ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ନିର୍ଣ୍ଣୟ କରିବ ସେମିର ରାସ୍ତା

ନୂଆଦିଲ୍ଲୀ : ଟ୍ବେଣ୍ଟି-୨୦ ବିଶ୍ବକପର ସହଜ ଗ୍ରୁପ ମନେ କରା ଯାଉଥିବା ଗ୍ରୁପ-ବି ସେମିଫାଇନାଲ ଦୌଡ଼କୁ ନେଇ ଆୟୋଜକ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଛକାପଞ୍ଚା ଆରମ୍ଭ ହୋଇଛି । ପାକିସ୍ତାନ ପ୍ରଥମ ୨ଟି ମ୍ୟାଚରେ‌େ‌ ଭାରତ ଓ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସେମିଫାଇନାଲ​‌ ରାସ୍ତା ଏକପ୍ରକାର ନିଶ୍ଚିତ କରିଥିବା ବେଳେ ୨ୟ ଦଳକୁ ନେଇ ଏବେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁଖ୍ୟତଃ ଲଢେଇ ହେବ । ଗ୍ରୁପ-ବି ରେ ଆଇସିସି ମାନ୍ୟତାରେ ୨ୟ ସ୍ଥାନରେ ଥିବା ଭାରତ ସମେତ ୩ୟ ସ୍ଥାନରେ ଥିବା ପାକିସ୍ତାନ, ୪ର୍ଥ ସ୍ଥାନରେ ରହିଥିବା ନ୍ୟୁଜିଲାଣ୍ଡ , ୮ମ ସ୍ଥାନରେ ଥିବା ଆଫଗାନିସ୍ତାନ, ୧୪ତମ ସ୍ଥାନରେ ଥିବା ସ୍କଟଲାଣ୍ଡ ଓ ୧୯ତମ ସ୍ଥାନରେ ଥିବା ନାମିବ୍ୟା ରହିଛନ୍ତି ସେମିଫାଇନାଲରେ ଗ୍ରୁପର ଶୀର୍ଷ ଦୁଇ ଦଳ ପହଞ୍ଚିବେ।। ପାକିସ୍ତାନ ସେମିଫାଇନାଲ ଦୌଡ଼ ଏକ ପ୍ରକାର ନିଶ୍ଚିତ କରିଥିବାବେଳେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରୁ ଗୋଟିଏ ଦଳ ଯିବା ମନେ କରାଯାଉଛି। ନ୍ୟୁଜିଲାଣ୍ଡ ଓ ଭାରତ ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ପରାଜିତ ହୋଇଛନ୍ତି। ବିଶେଷ କରି ପାକିସ୍ତାନ ନିକଟରୁ ନ୍ୟୁଜିଲାଣ୍ଡ ପରାଜିତ ହେବା ପରେ ଭାରତ ପାଇଁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଭାରତ ଯଦି ରବିବାର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରେ ତେବେ ସେମିଫାଇନାଲରେ ପହଞ୍ଚିବା ସହଜ ହେବ। ଯଦି ଭାରତ ଉକ୍ତ ମ୍ୟାଚରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୁଏ ତେବେ ନ୍ୟୁଜିଲାଣ୍ଡ ପାଇଁ ସେମିଫାଇନାଲ ସହଜ ହେବ। ଏଭଳି ସ୍ଥିତିରେ ଉଭୟ ଦଳ ପାଇଁ ଉକ୍ତ ମ୍ୟାଚ କର ବା ମର ସଦୃଶ ହୋଇଛି।
ପାକିସ୍ତାନ ପ୍ରଥମ ମ୍ୟାଚରେ ଭାରତକୁ ୧୦ ୱିକେଟ ଓ ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି। ଦଳ ୪ ପଏଣ୍ଟ ସହ ଗ୍ରୁପ ଶୀର୍ଷରେ ରହିଛି। ଦଳର ଅବଶିଷ୍ଟ ମ୍ୟାଚ ଆଫଗାନିସ୍ତାନ, ନାମିବ୍ୟା ଓ ସ୍କଟଲାଣ୍ଡ ସହିତ ରହିଛି। ଦଳ ଲିଗ୍‌ରେ ସମସ୍ତ ୫ ମ୍ୟାଚ ଜିତିବା ନେଇ ବଡ ସୁଯୋଗ ରହିଛି। ପାକିସ୍ତାନ ଗ୍ରୁପ ଶୀର୍ଷ ସ୍ଥାନରେ ରହିବା ଏବେ ସହଜ ମନେ କରାଯାଉଛି। ସେହିପରି ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ପରାଜିତ ହେବା ପରେ ଭାରତ ବିପକ୍ଷ ମ୍ୟାଚ କର ବା ମର ସଦୃଶ ହୋଇଛି। ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କଲେ ଅନ୍ୟ ୩ଟି ମ୍ୟାଚରେ ଆଫଗାନିସ୍ତାନ, ନାମିବ୍ୟା ଓ ସ୍କଟଲାଣ୍ଡକୁ ହରାଇଲେ ୮ ପଏଣ୍ଟ ପାଇ ସେମିଫାଇନାଲରେ ପହଞ୍ଚିବ। ଭାରତ ଯଦି ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୁଏ ତେବେ ଅନ୍ୟ ୩ ମ୍ୟାଚରେ ଆଫଗାନିସ୍ତାନ, ନାମିବ୍ୟା ଓ ସ୍କଟଲାଣ୍ଡକୁ ପରାସ୍ତ କଲେ ମଧ୍ୟ ସେମିଫାଇନାଲରେ ପହଞ୍ଚି ପାରିବ ନାହିଁ। ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଗ୍ରୁପର ଅନ୍ୟଦଳ ଆଫଗାନିସ୍ତାନ, ନାମିବ୍ୟା ଓ ସ୍କଟଲାଣ୍ଡକୁ ହରାଇବାର ଦକ୍ଷତା ରଖିଥିବାରୁ ସେମିଫାଇନାଲର ଦ୍ବିତୀୟ ଦଳ ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚରୁ ହିଁ ନିର୍ଣ୍ଣୟ ହେବା ଅନୁମାନ କରାଯାଉଛି।

Comments are closed.