ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟମ୍ୟାଚ୍

ନର୍ଥ ସାଉଣ୍ଡ (ଆଣ୍ଟିଗ୍ବା) : ଟ୍ବେଣ୍ଟି୨୦ ଓ ଦିନିକିଆ ସିରିଜ୍‌ର ସଫଳତା ପରେ ଭାରତୀୟ ଦଳ ଗୁରୁବାର ପୁଣି ପଡ଼ିଆକୁ ଓହ୍ଲାଇବ। ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟମ୍ୟାଚ୍ ଖେଳିବ। ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଆରମ୍ଭହେବା ପରଠାରୁ ଏହା ଭାରତର ପ୍ରଥମ ଟେଷ୍ଟମ୍ୟାଚ୍ ହେବ। ପୁଣି ଦୀର୍ଘ ସାଢ଼େ ୭ ମାସ ପରେ ଭାରତୀୟ ଦଳ ଟେଷ୍ଟମ୍ୟାଚ୍ ଖେଳିବାକୁ ଓହ୍ଲାଇବ। ପୁଣି ଭାରତୀୟ ଖେଳାଳିଙ୍କ ପିଠିରେ ଦିିନିକିଆ ମ୍ୟାଚ୍ ପରି ନମ୍ବର ଓ ନାମ ରହିବ। ଧଳାବଲ୍‌ର ଦୁଇଟି ସିରିଜ୍‌ରେ ଭାରତୀୟ ଦଳ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିବା ବେଳେ ଟେଷ୍ଟରେ ମଧ୍ୟ ଏହା ଜାରି ରଖିବାକୁ ବିରାଟ କୋହଲିଙ୍କ ଦଳ ଚାହିଁବ। ସୀମିତ ଓଭର ସିରିଜ୍‌ରେ ସମାପ୍ତ ହୋଇଥିବା ୫ଟିଯାକ ମ୍ୟାଚ୍ ଜିତିଥିବା ଭାରତୀୟ ଦଳର ମନୋବଳ ବେଶ୍ ଊର୍ଦ୍ଧ୍ବରେ। ଅନ୍ୟପକ୍ଷରେ ଏହି ୫ଟି ମ୍ୟାଚ୍‌ରେ ସମସ୍ତ ବିଭାଗରେ ପଛରେ ପଡ଼ିିଥିବା ୱେଷ୍ଟଇଣ୍ଡିଜ୍ ଦଳ ଯେ ଟେଷ୍ଟ ସିରିଜ୍‌ରେ ଭାରତୀୟ ଦଳର ସଫଳ ମୁକାବିଲା କରିପାରିବ; କ୍ରିକେଟ ବିଶେଷଜ୍ଞଙ୍କର ଏହି ବିଶ୍ବାସ ବହୁତ କମ୍। ତେଣୁ ଭାରତ ଉଭୟ ମ୍ୟାଚ୍ ଜିତି ସିରିଜ୍ ପୋଛିନେବା ଲାଗି ଫେଭରିଟ୍‌ର ମାନ୍ୟତା ହାସଲକରି ଏହି ମ୍ୟାଚ୍‌ରେ ଓହ୍ଲାଇବ।

ଭାରତ ପାଇଁ ଏହା ଏକ ଶୁଭସୂଚନା ଯେ ୱେଷ୍ଟଇଣ୍ଡିଜ୍ ପରି ଏକ ଅପେକ୍ଷାକୃତ ଦୁର୍ବଳ ଦଳ ବିପକ୍ଷରେ ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଅନ୍ତର୍ଗତ ସିରିଜ୍ ଖେଳିବାକୁ ଯାଉଛି। ୨ଟିଯାକ ସିରିଜ୍ ଜିତି ଭାରତ ୧୨୦ ପଏଣ୍ଟ ହାସଲକରି ଚମ୍ପିଆନ୍‌ସିପରେ ତା’ର ଅଭିଯାନ ଆରମ୍ଭ କରିବାକୁ ଚାହିଁବ। ବିଗତ ଦଶନ୍ଧିରେ ୱେଷ୍ଟଇଣ୍ଡିଜ୍ ଦଳ ନିଜମାଟିରେ ସର୍ବଦା ଭାରତ ବିପକ୍ଷ​‌େ​‌ର ପ୍ରାଧାନ୍ୟ ବିସ୍ତାର କରିଆସିଛି। ହେଲେ ସେତେବେଳର ୱେଷ୍ଟଇଣ୍ଡିଜ୍ ଦଳ ଆଉ ନାହିଁ। ଗତଥର ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଆସିଥିବା ବେଳେ ସହଜରେ ଟେଷ୍ଟ ସିରିଜ୍ ଜିତିଥିଲା। ଏଥର ମଧ୍ୟ ସେପରି ଭିନ୍ନ ଫଳାଫଳ ଦେଖିବାର ସମ୍ଭାବନା ବହୁତ କମ୍। ଭାରତୀୟ ଦଳର ବ୍ୟାଟିଂ ବେଶ୍ ମଜ୍‌ଭୁତ ରହିଛି। ଓପ୍‌ନର ଭାବେ ମୟଙ୍କ ଅଗ୍ରୱାଲ ଓ କେ.ଏଲ୍‌. ରାହୁଲ ଖେଳିବା ନିଶ୍ଚିତ। ଚେତେଶ୍ବର ପୂଜାରା ଓ ବିରାଟ କୋହଲିଙ୍କ ସହ ଅଜିଙ୍କ୍ୟ ରାହାଣେ ମଧ୍ୟକ୍ରମ ସମ୍ଭାଳିବେ। ୬ନଂ ସ୍ଥାନ ପାଇଁ ହନୁମା ବିହାରୀ ଓ ରୋହିତ ଶର୍ମାଙ୍କ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍‌ରେ ପିଚ୍‌କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ଶେଷଥର ପାଇଁ ଇଂଲଣ୍ଡ ଦଳ ଏହି ଦେଶ ଗସ୍ତରେ ଆସିଥିଲା ଏବଂ ୧-୨ରେ ଟେଷ୍ଟ ସିରିଜ୍‌ରେ ପରାସ୍ତ ହୋଇଥିଲା। ଉଭୟ ଇନିଂସରେ ଇଂଲଣ୍ଡ ୨ ଶହ ରନ୍ କରି ପାରିନଥିଲା। ସାର୍ ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମ୍‌ର ପିଚ୍ ପେସ୍ ବୋଲରଙ୍କୁ ସୁହାଇବ। ୱେଷ୍ଟଇଣ୍ଡିଜ୍‌ର ପେସ୍ ଆକ୍ରମଣ ସମ୍ମୁଖରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ନିଶ୍ଚିତ ଭାବେ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବେ।

କିମାର ରୋଚ୍, ସାନନ୍ ଗାବ୍ରିଏଲ୍‌ ଓ ଅଧିନାୟକ ଜେସନ୍ ହୋଲ୍‌ଡରଙ୍କୁ ନେଇ ଗଠିତ ୱେଷ୍ଟଇଣ୍ଡିଜ୍‌ର ପେସ୍ ଆକ୍ରମଣକୁ ଦୁର୍ବଳ ମଣିବା ଠିକ୍ ହେବନାହିଁ। ପିଚ୍‌ରେ ଗତି ସହ ବାଉନ୍‌ସ ମଧ୍ୟ ରହିବ। ଭାରତର ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି ଓ ଈଶାନ୍ତ ଶର୍ମା ଏହାର ଫାଇଦା ଉଠାଇବାକୁ ଚାହିଁବେ। ଭାରତ ୪ ଜଣ ବିଶେଷଜ୍ଞ ବୋଲରଙ୍କୁ ଖେଳାଇଲେ ସ୍ପିନର ସ୍ଥାନ ପାଇଁ ରବିଚନ୍ଦ୍ରନ ଅଶ୍ବିନ ଓ କୁଲଦୀପ ଯାଦବଙ୍କ ମଧ୍ୟରେ ମୁକାବିଲା ହେବ। ଯଦି ପିଚ୍‌ରେ ଘାସ ରହେ; ତେବେ ୪ର୍ଥ ପେସ୍ ବୋଲର ଭାବେ ଭାରତ ଉମେଶ ଯାଦବଙ୍କୁ ଖେଳାଇପାରେ। ଫଳରେ ଅଲ୍‌ରାଉଣ୍ଡର ଭାବେ ରବୀନ୍ଦ୍ର ଜାଡ଼େଜା ଖେଳିପାରନ୍ତି। ଭାରତକୁ ଚକ୍‌ମା ଦେବା ପାଇଁ ଘରୋଇ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟ୍‌ସମ୍ୟାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ସାଇ ହୋପ୍, ସିମ୍ରନ୍ ହେତ୍‌ମେୟର ଓ ଜନ୍ କ୍ୟାମ୍ପ୍‌ବେଲ୍ ୩ ଯୁବ ପ୍ରତିଭାବାନ ବ୍ୟାଟ୍‌ସମ୍ୟାନ୍। ଡ୍ୟାରେନ୍ ବ୍ରାଭୋ ସବୁଠାରୁ ଅଭିଜ୍ଞ ହୋଇଥିବା ବେଳେ ସ୍ପିନ୍ ବିପକ୍ଷରେ ଭଲ ବ୍ୟାଟିଂ କରିଥାଆନ୍ତି ରୋଷ୍ଟନ୍ ଚେସ୍। ତେବେ ସମସ୍ତେ ଅପେକ୍ଷା କରିଛନ୍ତି ଯେ ସାଢ଼େ ୬ ଫୁଟ୍‌ ଉଚ୍ଚ ଓ ୧୪୦ କେଜି ଓଜନର ଅଲ୍‌ରାଉଣ୍ଡର ରାହ୍‌କିମ୍ କର୍ନୱାଲ ଖେଳିବା ସୁଯୋଗ ପାଉଛନ୍ତି କି ନାହିଁ।

Comments are closed.