ଆଜି ୨ୟ ଦିନିକିଆ : ସିରିଜ୍ ବଞ୍ଚାଇବା ଲକ୍ଷ୍ୟରେ ଭାରତ

ଅକ୍‌ଲାଣ୍ଡ : ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳ ଟ୍ବେଣ୍ଟି୨୦ ସିରିଜ୍‌କୁ ୫-୦ରେ ପୋଛିନେବା ପରେ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଦଳର ପରାଜୟ ବେଶ୍ ଅପ୍ରତ୍ୟାଶିତ ମନେହେଉଛି। ତେବେ ଶେଷ ୩ଟି ଟ୍ବେଣ୍ଟି୨୦ରେ ବିଜୟ ଘରୋଇ ନ୍ୟୁଜିଲାଣ୍ଡର ହାତ ପାହାନ୍ତାରେ ଥିବା ସତ୍ତ୍ବେ ପରାସ୍ତ ହୋଇଥିବାରୁ ଏହାର ଆତ୍ମବିଶ୍ବାସ ଥିଲା ଯେ ଭାରତୀୟ ଦଳକୁ ପରାସ୍ତ କରିବାର ସାମର୍ଥ୍ୟ ଏହାର ଅଛି। ଯେପରି ଭା​‌ବେ ନ୍ୟୁଜିଲାଣ୍ଡ ରେକର୍ଡ ୩୪୮ ରନ୍‌ର ପିଛାକରି ବିଜୟୀ ହୋଇଥିଲା; ଏହା ଉକ୍ତ ଦଳର ଆତ୍ମବିଶ୍ବାସକୁ ଆହୁରି ଦୃଢ଼ କରିଥିବ। ଟ୍ବେଣ୍ଟି୨୦ ସିରିଜ୍‌ରେ ମ୍ୟାଚ୍‌କୁ ଫିନିସ୍ କରିବାରେ ବିଫଳ ହୋଇଥିବା ରସ୍ ଟେଲର ପ୍ରଥମ ଦିନିକିଆରେ ଯେପରି ଭାବେ ବ୍ୟାଟିଂ କରିଥିଲେ; ନ୍ୟୁଜିଲାଣ୍ଡକୁ ଏହା ଉତ୍ସାହିତ କରିଛି। ୩ ମ୍ୟାଚ୍‌ର ସିରିଜ୍‌ର ପ୍ରଥମ ମ୍ୟାଚ୍‌ ହାରିଥିବାରୁ ଶନିବାର ଏଠାରେ ଖେଳାଯିବାକୁ ଥିବା ୨ୟ ଦିନିକିଆ ଭାରତ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟିକରିଛି। ସିରିଜ୍ ବଞ୍ଚାଇବା ପାଇଁ ଭାରତକୁ ଏହି ମ୍ୟାଚ୍ ନିଶ୍ଚୟ ଜିତିବାକୁ ପଡ଼ିବ। ଏହି କାରଣରୁ ଭାରତୀୟ ଖେଳାଳି ଚାପ​‌ରେ ରହିବେ। ଅନ୍ୟପକ୍ଷରେ ୨୦୧୯ରେ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍ ଜିତିବା ପରେ ୨ୟ ମ୍ୟାଚ୍ ଜିତି ସିରିଜ୍ ହାତେଇବା ପାଇଁ ନ୍ୟୁଜିଲାଣ୍ଡ ପ୍ରୟାସ କରିବ।

ପ୍ରଥମ ଦିନିକିଆରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ମନୋନୟନ ନେଇ କିଛି କ୍ରିକେଟ ବିଶେଷଜ୍ଞ ପ୍ରଶ୍ନ ଉଠାଉଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ୨ଟି ଦିନିକିଆରେ ଚମତ୍କାର ବୋଲିଂ କରିଥିବା ନବଦୀପ ସୈନିଙ୍କୁ ନ ଖେଳାଇ ସାର୍ଦ୍ଦୁଳ ଠାକୁରଙ୍କୁ ଖେଳାଇବା ଠିକ୍ ନ ଥିଲା ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଟ୍ବେଣ୍ଟି୨୦ ସିରିଜ୍‌ରେ ଭଲ ବୋଲିଂ କରିଥିବା ୟୁଜବେନ୍ଦ୍ର ଚହଲଙ୍କୁ ବସାଇ ନ୍ୟୁଜିଲାଣ୍ଡ ଗସ୍ତରେ ଆଦୌ ଖେଳିନଥିବା କୁଲଦୀପ ଯାଦବଙ୍କୁ ଖେଳାଇବାକୁ ମଧ୍ୟ ସେମାନେ ନାପସନ୍ଦ କରିଛନ୍ତି। ତେଣୁ ଶନିବାର ୨ୟ ଦିନିକିଅା ମ୍ୟାଚ୍‌ରେ ସାର୍ଦ୍ଦୁଳଙ୍କ ସ୍ଥାନରେ ନବଦୀପ ଓ କୁଲଦୀପଙ୍କ ସ୍ଥାନରେ ଚହଲ ଖେଳିବା ନିଶ୍ଚିତ। ଗୋଟିଏ ମ୍ୟାଚ୍‌ରେ ଦିନିକିଆ କ୍ରିକେଟ ଜୀବନ ଆରମ୍ଭ କରିଥିବା ଦୁଇ ଓପ୍‌ନର ମୟଙ୍କ ଅଗ୍ରୱାଲ ଓ ପୃଥ୍ବୀ ସ’ ପ୍ରଭାବଶାଳୀ ବ୍ୟାଟିଂ କରିଥିବାରୁ ଦୁହେଁ ୨ୟ ମ୍ୟାଚ୍‌ରେ ମଧ୍ୟ ଇନିଂସ ଓପନ୍ କରିବେ। କେ.ଏଲ୍‌. ରାହୁଲ ୫ନଂ ସ୍ଥାନରେ ବ୍ୟାଟିଂ କରିବାର ଥିବାରୁ ଅଧିନାୟକ ବିରାଟ କୋହଲି ଉପର ଅର୍ଡରରେ ଏକମାତ୍ର ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍।

ହାମିଲ୍‌ଟନରେ ଦିନିକିଆ କ୍ରିକେଟ ଜୀବନ ଆରମ୍ଭ କରିଥିବା ଟମ୍ ବ୍ଲଣ୍ଡେଲଙ୍କୁ ୩ନଂ ସ୍ଥାନରେ ପୁଣି ଏକ ସୁଯୋଗ ମିଳିପାରେ। ଅଭିଜ୍ଞ ଟିମ୍ ସାଉଦି ପ୍ରଥମ ଦିନିକିଆରେ ଅତ୍ୟଧିକ ରନ୍ ଦେଇଥିବାରୁ ତାଙ୍କ ସ୍ଥାନରେ ୬ ଫୁଟ୍‌ ୮ ଇଞ୍ଚ୍ ଉଚ୍ଚ ଫାଷ୍ଟବୋଲର ଟମ୍ ଜେମିସନ୍ ଖେଳିବା ନିଶ୍ଚିତ ବୋଲି ନ୍ୟୁଜିଲାଣ୍ଡ ଘୋଷଣା କରିଛି। ପୁଣି ଅନ୍ୟ ପେସ ବୋଲର ହାମିସ୍ ବେନେଟ୍‌ ମଧ୍ୟ ଟ୍ବେଣ୍ଟି୨୦ ସହ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ମହଙ୍ଗା ସାବ୍ୟସ୍ତ ହୋଇଥିବାରୁ ତାଙ୍କ ସ୍ଥାନରେ ଅନ୍ୟ ଫାଷ୍ଟ ବୋଲର ସ୍କଟ୍‌ କୁଗ୍‌ଲେଇନ୍‌ଙ୍କୁ ନ୍ୟୁଜିଲାଣ୍ଡ ଖେଳାଇପାରେ। କୁଗ୍‌ଲେଇନ୍‌ ଟ୍ବେଣ୍ଟି୨୦ ସିରିଜ୍‌ରେ ଭଲ ବୋଲିଂ କରିଥିଲେ। କେନ୍ ୱିଲିୟମ୍‌ସନଙ୍କ ସ୍ଥାନରେ ପ୍ରଥମ ମ୍ୟାଚ୍‌ରେ ୩ନଂ ସ୍ଥାନରେ ବ୍ୟାଟିଂକରି ଆନ୍ତର୍ଜାତିକ କ୍ରିକେଟ ଆରମ୍ଭ କରିଥିବା ଟମ୍ ବ୍ଲଣ୍ଡେଲ ଆଉ ଏକ ସୁଯୋଗ ପାଇପାରନ୍ତି। ଟି୨୦ ସିରିଜ୍ ଖେଳିନଥିଲେ ସୁଦ୍ଧା ଦୁଇ ବାମହାତି ହେନ୍‌ରି ନିକୋଲ୍‌ସ ଓ ଟମ୍ ଲାଥାମ୍ ପ୍ରଥମ ଦିନିକିଆରେ ଯେପରି ବ୍ୟାଟିଂକଲେ; ତାହା ନ୍ୟୁଜିଲାଣ୍ଡ ଦଳକୁ ଉତ୍ସାହିତ କରିଛି। ଇଡେନ୍ ପାର୍କର ପିଚ୍‌ ବ୍ୟାଟିଂ ଉପଯୋଗୀ ଥିବାରୁ ଏବଂ ବାଉଣ୍ଡରୀ ଛୋଟ ଥିବାରୁ ପୁଣି ଏକ ବଡ଼ ସ୍କୋର୍‌ର ମ୍ୟାଚ୍ ଦେଖିବାକୁ ମିଳିପାରେ। ଉଭୟ ଦଳ ଟସ୍ ଜିତି ରନ୍‌ର ପିଛା କରିବାକୁ ଚାହିଁବେ। ଭାରତୀୟ ଦଳ ଘରୋଇମାଟିରେ ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍ ହାରିଥିଲେ ହେଁ ପରବର୍ତ୍ତୀ ୨ଟିଯାକ ମ୍ୟାଚ୍ ଜିତି ସିରିଜ୍ ହାତେଇ ନେଇଥିଲେ। ବିରାଟ କୋହଲିଙ୍କ ଦଳ ଏଥର ମଧ୍ୟ ଏହା କରିବାକୁ ଚାହିଁବ।
ଆଜି (ଶନିବାର)ର ମାଚ୍‌
ଭାରତ-ନ୍ୟୁଜିଲାଣ୍ଡ ୨ୟ ଦିନିକିଆ
ଭାରତୀୟ ସମୟ ସକାଳ ୭.୩୦ରୁ; ଚ୍ୟାନେଲ- ଷ୍ଟାର୍ ସ୍ପୋର୍ଟସ ୧ ଓ ୩

Comments are closed.