MEllora 950×100

ରୋମାଞ୍ଚକର ମ୍ୟାଚରେ ଭାରତକୁ ୧ ୱିକେଟରେ ହରାଇଲା ବାଂଲାଦେଶ

ଢାକା : ପ୍ରଥମ ଦିନିକିଆରେ ବାଂଲାଦେଶର ରୋମାଞ୍ଚକର ବିଜୟ। ଅନ୍ତିମ ୱିକେଟ ପାଟନରସିପକୁ ଭାଙ୍ଗି ନ ପାରି ୧ ୱିକେଟରେ ହାରିଲା ଭାରତ। ଦଶମ ୱିକେଟରେ ୫୧ରନ ସଂଗ୍ରହ କରି ଜିତିଲା ବାଂଲାଦେଶ। ମେହିଦି ହାସନ ମିରାଜଙ୍କ ଅପରାଜିତ ୩୮ରନ ବଳରେ ଜିତିଲା ବାଂଲାଦେଶ। ୧୩୬ ରନରେ ୯ ୱିକେଟ ସତ୍ତ୍ବେ ବାଂଲାଦେଶ ୧୮୭/୯ କରି ଜିତିଲା।

ଢାକାଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବାଂଲାଦେଶ ଦଳ ଅତ୍ୟନ୍ତ ନାଟକୀୟ ଭାବେ ଭାରତକୁ ୧ ୱିକେଟରେ ହରାଇ ଦେଇଛି। ଭାରତ ଦ୍ବାରା ରଖାଯାଇଥିବା ୧୮୭ ରନର ବିଜୟ ଲକ୍ଷ୍ୟ ସହଜ ମନେ ହେଉଥିଲେ ବି ବାଂଲାଦେଶ ଦଳ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା। ଫଳରେ ଦଳପାଇଁ ଏହି ଛୋଟ ସ୍କୋର ବି କଷ୍ଟକର ହୋଇଯାଇଥିଲା। ଏପରିକି ଦଳ ୧୩୬ ରନରେ ୯ ୱିକେଟ ହରାଇ ନିଶ୍ଚିତ ପରାଜୟକୁ ଅପେକ୍ଷା କରିଥିବାବେଳେ ମେହେଦି ହସନ ମିରାଜଙ୍କ ଲଢୁଆ ବ୍ୟାଟିଂ ସବୁକିଛି ଓଲଟ ପାଲଟ କରିଦେଇଥିଲା। ସେ ୩୮ ରନ କରି ଦଳ ପାଇଁ ଏକ ଅସମ୍ଭବ ମ୍ୟାଚକୁ ସମ୍ଭବ କରିଦେଇଥିଲେ। ଶେଷ ବେଳକୁ ଭାରତୀୟ ଖେଳାଳିଙ୍କ ଖରାପ ଫିଲଡିଂ ତାଙ୍କୁ ସହାୟକ ହୋଇଥିଲା। ଭାରତ ପକ୍ଷରୁ ମହମ୍ମଦ ସିରାଜ ୩ଟି, କୁଳଦୀପ ସେନ ଓ ୱାସିଂଟନ ସୁନ୍ଦର ୨ଟି ଲେଖାଏଁ ୱିକେଟ ନେଇଥିଲେ।

ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ଶିଖର ଧଓ୍ବନ ଓ ବିରାଟ କୋହଲିଙ୍କ ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତ ୪୯ ରନରେ ୩ ଓ୍ବିକେଟ ହରାଇ ସଂଘର୍ଷ କରୁଥିବାବେଳେ କେଏଲ ରାହୁଲ ଓ ଶ୍ରେୟସ ଆୟର ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ। ରାହୁଲ ୭୩ ରନ ଓ ଆୟର ୨୪ ରନ କରିଥିଲେ। କିନ୍ତୁ ଆୟର ଆଉଟ ହେବା ପରେ ଭାରତର ପୁଣି ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ଫଳରେ ଭାରତ ୪୧.୨ ଓଭରରେ ମାତ୍ର ୧୮୬ ରନ କରି ଅଲଆଉଟ ହୋଇଯାଇଥିଲା। ବାଂଲାଦେଶ ତରଫରୁ ସକିବୁଲ ହସଲ ୫ଟି ଓ ଇବାଦତ ହୁସେନ ୪ଟି ୱିକେଟ ନେଇଥିଲେ।

Comments are closed.