ଇଣ୍ଡିଆ ନାଁ ଭାରତ ? ବିଚାର ଆଜି

ନୂଆଦିଲ୍ଲୀ‌ : ଦେଶର ନାମ ‘ଇଣ୍ଡିଆ’ ବଦଳରେ କେବଳ ‘ଭାରତ’ ରଖାଯିବା ସଂକ୍ରାନ୍ତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ମଙ୍ଗଳବାର ଆରମ୍ଭ ହେବ। ସ୍ବାଧୀନତା ପରେ ୧୯୪୯ରେ ଭାରତର ସମ୍ବିଧାନ ସଭା ଦେଶ ପାଇଁ ଏହି ଦୁଇଟି ନାମ (ଇଣ୍ଡିଆ ଓ ଭାରତ) ରଖିଥିଲେ ମଧ୍ୟ ଏହାକୁ ନେଇ ବିତର୍କ ହୋଇଥିଲା । ଅଧିକାଂଶ ମୂଳ ନାମ ଭାରତକୁ ସମର୍ଥନ କରିଥିଲେ । ଏହି ପରିପ୍ରେକ୍ଷୀରେ ଦେଶର ନାମ ସରକାରୀ ଭାବେ କେବଳ ଭାରତ ରଖାଯିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି । ଦିଲ୍ଲୀର ନାମା ନାମକ ଜଣେ ବ୍ୟକ୍ତି ‘ଇଣ୍ଡିଆ’ ଦାସତ୍ବର ପରିଚାୟକ ବୋଲି ଦର୍ଶାଇବା ସହ ସମ୍ବିଧାନର ଧାରା-୧ର ସଂଶୋଧନ କରାଯାଇ ‘ଇଣ୍ଡିଆ’ ନାମକୁ ରଦ୍ଦ କରିବାକୁ ଆବେଦନ କରିଛନ୍ତି। ସେ ଦେଶର ନାମ କେବଳ ଭାରତ ବା ହିନ୍ଦୁସ୍ଥାନ ରଖିବାକୁ ଆବେଦନରେ ଉଲ୍ଲେଖ କରିଛନ୍ତି। ଏଥିସହିତ ଭାରତର ସୀମା ଧାର୍ଯ୍ୟ କରିବାକୁ ସେ ଆବେଦନ କରିଛନ୍ତି। ଏହା ପୂର୍ବରୁ ୨୦୧୪ରେ ତତ୍କାଳୀନ ଲୋକସଭା ସାଂସଦ ତଥା ବର୍ତ୍ତମାନର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକସଭାରେ ଏକ ‘ପ୍ରାଇଭେଟ୍‌ ମେମ୍ବର ବିଲ୍‌’ ଆଗତ ପୂର୍ବକ ଦେଶର ନାମ ଭାରତ ରଖିବାକୁ ଏବଂ ‘ଇଣ୍ଡିଆ’ ସ୍ଥାନରେ ‘ହିନ୍ଦୁସ୍ଥାନ’ ଲେଖାଯିବାକୁ; ଅର୍ଥାତ୍‌ ସମ୍ବିଧାନର ଧାରା-୧କୁ ସଂଶୋଧନ କରି ‘ଇଣ୍ଡିଆ ଦ୍ୟାଟ୍‌ ଇଜ୍‌ ହିନ୍ଦୁସ୍ଥାନ’ ରଖିବାକୁ ପ୍ରସ୍ତାବ ରଖିଥିଲେ। ବ୍ରିଟିଶ ଶାସକ ଭାରତକୁ ‘ଇଣ୍ଡିଆ’ ବୋଲି କହୁଥିବାବେଳେ ମୋଗଲମାନେ ‘ହିନ୍ଦୁସ୍ଥାନ’ ନାମ ଦେଇଥିଲେ। ସମ୍ବିଧାନ ନିର୍ମାତାମାନେ ଇଣ୍ଡିଆ ଓ ଭାରତ ଦୁଇଟିଯାକ ନାମକୁ ଗ୍ରହଣ କରିଥିଲେ। ସମ୍ବିଧାନ ସଭାରେ ଗୃହୀତ ପ୍ରସ୍ତାବ ଆଧାରରେ ସମ୍ବିଧାନର ଧାରା ୧(୧)ରେ ‘ଇଣ୍ଡିଆ ଦ୍ୟାଟ୍‌ ଇଜ୍‌ ଭାରତ ସାଲ୍‌ ବି ଏ ୟୁନିୟନ ଅଫ ଷ୍ଟେଟ୍ସ’ ବୋଲି ଉଲ୍ଲେଖ ରହିଛି। ଆବେଦନକାରୀ ସମ୍ବିଧାନ ସଭାରେ ୧୯୪୯ ନଭେମ୍ବର ୧୮ରେ ନାମକୁ ନେଇ ହୋଇଥିବା ବିତର୍କକୁ ନିଜ ଆବେଦନ ସପକ୍ଷରେ ଉଦ୍ଧାର କରିଛନ୍ତି। ଏଥିସହିତ ନାମ ପରିବର୍ତ୍ତନ ହୋଇଥିବା ବିଭିନ୍ନ ସ୍ଥାନର ଦୃଷ୍ଟାନ୍ତ ସେ ରଖିଛନ୍ତି। ସମ୍ବିଧାନ ସଭାରେ ଏଚ୍‌.ଭି କାମାଥ, ସେଠ୍‌ ଗୋବିନ୍ଦ ଦାସ, ଏମ୍‌.ଏ ଆୟଙ୍ଗାର, କେ.ଭି ରାଓ, ବି.ଏମ୍‌ ଗୁପ୍ତା, ଶ୍ରୀରାମ ସହାୟ, କମଳାପତି ତ୍ରିପାଠୀ, ହର ଗୋବିନ୍ଦ ପନ୍ଥ ପ୍ରମୁଖ ‘ଇଣ୍ଡିଆ’ ନାମକୁ ଘୋର ବିରୋଧ କରିଥିଲେ। ସଭାର ଅଧ୍ୟକ୍ଷ ଡଃ ରାଜେନ୍ଦ୍ର ପ୍ରସାଦଙ୍କ ଉପସ୍ଥିତିରେ ଡଃ ଭୀମରାଓ ଆମ୍ବେଦକରଙ୍କ ସହିତ ଏମାନଙ୍କର ପ୍ରବତଳ ଯୁକ୍ତି ହୋଇଥିଲା। ପରେ ରାଜେନ୍ଦ୍ର ପ୍ରସାଦ ‘ଇଣ୍ଡିଆ ଦ୍ୟାଟ୍‌ ଇଜ୍‌ ଭାରତ’ ଉପରେ ମୋହର ଲଗାଇଥିଲେ।

Comments are closed.