ଆଜି ରାତି ୮ଟାରେ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌

କଲମ୍ବୋ: ଶ୍ରୀଲଙ୍କାରେ ଥିବା ଭାରତୀୟ କ୍ରିକେଟ୍‌ ଦଳର ଅଲ୍‌ରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା ସଂକ୍ରମିତ ହୋଇଛନ୍ତି। ଫଳରେ ମଙ୍ଗଳବାର ରାତିରେ ଘରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ହେବାକୁ ଥିବା ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌କୁ ଦିନେ ଘୁଞ୍ଚାଇ ଦିଆଯାଇଛି। ଏହି ମ୍ୟାଚ୍ ବୁଧବାର ରାତି ୮ଟାରେ ଖେଳାଯିବ। କ୍ରୁନାଲଙ୍କ ସହ ମିଶିଥିବା ଭାରତୀୟ ଦଳର ୮ ଜଣଙ୍କୁ ସେମାନଙ୍କ ହୋଟେଲ କୋଠରୀରେ ଏକାନ୍ତବାସରେ ରହିବାକୁ କୁହାଯାଇଛି। ସେମାନଙ୍କ ନାମ ପ୍ରକାଣ କରା ଯାଇନଥିଲେ ହେଁ କୁହାଯାଇଛି ଯେ ଅଧିକାଂଶ ହେଉଛନ୍ତି ଖେଳାଳି। ମଙ୍ଗଳବାର ସକାଳୁ କ୍ରୁନାଲଙ୍କ ତଣ୍ଟି ଦରଜ ହେବାରୁ ତାଙ୍କର ରାପିଡ୍‌ ଆଣ୍ଟିଜେନ୍ ପରୀକ୍ଷା କରା ଯାଇଥିଲା। ଏହି ରିପୋର୍ଟ ପଜିଟିଭ୍ ଆସିବାରୁ ତୁରନ୍ତ ଆର୍‌ଟି-ପିସିଆର୍ ପରୀକ୍ଷା କରା ଯାଇଥିଲା। ଏହାର ଫଳ ମଧ୍ୟ ପଜିଟିଭ୍‌ ଆସିଛି।

ଭାରତୀୟ ଶିବିରରେ ଯେପରି ଆଉ କୌଣସି ବ୍ୟକ୍ତି କରୋନା ସଂକ୍ରମିତ ନ ହୁଅନ୍ତୁ; ଏହା ନିଶ୍ଚିତ କରିବା ଲାଗି ଦଳର ସମସ୍ତ ଖେଳାଳିଙ୍କର ଆର୍‌ଟି-ପିସିଆର୍ ପରୀକ୍ଷା କରିବାକୁ ବିସିସିଆଇ ସମ୍ପାଦକ ଜୟ ଶାହା ନିର୍ଦେଶ ଦେଇଛନ୍ତି। ଏହାର ଫଳାଫଳ ଉପରେ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବା ନିର୍ଭର କରେ। ଯଦି ଆଉ ଜଣେ ଖେଳାଳି କିମ୍ବା ପ୍ରଶିକ୍ଷଣ ସହଯୋଗୀ କରୋନା ସଂକ୍ରମିତ ହେବା ଜଣାପଡ଼େ; ତେବେ ସିରିଜ୍‌ ବାତିଲ ହୋଇପାରେ। କ୍ରୁନାଲ ପାଣ୍ଡ୍ୟା ଜୈବ ନିରାପତ୍ତା ବଳୟରୁ ବାହାରକୁ ଯାଇ ନ ଥିବାବେଳେ ସେ କିପରି କରୋନା ସଂକ୍ରମିତ ହେଲେ; ତାହା ସମସ୍ତଙ୍କୁ ବ୍ୟଥିତ କରିଛି। ଏପରି ହୋଟେଲ କର୍ମଚାରୀ ମଧ୍ୟ ଜୈବ ନିରାପତ୍ତା ବଳୟରେ ଅଛନ୍ତି। ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳର କୌଣସି ଖେଳାଳି କରୋନା ସଂକ୍ରମିତ ହୋଇନାହାନ୍ତି। ଏକାନ୍ତବାସରେ ଥିବାରୁ କ୍ରୁନାଲ ପାଣ୍ଡ୍ୟା ଓ ଅନ୍ୟ କିଛି ଖେଳାଳି ଶେଷ ୨ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ତେବେ ଚୂଡ଼ାନ୍ତ ଏକାଦଶ ଗଠନ ପାଇଁ ଭାରତୀୟ ଦଳରେ ଯଥେଷ୍ଟ ଖେଳାଳି ଅଛନ୍ତି।

Comments are closed.