାର ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ପ୍ରାରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲା। ଭାରତୀୟ ରକ୍ଷଣଭାଗ ଖେଳାଳିଙ୍କ ଅସାବଧାନତାର ସୁଯୋଗ ନେଇ ବ୍ଲାକ୍‌ ଗୋର୍ଭସ ପ୍ରଥମ କ୍ବାର୍ଟରର ୩ ମିନିଟରେ ଗୋଲ ସ୍କୋର କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ୫ ମିନିଟରେ ଭାରତକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲା। ତେବେ ରୂପିନ୍ଦରପାଲ ସିଂହ ବଲକୁ ନିୟନ୍ତ୍ରଣ କରିବାରେ ବିଫଳ ହେବାଫଳରେ ଏହି ସୁଯୋଗ ହାତଛଡା ହୋଇଥିଲା। ଏକ ମିନିଟ ବ୍ୟବଧାନରେ ଅଷ୍ଟ୍ରେଲିଆକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲା। ଭାରତୀୟ ଗୋଲରକ୍ଷକ ଶ୍ରୀଜେସଙ୍କ ତତ୍ପରତା ଯୋଗୁଁ ଗୋଲ ସମ୍ଭବ ହୋଇନଥିଲା। ୧୪ ମିନିଟରେ ଅଷ୍ଟ୍ରେଲିଆ ଆଉ ଏକ ଗୋଲ ଦେଇ ୨-୦ରେ ଆଗୁଆ ରହିଥିଲା। ୧୫ ମିନିଟରେ ନୀଳକାନ୍ତ ଶର୍ମା ଭାରତ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରି ଏହି ବ୍ୟବଧାନ ୨-୧କୁ ହ୍ରାସ କରିଥିଲେ। ଦ୍ବିତୀୟ କ୍ବାର୍ଟରର ୩ ମିନିଟରେ ଭାରତକୁ ସୁବର୍ଣ୍ଣ ସୁଯୋଗ ମିଳିଥିଲେ ସୁଦ୍ଧା ମନଦୀପ ସିଂହ ଅଷ୍ଟ୍ରେଲିଆର ଫାଙ୍କା ଗୋଲପୋଷ୍ଟ ମଧ୍ୟକୁ ବଲ ପଠାଇବାରେ ବିଫଳ ହୋଇଥିଲେ। ଏହି କ୍ବାର୍ଟରର ୧୦ ମିନିଟରେ ଟ୍ରେଣ୍ଟ ମିଟନ ଅଷ୍ଟ୍ରେଲିଆ ପକ୍ଷରୁ ତୃତୀୟ ଗୋଲ ଦେବାଫଳରେ ଦଳ ୩-୧ରେ ଆଗୁଆ ରହିଥିଲା। ୧୫ ମିନିଟରେ ବ୍ଲାକ୍‌ ଗୋଭର୍ସଙ୍କ ଚମତ୍କାର ଫିଲ୍ଡ ଗୋଲ ଯୋଗୁଁ ଅଷ୍ଟ୍ରେଲିଆର ଗୋଲ ବ୍ୟବଧାନ ୪-୧କୁ ବୃଦ୍ଧି ପାଇଥିଲା। ମଧ୍ୟାନ୍ତର ସୁଦ୍ଧା ସ୍କୋରଲାଇନ ଅଷ୍ଟ୍ରେଲିଆ ସପକ୍ଷରେ ୪-୧ ରହିଥିଲା।
ମଧ୍ୟାନ୍ତର ପରେ ଅଷ୍ଟ୍ରେଲିଆ ଦଳ ଅଧିକାଂଶ ସମୟ ବଲକୁ ନିଜ ନିୟନ୍ତ୍ରଣରେ ରଖିଥିଲା। ଭାରତୀୟ ଖେଳାଳି ସମସ୍ତ ଉଦ୍ୟମ ସତ୍ତ୍ବେ ଅଷ୍ଟ୍ରେଲିଆର ରକ୍ଷଣଭାଗକୁ ଭେଦ କରିବାରେ ବିଫଳତା ପ୍ରକାଶ କରିଥିଲା। ୧୩ ମିନିଟରେ ଡାନିଏଲ ବିଲ୍‌ ଗୋଲ ସ୍କୋର କରିବା ଫଳରେ ଅଷ୍ଟ୍ରେଲିଆ ୫-୧ରେ ଆଗୁଆ ରହିଥିଲା। ଚତୁର୍ଥ କ୍ବାର୍ଟରର ୧୧ ମିନିଟରେ ଭାରତକୁ ଆଉ ଏକ ପେନାଲଟି କର୍ଣ୍ଣର ମିଳିଥିଲା। ରୂପିନ୍ଦରଙ୍କ ଶକ୍ତିଶାଳୀ ସଟ୍‌କୁୁ ଅଷ୍ଟ୍ରେଲିଆ ଗୋଲରକ୍ଷକ ଅଟକାଇବାରେ ବିଫଳ ହୋଇଥିଲେ। ଶେଷ ମୁହୂର୍ତ୍ତରେ ଗୋଲ ବରଣ କରିଥିଲେ ସୁଦ୍ଧା ଅଷ୍ଟ୍ରେଲିଆ ଶେଷରେ ୫-୨ ଗୋଲରେ ବିଜୟୀ ହୋଇ ସିରିଜ କବ୍‌ଜା କରିପାରିଥିଲା।

Comments are closed.