ମହିଳା ଟି-୨୦: ଓପ୍‌ନରଙ୍କ ଅର୍ଦ୍ଧଶତକ; ଇଣ୍ଡିଜ୍‌କୁ ହରାଇଲା ଭାରତ

ଗ୍ରସ୍ ଆଇଲେଟ୍‌ : ମାତ୍ର ୧୫ ବର୍ଷ ବୟସରେ ଭାରତୀୟ ମହିଳା କ୍ରିକେଟ ଦଳର ଓପ୍‌ନର ସେଫାଳି ବର୍ମା ଆନ୍ତର୍ଜାତିକ କ୍ରିକେଟରେ ତାଙ୍କ ଚମକ ଜାରି ରଖିଛନ୍ତି। ତାଙ୍କ ସହ ବାମହାତି ଓପ୍‌ନର ସ୍ମୃତି ମାନ୍ଧାନା ମଧ୍ୟ ତାଙ୍କ ବ୍ୟାଟିଂ ଫର୍ମ ଅବ୍ୟାହତ ରଖିଛନ୍ତି। ଫଳରେ ଶନିବାର ରାତିରେ ଖେଳା ଯାଇଥିବା ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଘରୋଇ ୱେଷ୍ଟଇଣ୍ଡିଜ୍‌କୁ ୮୪ ରନ୍‌ରେ ଭାରତ ପରାସ୍ତ କରିଛି। ସେଫାଳି ଓ ମାନ୍ଧାନା ଅର୍ଦ୍ଧଶତକ ହାସଲ କରିବାରୁ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭର ଶେଷରେ ୪ ୱିକେଟରେ ପ୍ରଭାବଶାଳୀ ୧୮୫ ରନ୍ କରିଥିଲେ। ପରେ ୱେଷ୍ଟଇଣ୍ଡିଜ୍ ୯ ୱିକେଟରେ ୧୦୧ ରନ୍ କରି ପାରିଥିଲା। ଏହି ବିଜୟ ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ହୋଇଛି। ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍ ରବିବାର ରାତିରେ ଖେଳାଯାଉଛି।
ଟସ୍ ଜିତି ଘରୋଇ ୱେଷ୍ଟଇଣ୍ଡିଜ୍ ଫିଲ୍‌ଡିଂ ନେବା ପରେ ଦୁଇ ଭାରତୀୟ ଓପ୍‌ନର ସେଫାଳି ବର୍ମା ଓ ସ୍ମୃତି ମାନ୍ଧାନା ୧୬ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିଲେ ଏବଂ ୧୪୩ ରନ୍‌ର ରେକର୍ଡ ଭାଗିଦାରୀ କରିଥିଲେ। ​‌୧୫ ବର୍ଷ ବୟସ୍କ ସେଫାଳି ବର୍ମା ମାତ୍ର ୪୯ ବଲ୍‌ ଖେଳି ୪ଟି ଛକା ଓ ୬ଟି ଚୌକା ସହ ୭୩ ରନ୍ କରିଥିଲେ। ସ୍ମୃତି ମାନ୍ଧାନା ୪୬ ବଲ୍‌ରୁ ୧୧ଟି ଚୌକା ସହ ୬୭ ରନ୍ କରିଥିଲେ। ଅଧିନାୟକ ହରମନପ୍ରୀତ କୌର ୧୩ ବଲ୍‌ରୁ ୩ଟି ଚୌକା ସହ ୨୧ ରନ୍‌କରି ଏବଂ ବେଦା କୃଷ୍ଣମୂର୍ତ୍ତି ୭ ବଲ୍‌ରୁ ୨ଟି ଚୌକା ସହ ୧୫ ରନ୍‌କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍‌ର ସାକେରା ସେଲ୍‌ମାନ ଓ ଅନିସା ମହମ୍ମଦ ୨ଟି ଲେଖାଏଁ ୱିକେଟ ପାଇଥିଲେ। ପରେ ୱେଷ୍ଟଇଣ୍ଡିଜ୍ ଦୟନୀୟ ଭାବେ ୧୮୬ ରନ୍‌ର ପିଛା କରିଥିଲା। ସେମେନ୍ କ୍ୟାମ୍ପ୍‌ବେଲ୍‌ ୩୩, ହାର୍ଲି ମାଥ୍ୟୁସ୍ ଓ ଷ୍ଟେସି ଆନ୍ କିଙ୍ଗ୍ ୧୩ ରନ୍‌ ଲେଖାଏଁ ଓ କାଇସୋନା ନାଇଟ୍‌ ୧୨ ରନ୍ କରିଥିଲେ। ଭାରତର ଶିଖା ପାଣ୍ଡେ, ରାଧା ଯାଦବ ଓ ପୁନମ୍ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେଫାଳି ବର୍ମା ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

Comments are closed.