ପ୍ରଥମ ଟି୨୦ରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ

ଜୟପୁର: ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଇନିଂସ ବଳରେ ନ୍ୟୁଜିଲାଣ୍ଡକୁ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଘରୋଇ ଭାରତ ପରାସ୍ତ କରିଛି। ବୁଧବାର ଏହି ମ୍ୟାଚ୍‌ରେ ୫ ୱିକେଟରେ ବିଶ୍ବକପ୍‌ ରନର୍ସଅପ୍‌ ନ୍ୟୁଜିଲାଣ୍ଡକୁ ହରାଇ ୩ ମ୍ୟାଚ୍‌ର ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ହୋଇଛି। ପୁଣି ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡଠାରୁ ପରାଜୟର ପ୍ରତିଶୋଧ ଭାରତ ନେଇପାରିଛି। ପୁଣି ନୂଆ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଓ ନୂଆ ନିୟମିତ ଟି୨୦ ଅଧିନାୟକ ରୋହିତ ଶର୍ମା ବିଜୟ ସହ ସେମାନଙ୍କ ଇନିଂସ ଆରମ୍ଭ କରିଛନ୍ତି। ମାର୍ଟିନ୍ ଗପ୍‌ଟିଲ ଓ ମାର୍କ ଚାପ୍‌ମ୍ୟାନ୍‌ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ନ୍ୟୁଜିଲାଣ୍ଡ ୬ ୱିକେଟରେ ୧୬୪ ରନ୍‌ କରିଥିଲା। ପରେ ୨ଟି ବଲ୍‌ ବାକିଥାଇ ୫ ୱିକେଟ ହରାଇ ଭାରତ ବିଜୟୀ ହୋଇଥିଲା। ଶୁକ୍ରବାର ୨ୟ ଟି୨୦ ମ୍ୟାଚ୍‌ ଖେଳାଯିବ।

ଦୁଇ ଭାରତୀୟ ଓପ୍‌ନର ରୋହିତ ଶର୍ମା ଓ କେ.ଏଲ୍‌. ରାହୁଲ ଦ୍ରୁତଗତିରେ ୧୬୫ ରନ୍‌ର ପିଛା ଆରମ୍ଭ କରିଥିଲେ। ୩ୟ ଓଭରରେ ୧୫ ଏବଂ ୫ମ ଓଭରରେ ୨୧ ରନ୍‌ ହୋଇଥିଲା। ଫଳରେ ଭାରତ ୫ ଓଭରରେ ୫୦ ରନ୍‌ କରିଥିଲା। ୬ଷ୍ଠ ଓଭରର ପ୍ରଥମ ବଲ୍‌ରେ ୧୪ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୫ ରନ୍‌କରି ରାହୁଲ ଆଉଟ ହୋଇଥିଲେ। ମୁମ୍ବଇର ଦୁଇ ଖେଳାଳି ରୋହିତ ଓ ସୂର୍ଯ୍ୟକୁମାର ଦଳକୁ ବିଜୟଲକ୍ଷ୍ୟ ଆଡ଼କୁ ନେଇ ଯାଇଥିଲେ। ୨ୟ ୱିକେଟ ପାଇଁ ରୋହିତ-ସୂର୍ଯ୍ୟକୁମାର ୪୯ ବଲ୍‌ରୁ ୫୯ ରନ୍‌ ଯୋଡ଼ିଥିଲେ। ରୋହିତ ୩୬ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୪୮ ରନ୍‌ କରିଥିଲେ। ସୂର୍ଯ୍ୟକୁମାର ୩୪ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ୪୦ ବଲ୍‌ରୁ ୩ଟି ଛକା ଓ ୬ଟି ଚୌକା ସହ ସୂର୍ଯ୍ୟକୁମାର ୬୪ ରନ୍‌କରି ଆଉଟ ହେବା ପରେ ମ୍ୟାଚ୍‌ ରୋଚକ ହୋଇ ଯାଇଥିଲା। ୭ ବଲ୍‌ରୁ ୧୦ ରନ୍ ଆବଶ୍ୟକ ଥିବା ବେଳେ ଶ୍ରେୟାସ ଆୟର (୫) ଆଉଟ ହୋଇଥିଲେ। ପଦାର୍ପଣ ମ୍ୟାଚ୍‌ର ପ୍ରଥମ ବଲ୍‌ରେ ଚୌକାମାରିବା ପରେ ୨ୟ ବଲ୍‌ରେ ଭେଙ୍କଟେଶ ଆୟର ଆଉଟ ହୋଇଥିଲେ। ଶେଷ ଓଭରର ୪ର୍ଥ ବଲ୍‌ରେ ଚୌକାମାରି ଋଷଭ ପନ୍ତ୍‌ ଭାରତକୁ ଜିତାଇଥିଲେ। ପନ୍ତ୍ ୨ଟି ଚୌକା ସହ ୧୭ ରନ୍‌କରି ଅପରାଜିତ ଥିଲେ। ଟ୍ରେଣ୍ଟ ବୋଲ୍‌ଟ ୨ଟି ୱିକେଟ ନେଇଥିଲେ। ସୂର୍ଯ୍ୟକୁମାର ଯାଦବ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

ଅଧିନାୟକ ଭାବେ ରୋହିତ ଶର୍ମା ତାଙ୍କ ପ୍ରଥମ ମ୍ୟାଚ୍‌ରେ ଟସ୍ ଜିତି ଫିଲ୍‌ଡିଂ ନେଇଥିଲେ। ପ୍ରଥମ ଓଭର‌େ‌ର ଡ୍ୟାରିଲ ମିଚେଲ ବିନା ସ୍କୋର୍‌ରେ ଆଉଟ୍‌ ହୋଇଥିଲେ। ପରେ ମାର୍ଟିନ୍ ଗପ୍‌ଟିଲ ମାର୍କ ଚାପ୍‌ମ୍ୟାନ୍‌ଙ୍କ ବଡ଼ ଭାଗିଦାରୀ ଯୋଗୁଁ ଲାଗିଥିଲା ​‌େ​‌ଯ ନ୍ୟୁଜିଲାଣ୍ଡ ୧୮୦ରୁ ଅଧିକ ରନ୍‌ କରିବ। ହେଲେ ନିୟମିତ ୱିକେଟ ହରାଇବାରୁ ଏହା ୧୬୪ ରନ୍ କରି ପାରିଥିଲା। ମାର୍ଟିନ୍ ଗପ୍‌ଟିଲ ଓ ମାର୍କ ଚାପ୍‌ମ୍ୟାନ୍‌ ବିସ୍ଫୋରକ ବ୍ୟାଟିଂକରି ୨ୟ ୱିକେଟ ପାଇଁ ୧୩ ଓଭରରେ ୧୦୯ ରନ୍‌ ଯୋଡ଼ିଥିଲେ। ଚାପ୍‌ମ୍ୟାନ୍ ୫୦ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୬୩ ରନ୍‌ କରିଥିଲେ। ଗ୍ଲେନ୍‌ ଫିଲିପ୍‌ସ ଖାତା ଖୋଲି ପାରିନଥିଲେ। ୧୮ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ଥିବା ମାର୍ଟିନ୍ ଗପ୍‌ଟିଲ ୪୨ ବଲ୍‌ରୁ ୪ଟି ଛକା ଓ ୩ଟି ଚୌକା ସହ ୭୦ ରନ୍‌ କରିଥିଲେ। ଟିମ୍ ସୈଫର୍ଟ ୧୨ ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡ ଶେଷ ୩ ଓଭରରୁ ମାତ୍ର ୨୦ ରନ୍‌ କରି ୩ଟି ୱିକେଟ ହରାଇଥିଲା। ଭୁବନେଶ୍ବର କୁବାର ଓ ଆର୍. ଅଶ୍ବିନ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.