ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ : ସାମିଲ ହେବେ ୩୦ କରୋନା ଯୋଦ୍ଧା

ଭୁବନେଶ୍ବର : ସମ୍ପ୍ରତି କୋଭିଡ୍‌-୧୯ ପରିପ୍ରେକ୍ଷିରେ କେନ୍ଦ୍ର ସରକାର ସ୍ବାଧୀନତା ଦିବସ ପାଳନ ପାଇଁ ସ୍ବତନ୍ତ୍ର ଭାବେ ମାର୍ଗଦର୍ଶିକା ଜାରି କରିଛନ୍ତି। ତେଣୁ ଏନେଇ ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟସ୍ତରୀୟ ପରେଡ୍‌ ଉତ୍ସବରେ ୩୦ ଜଣ କୋଭିଡ୍‌ ଯୋଦ୍ଧାଙ୍କୁ ସାମିଲ୍‌ କରାଯିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସାମାଜିକ ଦୂରତା ଏବଂ ମାସ୍କ ଭଳି କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଉପରେ ରାଜ୍ୟ ସରକାର ଅଧିକ ଗୁରୁତ୍ବ ଦେଇଛିନ୍ତ। ତେଣୁ ଏହି ଉତ୍ସବରେ ଅତିଥିଙ୍କୁ ମିଶାଇ ୧୦୦ ଜଣରେ ସୀମିତ ରଖିବାକୁ ନିଷ୍ପତ୍ତି ହୋଇଛି। ସ୍ବାଧୀନତା ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବେ। ରାଜ୍ୟ ଉଦ୍ଦେଶ୍ୟରେ ତାଙ୍କ ଅଭିବାଦନ ରଖିଲେ। ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବା ସମୟରେ କେହି ମଞ୍ଚ ନିକଟକୁ ଯିବେ ନାହିଁ। ସାମାଜିକ ଦୂରତା ରକ୍ଷା କରିବା ଲାଗି ମାତ୍ର ୩ ପ୍ଲାଟୁନ୍‌ ପୁଲିସ ଫୋର୍ସ ସଲାମୀ ଦେବା ଲାଗି ମଞ୍ଚ ନିକଟରେ ରହିବେ। ଓଡ୍ରାଫ, ଓଏସ୍‌ଏପି ଓ ଏସ୍‌ଏସ୍‌ବିର ଗୋଟିଏ ଲେଖାଏଁ ଦଳ ଅଂଶଗ୍ରହଣ କରିବେ। ଏଥିରେ ଓଏସ୍‌ଏପିର ପୁଲିସ ବ୍ୟାଣ୍ଡ୍‌ ରହିବ। ସ୍ବାଧୀନତା ଦିବସ ଶନିବାର ତଥା ସଟ୍‌ଡାଉନ୍‌ ରହୁଥିବାରୁ ପ୍ରାୟତଃ ଯାତାୟତ ଉପରେ କଟକଣା ରହିଛି। ତେଣୁ ମୁଖ୍ୟମନ୍ତ୍ରୀ ପ୍ରଦର୍ଶନୀ ପଡିଆକୁ ଆସିବା ସମୟରେ ଉକ୍ତ ରାସ୍ତାରେ ଯାନବାହନ ଉପରେ ସମ୍ପୂର୍ଣ୍ଣ କଟକଣା ରହିବ। କୌଣସି ଜନସାଧାରଣଙ୍କର ସ୍ବାଧୀନତା ଦିବସ ପରେଡ୍‌ ଦେଖିବାକୁ ପଡିଆକୁ ପ୍ରବେଶ ଉପରେ କଟକଣା ରହିଥିବା ନେଇ ପୁଲିସ କମିସନର ଡ. ସୁଧାଂଶୁ ଶେଖାର ଷଡଙ୍ଗୀ ସୂଚନା ଦେଇଛନ୍ତି। ସେହିପରି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଅନୁମତି ନାହିଁ।
ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଫଟୋ ଓ ପ୍ରେସ୍‌ ବିବୃତି ଯୋଗାଇ ଦିଆଯିବ। ଟେଲିଭିଜନ ଚାନେଲ୍‌ ପାଇଁ ଲାଇଭ୍‌ କାର୍ଯ୍ୟକ୍ରମର ପ୍ରସାରଣ ଲାଗି ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ଜନସାଧାରଣଙ୍କୁ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ନ ଥିବାରୁ ବ୍ୟାପକ ପୁଲିସ ବନ୍ଦୋବସ୍ତ ମଧ୍ୟ କରାଯାଇନାହିଁ। ତେବେ ପ୍ରଦର୍ଶନୀ ପଡିଆକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ଉତ୍ସବ ସମୟରେ ସିଲ୍‌ କରାଯିବ ବୋଲି ସେ କହିଛନ୍ତି। ଆସନ୍ତା ୧୧ ତାରିଖଠାରୁ ୩ ଦିନ ରିହରସାଲ୍‌ କରାଯିବ।

Comments are closed.