ଅଣ୍ଡର-୧୯ ବିଶ୍ୱକପ୍‌ : ଜାପାନକୁ ୪୧ ରନରେ ଅଲଆଉଟ କରିବା ପରେ ୧୦ୱିକେଟରେ ମ୍ୟାଚ ହାତେଇଲା ଭାରତ

ବ୍ଲୋଏମଫୋଣ୍ଟେନ୍‌ : ଦକ୍ଷିଣ ଆଫ୍ରିକାରେ ଜାରି ରହିଥିବା ଅଣ୍ଡର-୧୯ ବିଶ୍ୱକପ୍‌ କ୍ରିକେଟରେ ମଙ୍ଗଳାବର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ଟିମ ଇଣ୍ଡିଆ ଜବରଦସ୍ତ ଖେଳ ପ୍ରଦର୍ଶନ କରିଛି। ଆଇସିସି ପକ୍ଷରୁ ଅଣ୍ଡର୍‌-୧୯ ବିଶ୍ୱକପରେ ହୋଇଥିବା ଆଜିର ଦ୍ୱିତୀୟ ମୁକାବିଲାରେ ଅପେକ୍ଷାକୃତ ଦୁର୍ବଳ ଜାପାନକୁ ପ୍ରଥମେ ଭାରତ ମାତ୍ର ୪୧ ରନରେ ଅଲଆଉଟ୍ କରିଦେଇଥିଲା। ଯେଉଁଥିରେ ଅତିରିକ୍ତ ୧୯ରନ ସାମିଲ ଥିଲା। ପରେ ଏହି ଛୋଟିଆ ଲକ୍ଷ୍ୟକୁ ଭାରତ ମାତ୍ର ୪.୫ ଓଭରରେ କୌଣସି ୱିକେଟ ନ ହରାଇ ହାସଲ କରିନେଇଥିଲା। ଏଥିସହ ଭାରତ ମୁକାବିଲାକୁ ୧୦ ୱିକେଟରେ ଜିତି ସୁପରଲିଗରେ ସ୍ଥାନ ପକ୍କା କରିଛି।
ଭାରତ ପକ୍ଷରୁ ଯଶସ୍ୱୀ ଜୈସୱାଲ୍ ସର୍ବାଧିକ ୧୮ଟି ବଲରୁ ୫ ଚୌକା, ୧ ଛକା ସହାୟତାରେ ୨୯ରନ ଓ କୁମାର କୁଶାଗ୍ର ୧୩ (୧୧ ବଲ୍‌, ୨ ଚୌକା) ରନ୍ କରି ଅପରାଜିତ ଥିଲେ। ଭାରତ ତା’ର ପରବର୍ତ୍ତୀ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଭେଟିବ।

ସେହିପରି ଭାରତ ପକ୍ଷରୁ ସ୍ପିନର୍ ରବି ବିଶ୍ନୋଇ ମାତ୍ର ୫ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ତାଙ୍କ ବ୍ୟତୀତ ଦ୍ରୁତ ବୋଲର କାର୍ତ୍ତିକ ତ୍ୟାଗି ୩ଟି, ଆକାଶ ସିଂହ ୨ଟି ଓ ବିଦ୍ୟାଧର ପାଟିଲ୍ ଗୋଟିଏ ୱିକେଟ୍ ନେଇଥିଲେ।

Comments are closed.