ନ୍ୟୁୟର୍କରେ ସୁଷମା-କ୍ୟୁରେସୀ କଥାବାର୍ତ୍ତା

0

-ଭାରତ-ପାକିସ୍ତାନ ସମ୍ପର୍କରେ ପରିବର୍ତ୍ତନର ଆଭାସ
-ଜାତିସଂଘ ସାଧାରଣ ପରିଷଦ ବୈଠକରେ ସାକ୍ଷାତ
-କରତାରପୁର ସାହିବ ପ୍ରସଙ୍ଗ ଉଠାଇବେ ସୁଷମା
ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ସମ୍ପର୍କରେ ପରିବର୍ତ୍ତନର ଆଭାସ ମିଳିଛି। ଦୁଇ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ବନ୍ଦ ରହିଥିବା ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ଆଲୋଚନା ପୁନଃ ଆରମ୍ଭ ହେବାକୁ ଯାଉଛି। ଚଳିତମାସ ଶେଷ ଆଡକୁ ନ୍ୟୁୟର୍କଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜାତିସଂଘ ସାଧାରଣ ପରିଷଦ ବୈଠକ ପୃଷ୍ଠଭୂମିରେ ଉଭୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଇମ୍ରାନ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଆରମ୍ଭ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠିଲେଖି ନିବେଦନ କରିଥିଲେ। ଇମ୍ରାନଙ୍କ ଚିଠି ଉପରେ ଗୁରୁତର ସହ ବିଚାର ପୂର୍ବକ ଭାରତ ସରକାର ଏହାକୁ ଗ୍ରହଣ କରିଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଉକ୍ତ ବୈଠକ ସମ୍ବନ୍ଧରେ ଘୋଷଣା କରାଯାଇଛି।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି ଯେ ଏହି ବୈଠକକୁ ‘ଆଲୋଚନା’ ବୋଲି ବିବେଚନା କରିବା ଉଚିତ ନୁହେଁ; କେବଳ ପାକିସ୍ତାନର ଅନୁରୋଧ କ୍ରମେ ଭାରତ ଏହି ବୈଠକ ପାଇଁ ରାଜି ହୋଇଛି। ଏ ନେଇ କୌଣସି ଦ୍ୱନ୍ଦ୍ୱ ସୃଷ୍ଟି ହେବା ଅନୁଚିତ ବୋଲି ସେ ସ୍ପଷ୍ଟ କରିଛନ୍ତି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ତାଙ୍କର ପାକ୍‍ ପ୍ରତିପକ୍ଷ ଶାହା ମହମ୍ମଦ କ୍ୟୁରେସୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବ; କିନ୍ତୁ କେଉଁଠି ଓ କିଭଳି ପରିବେଶରେ ଆଲୋଚନା ହେବ ତାହା ସ୍ଥିର ହୋଇ ନାହିଁ। ବୈଠକ ସମ୍ବନ୍ଧରେ ଏ ଯାବତ୍‍ କୌଣସି କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇ ନ ଥିବା ସେ ସୂଚନା ଦେଇଛନ୍ତି। ଜାତିସଂଘରେ ନିୟୋଜିତ ଉଭୟ ଦେଶର ମିଶନ୍‍ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ତେବେ ଏହି କଥାବାର୍ତ୍ତା ସମୟରେ ସୁଷମା ଶିଖ୍‍ ଧର୍ମାବଲମ୍ବୀଙ୍କ ପବିତ୍ର ପୀଠ କରତାରପୁର ସାହିବକୁ ଭାରତୀୟ ଶିଖ୍‍ ତୀର୍ଥଯାତ୍ରୀଙ୍କ ଭିସାମୁକ୍ତ ଗମନାଗମନ ସୁବିଧା କରିବା ପାଇଁ ନିବେଦନ କରିବେ ବୋଲି ରବୀଶ କହିଛନ୍ତି। ଏ ପ୍ରସଙ୍ଗରେ ଭାରତ ୧୯୯୯ରୁ ବାରମ୍ବାର ପାକିସ୍ତାନ ସରକାରଙ୍କୁ ଆବେଦନ କରିଥିଲେ ମଧ୍ୟ ସୁଫଳ ମିଳିନାହିଁ। ଗତ ମାସରେ କ୍ରିକେଟର-ରାଜନେତା ନବଜୋତ୍‍ ସିଂହ ସିଧୁ ପାକିସ୍ତାନ ଯାଇଥିବାବେଳେ ସେନାଧ୍ୟକ୍ଷ କ୍ୱାମାର ଜାଭେଦ ବାଜୱାଙ୍କ ସହିତ ଏ ନେଇ ଆଲୋଚନା କରିଥିବା କହିଥିଲେ।
ଅନ୍ୟ ଏକ ପ୍ରଶ୍ନରେ ରବୀଶ କୁମାର କହିଛନ୍ତି ଯେ ପାକିସ୍ତାନରେ ‘ସାର୍କ’ ସମ୍ମିଳନୀ ହେବା ନେଇ ପରିବେଶ ପରିସ୍ଥିତି ଅନୁକୂଳ ହୋଇନାହିଁ। ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବାରୁ ପାକ୍‍ ମାଟିରେ ଏହି ସମ୍ମିଳନୀର ଆୟୋଜନ କରିବା କଷ୍ଟକର। ଏ ନେଇ ଏପ୍ରିଲରୁ ଭାରତ ପାକିସ୍ତାନକୁ ନିନ୍ଦା କରିଆସୁଛି ବୋଲି ରବୀଶ କହିଛନ୍ତି। ଦୁଇ ବର୍ଷରେ ଥରେ ଆୟୋଜନ ହେଉଥିବା ସାର୍କ ସମ୍ମିଳନୀରେ ଆୟୋଜକ ରାଷ୍ଟ୍ର ଅଧ୍ୟକ୍ଷତା କରିଥାଏ। ୨୦୧୪ରେ କାଠମାଣ୍ଡୁରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ୨୦୧୬ରେ ଏହା ପାକିସ୍ତାନରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା; ମାତ୍ର ଉକ୍ତ ବର୍ଷ ସେପ୍ଟେମ୍ବର ୧୮ରେ ଜାମ୍ମୁ-କାଶ୍ମୀରର ଉରିଠାରେ ଭାରତୀୟ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ସୃଷ୍ଟ ଉତ୍ତେଜନାମୂଳକ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏହି ସମ୍ମିଳନୀରେ ଯୋଗ ଦେବାକୁ ମନା କରିଦେଇଥିଲା।
ଉଲ୍ଲେଖଯୋଗ୍ୟ କି ୨୦୧୮ ସେପ୍ଟେମ୍ବର ୧୪ ତାରିଖ ଚିଠିରେ ସୁଷମା ଓ କ୍ୟୁରେସୀଙ୍କ ମଧ୍ୟରେ ବୈଠକ ପାଇଁ ଇମ୍ରାନ ପ୍ରସ୍ତାବ ଦେଇଥିଲେ। ସେ ଅଗଷ୍ଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ କରିବା ନେଇ ଏହା ଥିଲା ତାଙ୍କର ପ୍ରଥମ ଚିଠି। ପ୍ରଧାନମନ୍ତ୍ରୀଙ୍କୁ ‘ମୋଦୀ ସାହାବ’ ବୋଲି ସମ୍ବୋଧିତ କରି ଉକ୍ତ ଚିଠିରେ ଇମ୍ରାନ ଲେଖିଥିଲେ ଯେ ଆତଙ୍କବାଦ ଉପରେ ଆଲୋଚନା ପାଇଁ ପାକିସ୍ତାନ ପ୍ରସ୍ତୁତ। ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଆରମ୍ଭ କରିବା ସହିତ ଆତଙ୍କବାଦର ମୁକାବିଲା ଓ ଆଞ୍ଚଳିକ ଶାନ୍ତି ନିମନ୍ତେ ପାକିସ୍ତାନରେ ସାର୍କ ସମ୍ମିଳନୀ ଆୟୋଜନ ଲାଗି ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ଆତଙ୍କବାଦ ଏବଂ ଆଲୋଚନା ଏକକାଳୀନ ସମ୍ଭବ ନୁହେଁ ବୋଲି ଭାରତ ବାରମ୍ବାର ପାକିସ୍ତାନକୁ ଚେତାଇ ଦେଇଆସୁଛି। ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଅଜୟ ବିସରିଆ ଗତମାସରେ ଇସ୍‍ଲାମାବାଦ୍‍ଠାରେ ଇମ୍ରାନଙ୍କୁ ଭେଟିଥିଲେ।

Leave A Reply