ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ ପାଇଁ ପ୍ରସ୍ତୁତି ବୈଠକ : ୧୦୦ ପ୍ରତିଶତ ଦର୍ଶକଙ୍କୁ ସରକାରଙ୍କ ଅନୁମତି

କଟକ  : ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଜୁନ୍‌ ୯ରୁ ୧୯ ମଧ୍ୟରେ ଘରୋଇ ଭାରତ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବ। ଉକ୍ତ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଷ୍ଟାଡ଼ିୟମରେ ଶତ ପ୍ରତିଶତ ଦର୍ଶକଙ୍କୁ ଦେଖିବାକୁ ମିଳିବ। ଷ୍ଟାଡ଼ିୟମ​‌େ​‌ର ଆସନ ସଂଖ୍ୟା ଅନୁସାରେ ଶତ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ ଦେଖିବାର ସୁଯୋଗ ମିଳିବ ବୋଲି ଗୁରୁବାର ବିସିସିଆଇ ପକ୍ଷରୁୁ ଘୋଷଣା କରାଯାଇଥିଲା। ବିସିସିଆଇ ଏହି ଘୋଷଣ​‌ା ପ​‌େ​‌ର ଓଡ଼ିଶା ସରକାର ମଧ୍ୟ ବାରବାଟୀରେ ଶତ ପ୍ରତିଶତ ଦର୍ଶକଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଦୁଇବର୍ଷ ୮ ମାସ ପରେ ବାରବାଟୀକୁ ଫେରିଥିବା ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ ମ୍ୟାଚକୁ ଶୃଙ୍ଖଳିତ ପରିଚାଳନା ନେଇ ଶୁକ୍ରବାର ଓଡ଼ିଶା କ୍ରିକେଟ ଆସୋସିଏନ, କମିଶନରେଟ ପୁଲିସ, ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବାରବାଟୀରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ଶତ ପ୍ରତିଶତ ଦର୍ଶକ ଉପଲବ୍ଧ ହେବେ। ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି ମ୍ୟାଚ ଲାଗି ଶତ ପ୍ରତିଶତ ଦର୍ଶକଙ୍କୁ ଅନୁମତି ପ୍ରଦାନ କରାଯାଇଛି ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା କହିଥିଲେ। ଟ୍ବେଣ୍ଟି୨୦ ମ୍ୟାଚକୁ ଶୃଙ୍ଖଳିତ ପରିଚାଳନା ନେଇ କଟକ-ଭୁବନେଶ୍ବର କମିଶନରେଟ ପୁଲିସ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ଦୁଇ ଦଳର ଖେଳାଳି ଜୁନ୍‌ ୧୦ରେ ଭୁବନେଶ୍ବରରେ ପହଞ୍ଚିବା ପ​‌େ​‌ର ମେ ଫେୟାର ହୋଟେଲରେ ରହିବେ। ୧୧ରେ ଅଭ୍ୟାସ ଲାଗି ବାରବାଟୀ ଷ୍ଟାଡ଼ିୟମକୁ ଆସିବେ। ଖେଳାଳିମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ଓ ୧୨ରେ ମ୍ୟାଚ ଶେଷ କରି ୧୩ରେ ଫେରିବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯିବ। ଭୁବନେଶ୍ବରରୁ -କଟକ ଓ କଟକରୁ -ଭୁବନେଶ୍ବର ଯାତାୟତ ସମୟରେ ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ପଦକ୍ଷେପ ଗ୍ରହଣ କରାଯିବ। ଏ ନେଇ ଦୁଇ ସହରର ଟ୍ରାଫିକ ଅଧିକାରୀଙ୍କ ସହିତ ଆଲୋଚନା ମଧ୍ୟ କରାଯାଇଛି । ମ୍ୟାଚ ସମୟରେ ଷ୍ଟାଡ଼ିୟମ ଭିତରେ, ବାହାରେ କେତେ ସଂଖ୍ୟକ ପୁଲିସ ନିୟୋଜିତ ହେବେ ସେ ନେଇ କମିଶନରେଟ ପୁଲିସ ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ସେହିପରି ମ୍ୟାଚ ଲାଗି ୪୪ ହଜାର ଦର୍ଶକଙ୍କ ଅନୁମତି ରହିଥିବାବେଳେ ୧୫ହଜାର ଗାଡି ଆଗମନ ହେବ। ଏଥିଲାଗି ଗାଡି ପାର୍କିଂ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ସୁରକ୍ଷା ବ୍ୟବସ୍ଥା ଲାଗି ଷ୍ଟାଡ଼ିୟମ ଓ ଷ୍ଟାଡ଼ିୟମ ବାହାରେ ଏକାଧିକ ସିସିଟିଭି ମଧ୍ୟ ଲଗାଯିବ। ଅନ୍ୟପକ୍ଷରେ ମ୍ୟାଚ ଲାଗି ଷ୍ଟାଡ଼ିୟମରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବାକୁ ଓସିଏକୁ ଅବଗତ କରାଯାଇଛି । ମ୍ୟାଚ ସମୟରେ ଷ୍ଟାଡ଼ିୟମରେ ପଯ୍ୟାପ୍ତ ପାଣି ଉପଲବ୍ଧ ହେବ। ଷ୍ଟାଡ଼ିୟମକୁ ପାଣି ବୋତଲ ନେବା କଟକଣା କରାଯିବାବେଳେ ଖାଦ୍ୟ ଯୋଗାଇବା ନେଇ ମଧ୍ୟ ବ୍ୟବସ୍ଥା କରାଯିବ। ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ଭାରାପ୍ରାପ୍ତ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳେଇ, କଟକ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନୀଲ ସାମଲ, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, ସିଏମ୍‌ସି କମିଶନର ଅନନ୍ୟା ଦାସ, କଟକ ଡିସିପି ପିନାକ ମିଶ୍ର, ଭୁବନେଶ୍ବର ଡିସିପି ପ୍ରତୀକ ସିଂହ , ଓଡ଼ିଶା ଦୌଡ଼କୁଦ ସଂଘ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

Comments are closed.