ଭାରତ-ୱେଷ୍ଟଇଣ୍ଡିଜ୍ ନିର୍ଣ୍ଣାୟକ ୩ୟ ଟ୍ବେଣ୍ଟି-୨୦ ଆଜି

ମୁମ୍ବଇ : ୨୦୧୬ ମାର୍ଚ୍ଚ ୩୧ରେ ଏହି ଓାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ସେମିଫାଇନାଲରେ ଭାରତକୁ ପରାସ୍ତ  କରିବା ପରେ ଫାଇନାଲ ଜିତି ଚମ୍ପିଆନ୍ ହୋଇଥିଲା ୱେଷ୍ଟଇଣ୍ଡିଜ୍। ତେବେ ବିଶ୍ବ ଚମ୍ପିଆନ୍ ହେବା ପରେ ଟ୍ବେଣ୍ଟି-୨୦ରେ ଭଲ ପ୍ରଦର୍ଶନ ୱେଷ୍ଟଇଣ୍ଡିଜ୍ କରି ପାରିନାହିଁ । ଇଣ୍ଡିଜ୍ ୧୩ଟି ମ୍ୟାଚ୍ ଜିତି ୨୬ଟିରେ ପରାସ୍ତ ହୋଇଛି । ଏହି ଗ୍ରାଉଣ୍ଡରେ ବୁଧବାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିବାକୁ ଯାଉଛି ୱେଷ୍ଟଇଣ୍ଡିଜ୍। ଘରୋଇ ଭାରତ ବିପକ୍ଷରେ ଇଣ୍ଡିଜ୍ ନିର୍ଣ୍ଣାୟକ ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିବ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କ୍ରମାଗତ ୭ଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଜିତିବା ପରେ ରବିବାର ପରାଜୟର ତିକ୍ତ ସ୍ବାଦ ଚାଖିଛି ଭାରତୀୟ ଦଳ। ଶୃଙ୍ଖଳିତ ବୋଲିଂ ଓ ବିସ୍ଫୋରକ ବ୍ୟାଟିଂ ବଳରେ ୨ୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଭାରତକୁ ସହଜରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଏହି ବିଜୟ ଫଳରେ ୩ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ସିରିଜ୍‌କୁ ୱେଷ୍ଟଇଣ୍ଡିଜ୍ ୧-୧ କରିପାରିଛି। ଫଳରେ ବୁଧବାର ଖେଳାଯିବାକୁ ଥିବା ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍ ନିର୍ଣ୍ଣାୟକ ହୋଇଯାଇଛି। ଟି୨୦ ବିଶ୍ବକପ୍ ଜିିତିବା ପରଠାରୁ ୱେଷ୍ଟଇଣ୍ଡିଜ୍‌ ଦୁର୍ବଳ ପ୍ରଦର୍ଶନ କରିଥିବା ବେଳେ ତା’ରି ମାଟିରେ ଭାରତକୁ ପରାସ୍ତ କରିବାର ସୁଯୋଗ ଏହା ପାଖରେ ରହିଛି। ଅନ୍ୟପକ୍ଷରେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୨୦୭ ରନ୍‌ର ପିଛାକରି ଜିତିଥିବା ଭାରତ ୨ୟ ମ୍ୟାଚ୍‌ରେ ଏହି ଝଟ୍‌କା ପରେ ଉନ୍ନତ ପ୍ରଦର୍ଶନ ଲକ୍ଷ୍ୟରେ ରହିଛି। ୨୦୨୦ ଟ୍ବେଣ୍ଟି୨୦ ବିଶ୍ବକପ୍ ଲାଗି ଭାରତ ପ୍ରସ୍ତୁତ ହେଉଥିବା ବେଳେ ଏହି ଘରୋଇ ସିରିଜ୍ ଜିତିବାକୁ ନିଶ୍ଚୟ ପ୍ରୟାସ କରିବ।
ଉଭୟ ମ୍ୟାଚ୍‌ର ଫଳାଫଳରୁ ସ୍ପଷ୍ଟ ହୋଇଯାଇଛି ଯେ, ଭାରତ ଜିତିବାକୁ ହେଲେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରୁ ଜଣଙ୍କୁ ବଡ଼ ସ୍କୋର୍ କରିବାକୁ ପଡ଼ିବ। ପ୍ରଥମ ମ୍ୟାଚ୍‌ରେ ରୋହିତ ବିଫଳ ହୋଇଥିଲେ ହେଁ କୋହଲିଙ୍କ ଇନିଂସ ବଳରେ ଭାରତ ଏତେ ବଡ଼ ସ୍କୋର୍‌ର ପିଛା କରି ପାରିଥିଲା। ୨ୟ ମ୍ୟାଚ୍‌ରେ ଉଭୟ ରୋହିତ ଓ କୋହଲି ବିଫଳ ହେବାରୁ ଭାରତ ଏହି ବ୍ୟାଟିଂ ପିଚ୍‌ରେ ମାତ୍ର ୧୭୦ ରନ୍ କରି ପାରିଥିଲା। ୨ୟ ମ୍ୟାଚ୍‌ରେ ଶିବମ୍ ଦୁବେ ୩ନଂ ସ୍ଥାନରେ ବ୍ୟାଟିଂକରି ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିବା ଭାରତୀୟ ଦଳକୁ ଉତ୍ସାହିତ କରିଛି ନିଶ୍ଚୟ। ଋଷଭ ପନ୍ତ୍ ବେଶ୍ କିଛି ସମୟ କ୍ରିଜ୍‌ରେ ରହିଥିଲେ ହେଁ ସ୍ବାଭାବିକ ଭାବେ ଷ୍ଟ୍ରୋକ୍ ଖେଳି ପାରିନଥିଲେ। ଉଭୟ ମ୍ୟାଚ୍‌ରେ ଶେୟାସ ଆୟର ବିଫଳ ହେବା ଭାରତୀୟ ଦଳକୁ ଚିନ୍ତାରେ ପକାଇଛି। ବୋଲିଂକୁ ନେଇ ମଧ୍ୟ ଭାରତର ଚିନ୍ତା କିଛି କମ୍ ନୁହେଁ। ୨ଟି ମ୍ୟାଚ୍‌କୁ ମିଶାଇ ଭାରତୀୟ ବୋଲର ମୋଟ ୭ଟି ୱିକେଟ ନେଇ ପାରିଛନ୍ତି। ସମସ୍ତ ବୋଲର ଅଧିକ ରନ୍ ବ୍ୟୟ କରିଛନ୍ତି। ତେଣୁ ନିର୍ଣ୍ଣାୟକ ମ୍ୟାଚ୍ ହୋଇଥିବାରୁ ଭାରତ ଏକାଦଶରେ ପରିବର୍ତ୍ତନ କରିବାକୁ ଚାହିଁବନାହିଁ। ଫଳରେ ମହମ୍ମଦ ସାମି ଓ କୁଲଦୀପ ଯାଦବଙ୍କୁ ସୁଯୋଗ ନମିଳିପାରେ। କ୍ରମାଗତ ୨ଟି ମ୍ୟାଚ୍‌ରେ ଭଲ ବ୍ୟାଟିଂ କରିପାରିଛି ୱେଷ୍ଟଇଣ୍ଡିଜ୍। ଓପ୍‌ନର ଏଭିନ୍ ଲୁଇସ୍ ପ୍ରଥମ ମ୍ୟାଚ୍‌ରେ ଏବଂ ଲେଣ୍ଡଲ ସିମନ୍‌ସ ୨ୟ ମ୍ୟାଚ୍‌ରେ ଭଲ ବ୍ୟାଟିଂ କରିଛନ୍ତି। ସିମ୍ରନ୍ ହେତ୍‌ମେୟର ଉଭୟ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରିଥିବା ବେଳେ ବାସନ୍ଦ ଉଠିବା ପରେ ନିକୋଲାସ୍ ପୁରନ୍ ୨ୟ ମ୍ୟାଚ୍‌ରେ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ୨ୟ ମ୍ୟାଚ୍‌ରେ ଲୁଇସ୍-ସିମନ୍‌ସ ୭୩ ରନ୍‌ର ଓପ୍‌ନିଂ ଭାଗିଦାରୀ କରିବା ଯୋଗୁଁ ୱେଷ୍ଟଇଣ୍ଡିଜ୍ ବିଜୟର ମୂଳଦୁଆ ପକାଇ ପାରିଥିଲା। କୈରନ୍ ପୋଲାର୍ଡ ଦଳର ନେତୃତ୍ବ ନେବା ପରଠାରୁ ଦାୟିତ୍ବର ସହ ବ୍ୟାଟିଂ କରୁଛନ୍ତି। ଚଳିତବର୍ଷ ଟ୍ବେଣ୍ଟି୨୦ରେ ପୋଲାର୍ଡ ୩ୟ ସର୍ବାଧିକ ରନ୍‌ ସ୍କୋରର୍। ତେଣୁ ବୁଧବାର ଅପରିବର୍ତ୍ତିତ ଏକାଦଶ ନେଇ ୱେଷ୍ଟଇଣ୍ଡିଜ୍ ଓହ୍ଲାଇପାରେ।
ଉଭୟ ମ୍ୟାଚ୍‌ରେ ବ୍ୟାଟ୍‌ସମ୍ୟାନ୍‌ଙ୍କ ପ୍ରଦର୍ଶନ ଯୋଗୁଁ ୱେଷ୍ଟଇଣ୍ଡିଜ୍‌ର ଆତ୍ମବିଶ୍ବାସ ବଢ଼ିଛି। କିଛି ଅଭିଜ୍ଞ ଖେଳାଳି ଦଳରେ ନ ଥିଲେ ହେଁ ଯୁବ ବ୍ୟାଟ୍‌ସମ୍ୟାନ୍ ଆକ୍ରମଣାତ୍ମକ ବ୍ୟାଟିଂକରି ସଫଳ ହୋଇ ପାରିଛନ୍ତି। ସିପିଏଲ୍‌ରେ ଦୁଇ ସଫଳ ଖେଳାଳି ବ୍ୟାଟ୍‌ସମ୍ୟାନ୍ ବ୍ରାଣ୍ଡନ୍ କିଙ୍ଗ୍ ଓ ଲେଗ୍‌ସ୍ପିନର ହେଡେନ୍ ୱାଲ୍‌ସ ଜୁନିୟର ଭଲ ପ୍ରଦର୍ଶନ କରିଛନ୍ତି। ଫାବିଏନ୍ ଆଲେନ୍ ଆହତ ହେବା ଦଳକୁ ସାମାନ୍ୟ ଦୁର୍ବଳ କରିଛି। ଇଣ୍ଡିଜ୍ ଅଧିନାୟକ କୈରନ୍ ପୋଲାର୍ଡ ଏହି ଗ୍ରାଉଣ୍ଡ ବିଷୟରେ ଭଲଭାବେ ଅବଗତ। ସେ ମୁମ୍ବଇ ଇଣ୍ଡିଆନ୍‌ସ ପାଇଁ ଏଠାରେ ଆଇପିଏଲ୍‌ ଖେଳନ୍ତି। ତଥାପି ମୁମ୍ବଇରେ ମ୍ୟାଚ୍ ଜିତି ସିରିଜ୍ ଜିତିବା ପାଇଁ ଭାରତ ନିଶ୍ଚୟ ଫେଭରିଟ୍‌। ତେବେ ତା’ର ବ୍ୟାଟିଂ ଶକ୍ତି ବଳରେ ଭାରତକୁ ଚକ୍‌ମା ଦେବାର ସାମର୍ଥ୍ୟ ୱେଷ୍ଟଇଣ୍ଡିଜ୍‌ର ରହିଛି। କାକରର ପ୍ରଭାବକୁ ଦେଖି ଉଭୟ ଦଳ ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେବାକୁ ଚାହିଁବେ।

Comments are closed.