୩ୟ ଟେଷ୍ଟ ଆଜିଠାରୁ ; ଇତିହାସ ଲକ୍ଷ୍ୟରେ ଭାରତ

କେପ୍‌ ଟାଉନ୍‌ : ମଙ୍ଗଳବାରଠାରୁ ଏଠାକାର ନ୍ୟୁଲାଣ୍ଡ୍‌ସ ଷ୍ଟାଡିୟମ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ୩ୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ ଖେଳାଯିବ। ଏହି ୩ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟକୁ ଭାରତ ଜିତିଥିବା ବେଳେ ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଲଢ଼ୁଆ ପ୍ରତ୍ୟାବର୍ତ୍ତନ କରିଛି। ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ରହିଛି। ଏହି ନିର୍ଣ୍ଣାୟକ ଟେଷ୍ଟମ୍ୟାଚ୍‌କୁ ​‌େ​‌ଯଉଁ ଦଳ ଜିତିବ; ସେହି ଦଳ ଟେଷ୍ଟ ଶୃଙ୍ଖଳା ହାତେଇ ପାରିବ। ଦକ୍ଷିଣ ଆଫ୍ରିକା ଜିତିଲେ ଘରୋଇ ମାଟିରେ ଭାରତ ବିପକ୍ଷରେ ଟେଷ୍ଟ ଶୃଙ୍ଖଳାରେ ଅପରାଜିତ କୀର୍ତ୍ତିମାନ ବଜାୟ ରଖିବ। ତେବେ ଏହି ମ୍ୟାଚ୍‌ ଜିତିଲେ ଭାରତ ଇତିହାସ ରଚିବା ସହ ପ୍ରଥମଥର ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ଶୃଙ୍ଖଳା ଜିତିବ। ଭାରତ ସବୁ ଦେଶରେ ଟେଷ୍ଟ ଶୃଙ୍ଖଳା ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ଏହା ପାଇଁ ଅଭେଦ୍ୟ ଦୁର୍ଗ ହୋଇ ରହିଛି। ଉଭୟ ଦଳଙ୍କ ମଧ୍ୟରେ ଏଠାରେ ୫ଟି ଟେଷ୍ଟ ଖେଳା ଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ୩ଟି ଜିତିଛି ଓ ୨ଟି ଡ୍ର ରହିଛି। ଏହି ଦୁର୍ଗ ଦଖଲ ଲକ୍ଷ୍ୟରେ ବିରାଟ ସେନା ୩ୟ ଟେଷ୍ଟମ୍ୟାଚ୍‌ ଖେଳିବାକୁ ଓହ୍ଲାଇବ।
ଏହି ମ୍ୟାଚ୍‌ରେ ଭାରତୀୟ ଏକାଦଶରେ ୨ଟି ପରିବର୍ତ୍ତନ ନିଶ୍ଚିତ। ପିଠି ଆଘାତରୁ ସୁସ୍ଥ ହୋଇଥିବା ବିରାଟ କୋହଲି ଏକାଦଶକୁ ଫେରି ଦଳର ନେତୃତ୍ବ ନେବେ। ଫଳରେ ହନୁମା ବିହାରୀଙ୍କୁ ପୁଣି ବାହାରେ ବସିବାକୁ ପଡ଼ିପାରେ। ଜଙ୍ଘ ମାଂସପେଶୀ ଟାଣି ହୋଇ ଯାଇଥିବାରୁ ଫାଷ୍ଟବୋଲର ମହମ୍ମଦ ସିରାଜ୍‌ ମ୍ୟାଚ୍‌ରୁ ବାଦ୍‌ ପଡ଼ିପାରନ୍ତି। ଉଭୟ ଟେଷ୍ଟରେ ମଧ୍ୟ ସିରାଜ୍ ଦୁର୍ବଳ ବୋଲିଂ କରିଥିଲେ। ୨ଟି ଟେଷ୍ଟରୁ ସିରାଜ୍ ମାତ୍ର ୩ଟି ୱିକେଟ ନେଇଛନ୍ତି। ତେଣୁ ଦୁଇ ଅଭିଜ୍ଞ ପେସ୍ ବୋଲର ଈଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କ ମଧ୍ୟରୁ ଜଣେ ଖେଳିବେ। ୬ ଫୁଟ୍‌ ୩ ଇଞ୍ଚ୍‌ର ଉଚ୍ଚ ଈଶାନ୍ତ ପିଚ୍‌ରୁ ବାଉନ୍‌ସ ପାଇପାରନ୍ତି ଏବଂ ସେ ମିତବ୍ୟୟୀ ବୋଲର। ଉମେଶଙ୍କ ଗତି ଅଧିକ ଏବଂ ସେ ବଲ୍‌କୁ ସ୍ବିଙ୍ଗ୍‌ କରିପାରନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ବିଜୟୀ ଏକାଦଶରେ କୌଣସି ପରିବର୍ତ୍ତନ କରିବାକୁ ଚାହିଁନପାରେ। ଏହି ସିରିଜ୍‌ରେ ଦୁର୍ବଳ ବ୍ୟାଟିଂ ଯୋଗୁଁ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ଯୋଡ଼ି ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେ ଅତ୍ୟନ୍ତ ଚାପରେ ଥିଲେ। ତେବେ ୨ୟ ଟେଷ୍ଟର ୨ୟ ଇନିଂସରେ ପୂଜାରା ଓ ରାହାଣେ ଯଥାକ୍ରମେ ୫୩ ଓ ୫୮ ରନ୍‌ ସ୍କୋର୍ କରିଥିଲେ। ଫଳରେ ଦୁହେଁ ୩ୟ ଟେଷ୍ଟରେ ସ୍ଥାନ ବଜାୟ ରଖିପାରନ୍ତି। ନ୍ୟୁଲାଣ୍ଡ୍‌ସ ପଡ଼ିଆର ପିଚ୍‌ ପେସ୍ ବୋଲରଙ୍କ ପାଇଁ ସହାୟକ ହେବ। ଉଭୟ ଦଳ ବୋଲିଂ ବିଭାଗରେ ପ୍ରାୟ ସମାନ ସ୍ଥିତିରେ ଅଛନ୍ତି। ତେଣୁ ବ୍ୟାଟିଂ ଏହି ମ୍ୟାଚ୍‌ରେ ନିର୍ଣ୍ଣାୟକ ହେବ। ଯେଉଁ ଦଳର ବ୍ୟାଟିଂ ସଫଳ ହେବ; ସେହିଦଳର ଜିତାପଟ ହେବ ବୋଲି ଅନୁମାନ କରାଯାଉଛି। ଦକ୍ଷିଣ ଆଫ୍ରିକା ପାଇଁ ଅଧିନାୟକ ଡିନ୍ ଏଲ୍‌ଗାର, ତେମ୍ବା ବାଭୁମା ଓ କିଗାନ୍ ପିଟରସନ୍ ଭଲ ବ୍ୟାଟିଂ କରିଛନ୍ତି। ତେବେ ଐଡେନ୍ ମାର୍କରାମ ଓ ରାସି ଭାନ୍ ଡର୍ ଡ୍ୟୁସେନ୍‌ଙ୍କଠାରୁ ଦକ୍ଷିଣ ଆଫ୍ରିକା ବଡ଼ ସ୍କୋର୍‌ର ଆଶାରଖିଛି। ତିନିହେଁ ଅଦ୍ୟାବଧି ବିଫଳ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ଯଦି ୩ୟ ମ୍ୟାଚ୍‌ ସହ ଶୃଙ୍ଖଳା ଜିତିବାକୁ ଚାହେଁ; ତେବେ ଫାଷ୍ଟବୋଲର କାଗିସୋ ରାବାଡାଙ୍କୁ ବଡ଼ ଭୂମିକା ନିର୍ବାହ କରିବାକୁ ପଡ଼ିବ। ରାବାଡ଼ା ୫ତମ ଟେଷ୍ଟମ୍ୟାଚ୍‌ ଖେଳିବାକୁ ଯାଉଥିବା ବେଳେ ଦଳକୁ ଜିତାଇ ଏହାକୁ ସ୍ମରଣୀୟ କରିବାକୁ ଚାହିଁବେ। ଜୋହାନସବର୍ଗରେ ୪ର୍ଥ ଇନିଂସରେ ସର୍ବାଧିକ ରନ୍‌ର ପିଛାକରି ଜିତିବା ପରେ ଦକ୍ଷିଣ ଆଫ୍ରିକା ଦଳର ମନୋବଳ ଶିଖରରେ ଥିବ। କରୋନା ସଂକ୍ରମଣ କାରଣରୁ ୨ ବର୍ଷ ପରେ କେପ୍‌ଟାଉନ୍‌ରେ ଟେଷ୍ଟ କ୍ରିକେଟ୍‌ ଖେଳାଯିବାକୁ ଯାଉଛି। ଆଉ ୧୪୬ ରନ୍‌ କଲେ ବିରାଟ କୋହଲି ୮୦୦୦ ଟେଷ୍ଟ ରନ୍‌ ପୂରଣ କରିବେ। ଏହି କୀର୍ତ୍ତିମାନ ହାସଲ ପାଇଁ କୋହଲିଙ୍କ ଲାଗି ଏହା ଆଦର୍ଶ ମ୍ୟାଚ୍‌।

Comments are closed.