ହାଇଦରାବାଦରେ ଦ୍ୱିତୀୟ ଟେଷ୍ଟ ଆଜିଠାରୁ

0

ହାଇଦରାବାଦ : ଘରୋଇ ଭାରତ ଓ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‍ ମଧ୍ୟରେ ଆଜିଠାରୁ ୨ୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‍ ଖେଳାଯିବ। ଏହି ଟେଷ୍ଟକୁ ଜିତି ୨-୦ରେ ସିରିଜ୍‍ ପୋଛିବା ଲକ୍ଷ୍ୟରେ ଟିମ୍‍ ଇଣ୍ଡିଆ ରହିଛି। ଅବଶ୍ୟ ସିରିଜ୍‍ର ଫଳାଫଳ ୨-୦ ହେବ ବୋଲି କ୍ରିକେଟ ପଣ୍ଡିତମାନେ ଭବିଷ୍ୟବାଣୀ କରି ସାରିଲେଣି। ଭାରତର ମୁକାବିଲା କରିବାକୁ ଏହି ୱେଷ୍ଟଇଣ୍ଡିଜ୍‍ ଦଳର ସାମର୍ଥ୍ୟ ନାହିଁ ବୋଲି ପ୍ରଥମ ଟେଷ୍ଟରେ ପ୍ରମାଣିତ ହୋଇସାରିଛି। ବ୍ୟାଟିଂ ହେଉ ବା ବୋଲିଂ; କୌଣସି ବିଭାଗରେ ଭାରତର ମୁକାବିଲା କରି ପାରିନାହିଁ ୱେଷ୍ଟଇଣ୍ଡିଜ୍‍। ୩ ଦିନ ମଧ୍ୟରେ ଏହି ମ୍ୟାଚ୍‍ ସମାପ୍ତ ହୋଇଥିବା ବେଳେ ଭାରତ ଇନିଂସ ଓ ୨୭୨ ରନ୍‍ରେ ବିଜୟୀ ହୋଇଥିଲା; ଯାହା ଏହାର ଟେଷ୍ଟ ଇତିହାସରେ ସର୍ବବୃହତ୍‍ ବିଜୟ।
ତା’ର କ୍ରିକେଟ ଇତିହାସରେ ୨ୟ ସର୍ବବୃହତ୍‍ ପରାଜୟ ଭୋଗିଥିବା ୱେଷ୍ଟଇଣ୍ଡିଜ୍‍ ଯଦି ଏହି ଟେଷ୍ଟମ୍ୟାଚ୍‍ରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇପାରେ; ତେବେ ଏହା ପାଇଁ ବଡ଼ ଉପଲବ୍‍ଧି ହେବ। ୱେଷ୍ଟଇଣ୍ଡିଜ୍‍ ଦଳରେ ଥିବା ଜଣେ ମଧ୍ୟ ବ୍ୟାଟ୍‍ସମ୍ୟାନ୍‍ ଭାରତୀୟ ସ୍ପିନରଙ୍କ ମୁକାବିଲା କରିବା ଭଳି ଲାଗୁନାହିଁ। ତେଣୁ ଦୁର୍ବଳ ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ଘରୋଇମାଟିରେ ଖେଳିବା ଆଗକୁ ହେବାକୁ ଥିବା ଅଷ୍ଟ୍ରେଲିଆ ଗସ୍ତ ପାଇଁ ଆଦର୍ଶ ପ୍ରସ୍ତୁତି ନୁହେଁ ବୋଲି କ୍ରିକେଟ ପଣ୍ଡିତ କହି ସାରିଲେଣି। ୨୦୧୧ରେ ଇଣ୍ଡିଜ୍‍କୁ ୨-୦ରେ ହରାଇବା ପରେ ଘରୋଇ ଅଷ୍ଟ୍ରେଲିଆଠାରୁ ୦-୪ରେ ପରାସ୍ତ ହୋଇଥିଲା। ୨୦୧୩ରେ ମଧ୍ୟ ଇଣ୍ଡିଜ୍‍କୁ ସହଜରେ ହରାଇବା ପରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ପରାସ୍ତ ହୋଇଥିଲା। ପୁଣି ବର୍ତ୍ତମାନର ଦଳକୁ ଭାରତ ଗସ୍ତରେ ଆସିଥିବା ଦୁର୍ବଳତମ ୱେଷ୍ଟଇଣ୍ଡିଜ୍‍ ଦଳ ବୋଲି କୁହାଯାଉଛି। ପ୍ରଥମ ଟେଷ୍ଟରେ ଜୀବନର ପ୍ରଥମ ମ୍ୟାଚ୍‍ ଖେଳି ଶତକ ଅର୍ଜନ କରିଥିଲେ ୧୮ ବର୍ଷ ବୟସ୍କ ପୃଥ୍ୱୀ ସ’ ଏବଂ ଅଧିନାୟକ ବିରାଟ କୋହଲି ଜୀବନର ୨୪ତମ ଟେଷ୍ଟ ଶତକ ହାସଲ କରିଥିଲେ। ତେବେ ଏହି ଟେଷ୍ଟରେ ବିଫଳ ହୋଇଥିବା କେ.ଏଲ୍‍. ରାହୁଲ ଓ ମଧ୍ୟକ୍ରମରେ ବଡ଼ ସ୍କୋର୍‍ କରିନଥିବା ଅଜିଙ୍କ୍ୟ ରାହାଣେଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଗତ ୧୪ ମାସ ହେଲା ରାହାଣେ ଟେଷ୍ଟ ଶତକ ହାସଲ କରିନାହାନ୍ତି। ଅପରିବର୍ତ୍ତିତ ଏକାଦଶ ଖେଳାଇବା ନେଇ ଭାରତୀୟ ଦଳ ସଙ୍କେତ ଦେଇଛି। ତେଣୁ ସାର୍ଦ୍ଦୁଳ ଠାକୁର ଓ ମୟଙ୍କ ଅଗ୍ରୱାଲଙ୍କୁ ଏବେ ଅପେକ୍ଷା କରିବାକୁ ପଡ଼ିବ। ରାଜକୋଟରେ ଅଲ୍‍ରାଉଣ୍ଡ ସଫଳତା ପରେ ରବୀନ୍ଦ୍ର ଜାଡ଼େଜା ଉତ୍ସାହିତ ଅଛନ୍ତି।
ୱେଷ୍ଟଇଣ୍ଡିଜ୍‍ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଦୁର୍ବଳ ପ୍ରଦର୍ଶନ କରିଛି। ପ୍ରଥମ ଟେଷ୍ଟରେ କେବଳ କୈରନ୍‍ ପୱେଲ ଓ ରୋଷ୍ଟନ୍‍ ଚେଜ୍‍ ଅର୍ଦ୍ଧଶତକ ମାରିଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ବ୍ୟାଟିଂ ବିଭାଗରେ ୱେଷ୍ଟଇଣ୍ଡିଜ୍‍ ନିକଟରେ ଅଧିକ ବିକଳ୍ପ ନାହାନ୍ତି। ତେଣୁ ଏହା ଅପରିବର୍ତ୍ତିତ ଏକାଦଶ ଖେଳାଇପାରେ। ତେବେ ଅଧିନାୟକ ତଥା ଫାଷ୍ଟବୋଲର ଜେସନ୍‍ ହୋଲ୍‍ଡରଙ୍କ ସହ ତାଙ୍କ ନୂଆ ବଲ୍‍ ଯୋଡ଼ି କିମାର ରୋଚ୍‍ ଏହି ଟେଷ୍ଟମ୍ୟାଚ୍‍ ଖେଳିପାରନ୍ତି। ଏହାସତ୍ତ୍ବେ ୱେଷ୍ଟଇଣ୍ଡିଜ୍‍ ଦଳକୁ ବିଶେଷ ଫାଇଦା ମିଳିବାର ସମ୍ଭାବନା କମ୍‍। କାରଣ ହାଇଦରାବାଦର ନିର୍ଜୀବ ପିଚ୍‍ରୁ ପେସ୍‍ ବୋଲରଙ୍କୁ ସେପରି ସହାୟତା ମିଳିବ ବୋଲି ମନେ ହେଉନାହିଁ। ପୁଣି ହୋଲ୍‍ଡର ଓ ରୋଚ୍‍ଙ୍କ ଗତି ଏତେ ଅଧିକ ନୁହେଁ ଯେ ଦୁହେଁ ଭାରତୀୟ ବ୍ୟାଟ୍‍ସମ୍ୟାନଙ୍କ ଉପରେ ପ୍ରଭାବ ପକାଇ ପାରିବେ। ୱେଷ୍ଟଇଣ୍ଡିଜ୍‍ ଯଦି କିଛି ଚମତ୍କାର ନ କରେ; ତେବେ ଏହି ମ୍ୟାଚ୍‍ ୩ ଦିନରେ ସମାପ୍ତ ହୋଇପାରେ; ଯଦ୍ୱାରା ଭାରତୀୟ ଖେଳାଳି ଦଶହରା ଉତ୍ସବ ପାଳନ କରିବାକୁ ସମୟ ପାଇବେ। ଏହାସହ ପୁଣି ଏକ ବଡ଼ ପରାଜୟ ଏଡ଼ାଇବା ପାଇଁ ୱେଷ୍ଟଇଣ୍ଡିଜ୍‍ ପ୍ରୟାସ ତ ନିଶ୍ଚୟ କରିବ; ତେବେ ପରାଜୟ ଏଡ଼ାଇବା ଏହା ପାଇଁ କଷ୍ଟକର ହୋଇପାରେ। ତେଣୁ ଭାରତର ୨-୦ରେ ସିରିଜ୍‍ ବିଜୟ ଏବେ ମାତ୍ର ଏକ ଔପଚାରିକତାରେ ପରିଣତ ହୋଇଛି।

ଚୁଡାନ୍ତ ଭାରତୀୟ ଦଳ

ବିରାଟ କୋହଲି, କେ.ଏଲ ରାହୁଲ, ପୃଥ୍ୱୀ ସ’, ଚେତଶ୍ୱର ପୁଜାରା,  ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ଥ, ଆର ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, କୂଳଦୀପ ଯାଦବ, ମହମ୍ମଦ ଶାମି, ଉମେଶ ଯାଦବ, ଶର୍ଦୁଳ ଠାକୁର ।

Leave A Reply