ଭାରତ-ନ୍ୟୁଜିଲାଣ୍ଡ ୩ୟ ଦିନିକିଆ ଆଜି

ଇନ୍ଦୋର : ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ମଙ୍ଗଳବାର ଖେଳାଯିବ। ଭାରତ ୨-୦ରେ ଆଗୁଆ ରହି ଶୃଙ୍ଖଳା ହାତେଇ ନେଇଥିବା ବେଳେ ଔପଚାରିକତା ପୂରଣ ପାଇଁ ଏହି ମ୍ୟାଚ୍ ଖେଳାଯିବ। ତେବେ ସବୁଠାରୁ ବଡ଼କଥା ହେଲେ ଏହି ମ୍ୟାଚ୍ ଜିତିଲେ ନ୍ୟୁଜିଲାଣ୍ଡକୁ ଗାଦିଚ୍ୟୁତ କରି ଆଇସିସି ଦିନିକିଆ ମାନ୍ୟତାରେ ୧ନଂ ସ୍ଥାନ ଭାରତ ହାସଲ କରିବ। ବିଶ୍ବକପ୍ ରନର୍ସଅପ୍ ନ୍ୟୁଜିଲାଣ୍ଡ ଆଶାଠାରୁ ଖରାପ ପ୍ରଦର୍ଶନ କରିଛି। ପ୍ରଥମ ମ୍ୟାଚ୍ରେ ମୋଟ ୬୮୬ ରନ୍ ସ୍କୋର୍ ହୋଇଥିବା ବେଳେ ୨ୟ ମ୍ୟାଚ୍ରେ ମାତ୍ର ୨୧୯ ରନ୍ ହୋଇଥିଲା। ପ୍ରଥମ ମ୍ୟାଚ୍ରେ ମାଇକେଲ୍ ବ୍ରେସ୍ୱେଲଙ୍କ ବିସ୍ଫୋରକ ଇନିଂସ ଯୋଗୁଁ ଏହା ସଂଘର୍ଷପୂର୍ଣ୍ଣ ହୋଇ ପାରିଥିଲା। ହେଲେ ଉଭୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡର ଉପର ଅର୍ଡର ସମ୍ପୂର୍ଣ୍ଣ ବିଫଳ ହୋଇଛି। ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡର ପ୍ରଥମ ୫ ବ୍ୟାଟ୍ସମ୍ୟାନ ମୋଟ ୧୦୧ ରନ୍ କରିଥିବା ବେଳେ ୨ୟ ମ୍ୟାଚ୍ରେ ସେମାନେ ମିଳିତ ଭାବେ ୧୧ ରନ୍ କରିଥିଲେ। କେନ୍ ୱିଲିୟମ୍ସନ ନଥିଲେ ମଧ୍ୟ ନ୍ୟୁଜିଲାଣ୍ଡର ପ୍ରଥମ ୫ ବ୍ୟାଟ୍ସମ୍ୟାନ୍ଙ୍କୁ ବଡ଼ ସ୍କୋର୍ କରିବାକୁ ପଡ଼ିବ ଏବଂ ଏହା କରିବାକୁ ସେମାନେ ସମର୍ଥ ମଧ୍ୟ।
ନ୍ୟୁଜିଲାଣ୍ଡ ବୋଲିଂ ଲାଇନ୍ରେ ଦୁଇ ମ୍ୟାଚ୍ ବିଜେତା ପେସ୍ ବୋଲର ଟିମ୍ ସାଉଦି ଓ ଟ୍ରେଣ୍ଟ ବୋଲ୍ଟ ନଥିବା ବେଳେ ଆଡାମ୍ ମିଲ୍ନ ଓ ମ୍ୟାଟ୍ ହେନ୍ରି ମଧ୍ୟ ନାହାନ୍ତି। ଏହାର ଫାଇଦା ଭାରତୀୟ ବ୍ୟାଟ୍ସମ୍ୟାନ୍ ଉଠାଇଛନ୍ତି। ବିଶେଷକରି ଦୁଇ ଓପ୍ନର ରୋହିତ ଶର୍ମା ଓ ଶୁବ୍ମାନ ଗିଲ୍ ଚମତ୍କାର ବ୍ୟାଟିଂ କରିଛନ୍ତି। ଫର୍ମରେ ଥିବା ବିରାଟ କୋହଲିଙ୍କଠାରୁ ଦଳ ବଡ଼ ସ୍କୋର୍ର ଆଶା ରଖିଛି। ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ରଥମ ମ୍ୟାଚ୍ରେ ଉପର ଅର୍ଡରରେ ବ୍ୟାଟିଂ ମିଳିଥିବା ବେଳେ ବଡ଼ ସ୍କୋର୍ କରି ପାରିନଥିଲେ। ନ୍ୟୁଜିଲାଣ୍ଡ ଓପ୍ନର ଡେଭନ୍ କନ୍ୱେ ଜୀବନର ଶ୍ରେଷ୍ଠ ଫର୍ମରେ ଅଛନ୍ତି। ପାକିସ୍ତାନରେ ଟେଷ୍ଟରେ ସେ ୯୧ ଓ ୧୨୨ ରନ୍ କରିବା ପରେ ଦିନିକିଆ ମ୍ୟାଚ୍ରେ ଶତକ ଓ ଅର୍ଦ୍ଧଶତକ ହାସଲକରି ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ। ହେଲେ ଚଳିତ ଶୃଙ୍ଖଳାରେ ସେ ମାତ୍ର ୧୬ଟି ବଲ୍ ଖେଳି ପାରିଛନ୍ତି। ଭାରତ ଏହି ମ୍ୟାଚ୍ରେ ମହମ୍ମଦ ସାମି କିମ୍ବା ମହମ୍ମଦ ସିରାଜ୍ଙ୍କ ସ୍ଥାନରେ ଉମ୍ରାନ୍ ମାଲିକ୍ଙ୍କୁ ଖେଳାଇପାରେ। ନ୍ୟୁଜିଲାଣ୍ଡର ପେସ୍ ବୋଲର ବିଫଳ ହୋଇଥିବାରୁ ଡଗ୍ ବେସ୍ୱେଲ୍ ଓ ଡ୍ୟାରିଲ ଡଫି ଖେଳିପାରନ୍ତି।
Comments are closed.