ଭାରତ ବିପକ୍ଷ ଦିନିକିଆ ସିରିଜ୍‌ରୁ ରାବାଡ଼ା ବାଦ୍‌

ଜୋହାନ୍‌ସବର୍ଗ  :  ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ମାସରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ନିମନ୍ତେ ଦକ୍ଷିଣ ଆଫ୍ରିକା ଦଳରୁ ବାଦ୍‌ ପଡ଼ିଛନ୍ତି ପ୍ରମୁଖ ଦ୍ରୁତ ବୋଲର କାଗିସୋ ରାବାଡା। ରାବାଡ଼ାଙ୍କ ଜଂଘ ମାଂସପେଶୀରେ ଆଘାତ ଲାଗିଥିବାରୁ ସେ ଅତିକମ୍‌ରେ ୪ ସପ୍ତାହ ପାଇଁ କ୍ରିକେଟ୍ ଖେଳିପାରିବେ ନାହିଁ। ଏହାକୁ ଦୃଷ୍ଟିରେ ରଖି ସେ ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ଓ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ୍‌ ପଡ଼ିଥିବା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଆସୋସିଏସନ୍‌ ତରଫରୁ ସୂଚନା ଦିଆଯାଇଛି।
ସୂଚନାଥାଉକି ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଗତ ବୁଧବାର ଖେଳୁଥିବା ବେଳେ ରାବାଡ଼ା ଆଘାତପ୍ରାପ୍ତ ହୋଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିବା ବେଳେ ସଂପୂର୍ଣ୍ଣ ସୁସ୍ଥ ହେବାକୁ ଅତିକମ୍‌ରେ ୪ ସପ୍ତାହ ସମୟ ଲାଗିବ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥିଲେ। ତେଣୁ ସେ ଭାରତ ଓ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଖେଳିପାରିବେ ନାହିଁ। ଦକ୍ଷିଣ ଆାଫ୍ରିକା ଦଳ ଭାରତ ଗସ୍ତରେ ଆସି ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ମାର୍ଚ୍ଚ ୧୨ରେ ଧର୍ମଶାଳାରେ ଖେଳିବ। ଅନ୍ୟପକ୍ଷରେ ସଂପୂର୍ଣ୍ଣ ସୁସ୍ଥ ହୋଇଥିବା ବ୍ୟାଟସମ୍ୟାନ୍‌ ଟେମ୍ବା ବାଭୁମାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ ନିମନ୍ତେ ଦକ୍ଷିଣ ଅାଫ୍ରିକା ଦଳରେ ସାମିଲ କରା ଯାଇଥିବା ଜଣାପଡ଼ିଛି।

Comments are closed.