ସୀମାନ୍ତରେ ଗର୍ଜିବ ରାଫାଲେ: ଭାରତ-ଫ୍ରାନ୍ସ କରିବେ ମିଳିତ ସମରାଭ୍ୟାସ ‘ସ୍କାଏରସ୍’

ପ୍ୟାରିସ: ପୂର୍ବ ଲାଦାଖରେ ଚୀନ ସହ ଚାଲିଥିବା ସୀମା ବିବାଦ ମଧ୍ୟରେ ଭାରତ ଓ ଫ୍ରାନ୍ସର ବାୟୁସେନା ଆସନ୍ତା ବର୍ଷ ଆରମ୍ଭରେ କରିବେ ମିଳିତ ସମରାଭ୍ୟାସ । ଭାରତର ସୀମାନ୍ତବର୍ତୀ ଅଞ୍ଚଳରେ ଏହି ସମରାଭ୍ୟାସ ହେବ । ଏଥିରେ ଫ୍ରାନ୍ସରୁ ଭାରତ କ୍ରୟ କରିଥିବା ରାଫାଲେ ସହ ଫ୍ରାନ୍ସ ନିଜ ବାୟୁସେନା ପାଇଁ ପ୍ରସ୍ତୁତ କରିଥିବା ରାଫାଲେ ଯୁଦ୍ଧବିମାନ ଅଂଶଗ୍ରହଣ କରିବ । ଏହି ସମରାଭ୍ୟାସର ନାମ ରଖାଯାଇଛି ‘ସ୍କାଏରସ୍’ ।

ବର୍ତମାନ ସୁଦ୍ଧା ଭାରତ ଦୁଇଟି ପର୍ଯ୍ୟାୟରେ ୯ଟି ରାଫାଲେ ବିମାନ ପାଇ ସାରିଛି ଓ ଜାନୁଆରୀ ପ୍ରଥମ ସପ୍ତାହରେ ତୃତୀୟ ପର୍ଯ୍ୟାୟରେ ୩ଟି ରାଫାଲେ ଭାରତରେ ପହଞ୍ଚିବ । ଖବର ସରବରାହ ସଂସ୍ଥା ଏଏନଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମିଳିତ ସମରାଭ୍ୟାସ ‘ସ୍କାଏରସ’ରେ ଫ୍ରାନ୍ସ ନିର୍ମିତ ରାଫାଲେ ସହ ରୁଷ ନିର୍ମିତ  ସୁଖୋଇ-୩୦ ବି ଭାଗ ନେବ ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ସମୟରେ ଫ୍ରାନ୍ସ ଓ ଭାରତୀୟ ବାୟୁସେନା କିଛି ଜଟିଳ ଯୁଦ୍ଧ ପଦ୍ଧତି ନେଇ ମଧ୍ୟ ସମରାଭ୍ୟାସ କରିବେ । ଯାହା ଭାରତ ନିମନ୍ତେ ଭବିଷ୍ୟତରେ ଉପଯୋଗୀ ସାବ୍ୟସ୍ତ ହେବ ।

Comments are closed.