୨ୟ ଦିନିକିଆ ଆଜି: ଶ୍ରୀଲଙ୍କା ବିପକ୍ଷରେ ସିରିଜ୍‌ ଜିତିବା ଲକ୍ଷ୍ୟରେ ଭାରତ

କଲମ୍ବୋ: ଘରୋଇ ଶ୍ରୀଲଙ୍କା ଦଳ ବିପକ୍ଷରେ ପ୍ରଥମ ଦିନିକିଆକୁ ଭାରତ ସହଜରେ ୭ ୱିକେଟରେ ଜିତିନେଇଛି। ମଙ୍ଗଳବାର ଏଠାରେ ୨ୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଜିତି ସିରିଜ୍‌ ହାତେଇବା ଲକ୍ଷ୍ୟରେ ଭାରତ ଥିବା ବେଳେ ସିରିଜ୍‌କୁ ଜୀବନ୍ତ ରଖିବାକୁ ହେଲେ ଶ୍ରୀଲଙ୍କାକୁ ଏହି ମ୍ୟାଚ୍‌ ନିଶ୍ଚୟ ଜିତିବାକୁ ପଡ଼ିବ। ତେବେ ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଯେପରି ଭାବେ ପ୍ରାଧାନ୍ୟ ବିସ୍ତାରକରି ବିଜୟୀ ହେଲା; ଏବେ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ଶ୍ରୀଲଙ୍କାକୁ କିଛି ଚମତ୍କାର କରିବାକୁ ପଡ଼ିବ।

ଆଧୁନିକ ଦିନିକିଆ କ୍ରିକେଟ୍‌ର ବ୍ୟାଟିଂ ମହାରଥୀ ଭାରତୀୟ ଅଧିନାୟକ ଶିଖର ଧାୱନ ମ୍ୟାଚ୍‌ର ସର୍ବାଧିକ ସ୍କୋରର୍ ହେବା କାହାକୁ ଚକିତ କରିନାହିଁ। ଧାୱନଙ୍କୁ ଛାଡ଼ି ଭାରତୀୟ ଉପର ଅର୍ଡରରେ ଅଭିଜ୍ଞତା ନ ଥିଲେ ମଧ୍ୟ ସେମାନେ ଯେପରି ଆକ୍ରମଣାତ୍ମକ ବ୍ୟାଟିଂକଲେ; ତାହା ଶ୍ରୀଲଙ୍କା ବୋଲରଙ୍କୁ ନିରୁତ୍ସାହିତ କରିଥିବ। ପୃଥ୍ବୀ ସ’ ସୁଯୋଗକୁ ଅପେକ୍ଷା କରିବା ଭଳି ବାଉଣ୍ଡରୀ ପରେ ବାଉଣ୍ଡରୀ ମାରି ଚାଲିଥିଲେ; ଯାହା ଆରମ୍ଭରୁ ଶ୍ରୀଲଙ୍କାକୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିଥିଲା। ପଦାର୍ପଣରେ ଈଶାନ୍ କିଷନ୍ ଓ ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଜିତିବାକୁ ହେଲେ ଶ୍ରୀଲଙ୍କାକୁ ବହୁତ ସଂଶୋଧନ କରିବାକୁ ପଡ଼ିବ। ସ୍ପିନରଙ୍କ ବିପକ୍ଷରେ ସେମାନଙ୍କୁ ନିୟମିତ ୧/୨ ରନ୍ କରିବାକୁ ପଡ଼ିବ।

ପୁଣି କ୍ରମାଗତ ଭାବେ ବଲ୍‌କୁ ବ୍ଲକ୍‌କରି ବଡ଼ ସଟ୍‌ ମାରିବାର ପ୍ରୟାସ ଉପରେ ରୋକ ଲଗାଇବାକୁ ହେବ। ଫିଲ୍‌ଡିଂରେ ମଧ୍ୟ ଉନ୍ନତି ଆଣିବାକୁ ହେବ। ଇସୁରି ଉଦାନାଙ୍କ ସ୍ଥାନରେ ପେସ୍ ବୋଲର ଭାବେ ଲାହିରୁ କୁମାର କିମ୍ବା କାସୁନ୍ ରଜିତା ଖେଳିପାରନ୍ତି। ପିଚ୍‌ରେ ବଲ୍‌ ସ୍ପିନ୍‌ କରିବାର ସମ୍ଭାବନା ଥିଲେ ହେଁ ଅଧିକ ରନ୍‌ ମଧ୍ୟ ହେବ। ବିଜୟୀ ଭାରତୀୟ ଏକାଦଶରେ ପରିବର୍ତ୍ତନର ସମ୍ଭାବନା ବହୁତ କମ୍।

Comments are closed.